Home ଜିଲ୍ଲା ପରିକ୍ରମା ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକସରସାଇଜ୍‌, ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ...

ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକସରସାଇଜ୍‌, ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଯାଇ ମୁକାବିଲା ଶୀଘ୍ର ଓ ସହଜ ହେବ – ଜିଲ୍ଲାପାଳ

18

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ ମୁକାବିଲା ପାଇଁ ପ୍ରଶାସନ କଳ ଓ ଆବଶ୍ୟକୀୟ ଉପକରଣ ସବୁ ପ୍ରସ୍ତୁତିର ପରୀକ୍ଷା ଉଦ୍ଦେଶ୍ୟରେ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ବର୍ଷ ଜୁନ୍ ୧୮ରେ ଟେବୁଲଟପ୍ ଏକସରସାଇଜ୍ ଓ ଜୁନ୍ ୧୯ରେ ମକଡ଼୍ରିଲ କାର୍ଯ୍ୟକ୍ରମ ସେଲ୍‌ଟର, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଆୟୋଜିତ ହୋଇଥାଏ । ଏହି ଦୁଇ ଦିନରେ ଦୁଇ କାର୍ଯ୍ୟକ୍ରମ ପାଇଁ ଗତ ୧୬-୬-୨୩ରେ ଭଦ୍ରକ ଜିଲ୍ଲା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଆଜି ସଦ୍‌ଭାବନା ସଭାଗୃହରେ ଜିଲ୍ଲାସ୍ତରୀୟ ଟେବୁଲଟପ୍ ଏକସରସାଇଜ୍ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ ଓ ଓସଡ଼ମାର ଡ଼େପୁଟୀ ଜେନେରାଲ ମ୍ୟାନେଜର ସୁନୀଲ କୁମାର ସାହୁ ଯୋଗ ଦେଇ ବିଭାଗୀୟ ପ୍ରସ୍ତୁତି ସମ୍ବନ୍ଧୀୟ ସମୀକ୍ଷା ଓ ଆଲୋଚନାରେ ମତ ପ୍ରକାଶ କରିଥିଲେ । ବିପର୍ଯ୍ୟୟ ନଆସୁ କିନ୍ତୁ ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନ କଳର ପ୍ରସ୍ତୁତିରେ ଟିକିଏ ବି କମି ନରହୁ ବୋଲି ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ କରାଇଥିଲେ । ଜିଲ୍ଲାସ୍ତର ହେଉ କି ବ୍ଲକସ୍ତର ସଂପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ଯୋଗସୂତ୍ର ରହିଲେ ଯାଇ ଯେ କୌଣସି ବିପର୍ଯ୍ୟୟର ମୁକାବିଲା ତୁରନ୍ତ ଓ ସହଜ ହେବା ସମ୍ଭବ ହେବ ବୋଲି ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ । ପ୍ରାକୃତିକ ବିର୍ଯ୍ୟୟର ସୂଚନା ପାଇଲା ମାତ୍ରେ ବିପର୍ଯ୍ୟୟ ଆସିବା ପୂର୍ବରୁ, ବିପର୍ଯ୍ୟୟ ସମୟରେ ଓ ବିପର୍ଯ୍ୟୟ ପରେ ନିଆଯିବାକୁ ଥିବା ପଦକ୍ଷେପ ନେଇ ଆଲୋଚନା କରାଯାଇଥିଲା ।

ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତିଙ୍କ ପରିଚାଳନାରେ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ପାୱାର ପଏଣ୍ଟ ଜରିଆରେ ସେମାନଙ୍କର ପ୍ଲାନ୍‌, ପ୍ରୋଗ୍ରାମ, ଆକସନ୍‌ର ସବିଶେଷ ପ୍ରସ୍ତୁତି ଉପସ୍ଥାପନ କରିଥିଲେ । ବିପର୍ଯ୍ୟୟ ପୂର୍ବରୁ ତଳିଆ ଅଞ୍ଚଳ, କଚ୍ଚା ଘରୁ ଲୋକ ଓ ଗୃହପାଳିତ ପଶୁମାନଙ୍କୁ ଆଶ୍ରଳସ୍ଥଳୀ ବା ନିରାପଦ ଜାଗାକୁ ସ୍ଥାନାନ୍ତର, ବିପର୍ଯ୍ୟୟ ମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ରନ୍ଧାଖାଦ୍ୟ, ଗୋମେଷାଦି ପାଇଁ ଗୋଖାଦ୍ୟ ମହଜୁଦ୍ ରଖିବା, ପାନୀୟଜଳ, ଶୌଚାଳୟ, ଗର୍ଭବତୀ, ବୃଦ୍ଧ, ଶିଶୁ, ଦିବ୍ୟାଙ୍ଗ ଆଦିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ବିପର୍ଯ୍ୟୟ ସମୟରେ ଉଦ୍ଧାରକାର୍ଯ୍ୟ, ବିପର୍ଯ୍ୟୟ ପରେ ରାସ୍ତାଘାଟ, ବିଦ୍ୟୁତ୍ ଆଦିର ପୁନଃଉଦ୍ଧାର, ଚାଷାଦି, ବାସଗୃହ, ପ୍ରାଣୀ ସମ୍ପଦର କ୍ଷୟକ୍ଷତି ଆକଳନ, କ୍ଷତିପୂରଣ ପ୍ରଦାନ ଆଦି ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ବିଭାଗୀୟ ପ୍ରସ୍ତୁତି, କର୍ମଚାରୀ, ଉପକରଣ ଆଦି ସମ୍ବନ୍ଧରେ ଟିକିନିଖି ସମୀକ୍ଷା କରାଯାଇଥିଲା । ଦୁର୍ବଳ ନଦୀବନ୍ଧ, ଘାଇ ସୃଷ୍ଟି ହେଉଥିବା ରାସ୍ତା ଆଦି ଚିହ୍ନଟ କରି ତତ୍କାଳ ମରାମତି ପାଇଁ ଯଥେଷ୍ଟ ବହ୍ଲା, ବାଲିବସ୍ତା, ଲୋକବଳ ପ୍ରସ୍ତୁତି ରଖିବାକୁ ଆର.ଡ଼ି., ପୂର୍ତ୍ତ, ଜଳସମ୍ପଦ ବିଭାଗକୁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ । ଯେ କୌଣସି ଛୋଟ ବଡ଼ ବିପର୍ଯ୍ୟୟ ବା ଦୁର୍ଘଟଣା ଘଟିଲେ ଅଗ୍ନିଶମ ବିଭାଗକୁ ହିଁ ଆଗ ଖୋଜା ହୁଏ ଏବଂ ସେମାନେ ହିଁ ପ୍ରଥମେ ପହଞ୍ôଚ ଦେବଦୂତ ଭଳି ଉଦ୍ଧାର କାର୍ଯ୍ୟରେ ଲାଗିଥାନ୍ତି ବୋଲି ଜିଲ୍ଲାପାଳ ପ୍ରକାଶ କରିବା ପ୍ରସଙ୍ଗରେ ସେମାନଙ୍କ ପାଖରେ ଥିବା ଉପକରଣ ସବୁ ବ୍ୟତୀତ, ବିଭିନ୍ନ ସମୟରେ ଦରକାର ହେଉଥିବା ଗ୍ୟାସ୍ କଟର, ପ୍ଲାଜମା କଟ୍‌ର ମେସିନ୍ ଆଦିର ଉପଲବଧ ନେଇ ଯୋଗାଯୋଗରେ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲୋ ସବ୍ ଇନସ୍‌ପେକ୍ଟର ସୌରଭ କୁମାର ସାହୁଙ୍କ ନେତୃତରେ ଏନ୍‌.ଡ଼ି.ଆର୍‌.ଏଫ୍‌. କର୍ମଚାରୀଙ୍କ ସହ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓସଡ଼ମାର ଜିଲ୍ଲା ସଂଯୋଜକ ଅମ୍ଳାନ ଅନୁପମ ସେନାପତି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସୂଚନାଯୋଗ୍ୟକି ପ୍ରତି ବ୍ଲକ ସ୍ତରରେ ମଧ୍ୟ ଏହି ଟେବୁଲଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏବଂ ୧୯ରେ ଜିଲ୍ଲାର ସମସ୍ତ ୧୦୪ଟି ଆଶ୍ରୟସ୍ଥରେ ମକ୍‌ଡ଼୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.