Home Top News ବିପଦସଂକେତ ଉପରେ ବୈତରଣୀ, କଣ୍ଟିଘାଇରେ ବନ୍ୟାଜଳ ପ୍ରବାହିତ, ତଳିଆ ଅଞ୍ଚଳ ଜଳମଗ୍ନ

ବିପଦସଂକେତ ଉପରେ ବୈତରଣୀ, କଣ୍ଟିଘାଇରେ ବନ୍ୟାଜଳ ପ୍ରବାହିତ, ତଳିଆ ଅଞ୍ଚଳ ଜଳମଗ୍ନ

89

ସୁଖନିଦ୍ରାରେ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ

ନଦୀବନ୍ଧ ଅସୁରକ୍ଷିତ ଓ ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତରାସ୍ତା ମନୁଷ୍ୟାକୃତ ବିଚ୍ଛିନ୍ନ

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – କରୋନା ମହାମାରୀ ଦ୍ୱିତୀୟ ଲହରରୁ ରକ୍ଷା ପାଇବା ପାଇଁ ଜନସାଧାରଣ ବ୍ୟତିବ୍ୟସ୍ତ ହେଉଥିବା ବେଳେ ଆସିଥିଲା ସାମୁଦ୍ରିକ ବାତ୍ୟା ‘ୟସ’। ବାତ୍ୟା କ୍ଷୟକ୍ଷତିକୁ ଭରଣା ପାଇଁ ପଦାକୁ ଗୋଡ କାଢିବା ବେଳକୁ ଆସିଛି ବୈତରଣୀ ନଦୀରେ ବନ୍ୟା। ବାତ୍ୟା ଜନିତ ଲଗାଣ ବର୍ଷା ନଦୀର ଉପରେ ମୁଣ୍ଡରେ ବ୍ୟାପକ ମାତ୍ରାରେ ହେବା ଯୋଗୁଁ ହୁ ହୁ ହୋଇ ମାଡିଆସୁଛି ଶୁଖିଲା ନଦୀରେ ଫେଣ ଯୁକ୍ତ ଗୋଳିଆ ପାଣି। ଚାହୁଁ ଚାହୁଁ ନଦୀ ଗର୍ଭ ଜଳପୂର୍ଣ୍ଣ ହୋଇ କୂଳ ଲଙ୍ଘିବା ଆରମ୍ଭ କରିଛି। ଗୁରୁବାର ସକାଳୁ ନଦୀରେ ପାଣିଆସିବା ଆରମ୍ଭ କରିଥିଲା। ସବୁ କିଛି ଶୁଷ୍କ ଥିବାରୁ ବନ୍ୟାକୁ ହେୟଜ୍ଞାନ କରିଥିଲେ ସମସ୍ତେ। ମାତ୍ର ପୂର୍ବାହ୍ନ ୧୧.୪୫ ମିନିଟରେ ଦ୍ରୁତ ବେଗରେ ଜଳପତ୍ତନ ବୃଦ୍ଧି ପାଇ ଆଖୁଆପଦା ଠାରେ ବିପଦସଙ୍କେତ ସ୍ତର ୧୭.୮୩ମିଟରକୁ ଅତିକ୍ରମ କରିଥିଲା। ଗତ ଚବିଶ ଘଣ୍ଟାରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ସର୍ବାଧିକ ୨୦୪.୭୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଠାକୁରମୁଣ୍ଡାରେ ୧୪୦.୦୦ ମିଲିମିଟର, ସ୍ୱାମୀପାଟଣାରେ ୧୩୩.୨୦ମିଲିମିଟର, କେଉଁଝରରେ ୧୭୮.୪୦ମିଲିମିଟର, ଆନନ୍ଦପୁରରେ ୫୫.୬୦ମିଲିମିଟର ଓ ଆଖୁଆପଦାରେ ୨୫.୨୦ମିଲିମିଟର ହୋଇଥିବା ନେଇ କେନ୍ଦ୍ରୀୟ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଜଳ ନଦୀରେ ପ୍ରବାହିତ ହୋଇ୧୯.