ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ବାତାବରଣ ସେତେ ବଢିବାରେ ଲାଗିଛି । ଯଦିଓ ଧାମନଗର ବ୍ଲକରେ କାଁ ଭାଁ ପ୍ରାର୍ଥୀ ଦଳୀୟ ପକ୍ଷରୁ ଘୋଷଣା ହୋଇଥିଲେ ମଧ୍ୟ ଆଉକିଛି ପଂଚାୟତ ପ୍ରାର୍ଥୀ ଘୋଷଣା ହୋଇନାହିଁ । ହେଲେ ଆଚରଣ ବିଧି ଲାଗୁପୂର୍ବରୁ ବିଜେଡ଼ି ଓ ବିଜେପି ପକ୍ଷରୁ ପୃଥକ ପୃଥକ ଭାବରେ ବିଭିନ୍ନ କାର୍ଯ୍ୟର ଶିଳାନ୍ୟାସ ଉଦ୍ଘାଟନ କରାଯାଉଛି । ନିକଟରେ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ବିଭିନ୍ନ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟକୁ ଉଦ୍ଘାଟନ କରିଥିବାବେଳେ ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦୁଇପାଦେ ଆଗକୁ ଯାଇଛନ୍ତି । ବିଧାୟକ ଶ୍ରୀ ସେଠୀଙ୍କ ଦ୍ୱାରା ଦୋବଲ, କରଦା, ସୋହଡ଼ା ଓ ପଧାନୀ ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଶିଳାନ୍ୟାସ କରିଛନ୍ତି । ଗତକାଲି ପଧାନୀ ପଂଚାୟତର ପଧାନୀ- ଭଗବତପୁର ରାସ୍ତା ବକ୍ସପୋଲ, କଣ୍ଟିଦୋଳ କମ୍ୟୁନିଟି ସେଣ୍ଟର, ଦଶନ୍ଦିକୂଳ କୀର୍ତ୍ତନ ମଣ୍ଡପ ଓ ଆଠଘରିଆ ଏବଂ କଇଥା ଡ଼ିହରେ ବିଭିନ୍ନ କାର୍ଯ୍ୟକୁ ଶିଳାନ୍ୟାସ କରିଛନ୍ତି ।
ପରେ ପଧାନୀ ଠାରେ ଏକ ସାଧାରଣ ସଭାରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ କେନ୍ଦ୍ରସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ କଂଗ୍ରେସ ଓ ବିଜେଡ଼ିଦଳ ଛାଡ଼ି ବିଜେପିରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ସେଠୀ ସେମାନଙ୍କୁ ଦଳୀୟ ଉତ୍ତରୀୟ, ଟୋପି ଓ ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ଦଳରେ ସାମିଲ କରିଥିଲେ ଏବଂ ଦୋବଲ ଜୋନ୍ର ଦଳୀୟ ଜିଲ୍ଳାପରିଷଦ ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ସାମଲ ଓ ପଧାନୀ ପଂଚାୟତର ସରପଂଚ ପ୍ରାର୍ଥୀ ଭାବେ ଅଶୋକ ପୁହାଣଙ୍କ ନାମ ଘୋଷଣା କରାଯାଇଥିଲା । ସେମାନଙ୍କୁ ଦଳ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପରିଷଦ ସଭ୍ୟ ମନୋରଂଜନ ମଲ୍ଲିକ, ସ୍ଥାନୀୟ ସରପଂଚ ସୁଜାତା ପୁହାଣ, ଓବିସି ଯୁବମୋର୍ଚ୍ଚାର ପ୍ରଭାରୀ ବୁଧଦେବ ଜେନା, ଦୋବଲ ଜୋନ୍ ବିଜେପିର ମଣ୍ଡଳ ସଭାପତି ଅରବିନ୍ଦ ପତି, ପୂର୍ବତନ ସରପଂଚ ଅଜୟ ବଳ, ଦଳାଙ୍ଗ ସରପଂଚ ବିରେନ୍ଦ୍ର ବାରିକ, ଅସୁରାଳି ସରପଂଚ ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ପୂର୍ବତନ ସରପଂଚ ଅଶୋକ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।