Home ଜିଲ୍ଲା ପରିକ୍ରମା ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ଘଟଣା, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓ ପ୍ରମୁଖ ଶକ୍ତି ସଚିବଙ୍କୁ...

ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ଘଟଣା, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓ ପ୍ରମୁଖ ଶକ୍ତି ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନୋଟିସ୍‌

67

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ପଞ୍ଚୁଟିକ୍ରି ଗ୍ରାମପଞ୍ଚାୟତରେ ହୋଇଥିବା ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ ଏବଂ ଶାରୀରିକ ଆଘାତ ସଂପର୍କିତ ଏକ ମାମଲାର ବିଚାର କରି ଜାତୀୟ ମାନବାଧିକାର ଆୟୋଗ ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଓ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ଜୁନ୍ ୮ ତାରିଖ ଦିନ ୧୧ଟା ବେଳେ ବ୍ୟକ୍ତିଗତ ଭାବେ ହାଜରା ହେବା ପାଇଁ ସମନ ଜାରି କରିଛନ୍ତି । ଆୟୋଗ ମୃତ୍ୟୁବରଣ କରିଥିବା ସାନ୍ତନୁ ବିଶ୍ୱାଳଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ବାବଦ ୩ ଲକ୍ଷ ଏବଂ ଆହତ କେଦାର ବାରିକଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ନେସ୍କୋର ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ଫୌଜଦାରୀ ମାମଲା ରୁଜୁ ହୋଇଥିବା ସଂପର୍କିତ ନଥିପତ୍ରର ତଲବ କରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ଆଇନ୍‌ଜୀବୀ ତଥା ବିଶିଷ୍ଟ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଆଗତ ମାମଲାର ଶୁଣାଣି କରି ଆୟୋଗ ଉକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ବିଦ୍ୟୁତ୍ ବିଭାଗର ଖାମଖିଆଲି ମନୋବୃତ୍ତି ଯୋଗୁଁ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ପଡିଥିବାବେଳେ କେହି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିନଥିଲେ । ଆୟୋଗଙ୍କର ତଦନ୍ତ ସମୟରେ ନେସ୍କୋ ତରଫରୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ସମୟୋପଯୋଗୀ ରକ୍ଷଣାବେକ୍ଷଣର ଅଭାବ ଏବଂ କର୍ମଚାରୀମାନଙ୍କର ଦାୟିତ୍ୱହୀନତା ପାଇଁ ଜୀବନ୍ତ ୧୧ କେଭି ତାର ଛିଡିଯାଇ ଭୂମିସ୍ପର୍ଶ କରିଥିଲା । ଯାହା ମୃତ୍ୟୁର କାରଣ ହୋଇଥିଲା । ମୃତ୍ୟୁବରଣ କରିଥିବା ଲୋକର ପରିବାରକୁ ୧୭ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଥିବାବେଳେ ଗୁରୁତର ଆଘାତପ୍ରାପ୍ତଙ୍କୁ କୌଣସି ସାହାଯ୍ୟ କରାଯାଇନଥିଲା । ମାନବାଧିକାର ଆଇନ୍ ୧୯୯୩ ଧାରା ୧୮ ଅନୁଯାୟୀ ଆୟୋଗ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ମୃତ ବ୍ୟକ୍ତି ଓ ଗୁରୁତର ଆହତଙ୍କୁ ଯଥାକ୍ରମେ ୩ ଲକ୍ଷ ଓ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଅନ୍ୟପକ୍ଷରେ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି , ସେ ସଂପର୍କିତ ରିପୋର୍ଟ ପ୍ରଦାନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଓ ଶକ୍ତି ବିଭାଗର ପ୍ରମୁଖ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆୟୋଗଙ୍କ କାରଣ ଦର୍ଶାଅ ନୋଟିସ୍‌ର କୌଣସି ସନ୍ତୋଷ ଜନକ ଉତ୍ତର ନମିଳିବାରୁ ଉପରୋକ୍ତ ବ୍ୟକ୍ତିଗତ ହାଜରା ପାଇଁ ନୋଟିସ୍ ଜାରି ହେବା ସହିତ ଆନୁସଙ୍ଗିକ ରିପୋର୍ଟ ତଲବ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଚଳିତବର୍ଷ ଆସିଥିବା ବାତ୍ୟା ୟାସ୍‌ରେ ପଞ୍ଚୁଟିକ୍ରୀ ଗ୍ରାମପଞ୍ଚାୟତର ବିଶେଷ ଭାବେ କ୍ଷତି ହୋଇଛି । ଶ୍ରୀ ତ୍ରିପାଠୀଙ୍କ ମତରେ ଦୁଇ ବିଭାଗ ସଜାଗ ରହି ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିଲେ ଧନଜୀବନର ସୁରକ୍ଷା ହୋଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.