୨୦ ମିଟରକୁ ସ୍ପର୍ଶ କରିପାରେ ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ଆକଳନ କରିଛି। ଅପରାହ୍ନ ୬ଟା ସୁଦ୍ଧା ନଦୀର ଜଳସ୍ତର ୧୮.୬୯ ମିଟରରେ ପ୍ରବାହିତ ହେଉଛି। ଜଳସ୍ତର ଘଣ୍ଟାପ୍ରତି ୬ ସେ.ବି.ବେଗରେ ବୃଦ୍ଧି ପାଉଛି। ଅପରାହ୍ନ ୩ଟା ସୁଦ୍ଧା ପାଦଚଲା କଂକ୍ରିଟରାସ୍ତା ସଦୃଶ ଜଳସମ୍ପଦ ବିଭାଗ ଦ୍ୱାରା ର୍ନିମିତ କଣ୍ଟିଘାଇ ଉପର ଦେଇ ବନ୍ୟାଜଳ ଦୁଇ ମିଟର ଉଚ୍ଚତାରେ ପ୍ରବାହିତ ହୋଇ ଖାଲୁଆ ଅଞ୍ଚଳକୁ ଜଳମଗ୍ନ କରିଛି। ବନ୍ୟା ଯୋଗୁଁ ଭଣ୍ଡାରିପୋଖରୀ ୍ବ୍ଲକର ଷୋଳମପୁର, ମାଳଦା, ରହଣିଆ, ନପଙ୍ଗ, କୁରିଗାଁ, ବାଲିପୋଖରୀ, ବନ୍ଦାଳୋ-ମଢିଆଳି, ଝୁଟୁଣା, ନାଆମୀ(ଆଂଶିକ) ଓ ରଣଜିତ(ଆଂଶିକ) ଜଳବନ୍ଦୀ ହେବାକୁ ଯାଉଛି। ଗତ ସୋମବାର ଠାରୁ ଏହି ସମସ୍ତ ପଞ୍ଚାୟତର ଜନସାଧାରଣ ଓ ଗୃହପାଳିତ ପଶୁ ଗୃହବନ୍ଦୀ ହୋଇ ରହିଥିବାରୁ କଷଣ ବଢିଯାଇଛି। ଗତ ନଭେମ୍ବର ମାସ ଠାରୁ ସମୟ ମିଳିଥିଲେ ବି ଜଳସମ୍ପଦ ବିଭାଗ ପକ୍ଷରୁ ମୁକୁଳା ଘାଇରେ ମୁଠାଏ ମାଟି ପଡି ନାହିଁ। କେବଳ ବର୍ଷା ଋତୁ ଅବ୍ୟବହିତ ପୂର୍ବରୁ କିଛି କାମ କରି ଭୁଆଁ ବୁଲାଇବା ବିଭାଗୀୟ ଅଭ୍ୟାସ ଏବେ ମହଙ୍ଗା ପଡିବାକ୍ୁ ଯାଉଛି। ସେହିପରି ଭଣ୍ଡାରିପୋଖରୀ-ମଣିନାଥପୁର ରାସ୍ତାକୁ ଦୁହାଁଳ ଗାଈ ସଜାଇଥିବା ପୁର୍ତ୍ତ ବିଭାଗର ଆଭିମୁଖ୍ୟ ଯୋଗୁଁ ମାଳଦା ପଞ୍ଚାୟତର ସର୍ତ୍ତାନାଳ ଓ ମଣିନାଥପୁର ଜୋରସେତ୍ୁ ଛଅମାସ ଧରି ଅଧୁରା କାର୍ଯ୍ୟହେବା ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯନ୍ତ୍ରୀ, ଠିକାଦାର ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ସହ ବାଲିଚୋରଙ୍କ ଦୌରାତ୍ମ୍ୟ ଏହି ରାସ୍ତା ପାଇଁ କାଳ ହୋଇଛି। ଫଳରେ ରାଜ୍ୟସ୍ତରର ଆଶ୍ୱାସନା ତୃଣମୂଳ ସ୍ତରରେ ବିପରିତ ଭାବେ କାର୍ଯ୍ୟ କରୁଥିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.