Home ଜିଲ୍ଲା ପରିକ୍ରମା ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ସହ ବିପନ୍ନଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ, ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା...

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ ସହ ବିପନ୍ନଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ, ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି – ଧର୍ମେନ୍ଦ୍ର ପ୍ରଧାନ

46

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମୁଦ୍ରିକ ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ହେଲିକେପ୍ଟର ଯୋଗେ ଆକାଶ ମାର୍ଗରୁ ବାତ୍ୟା ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଜିଲାର ବାସୁଦେବପୁର, ଚାନ୍ଦବାଲି ଏବଂ ଧାମରା ଅଂଚଳ ପରିଦର୍ଶନ ସହ ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ ଏବଂ ବିପନ୍ନଙ୍କ ସହ କଥା ହେବା ପରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏହା ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ଉକ୍ତ ଅଂଚଳକୁ ଆକାଶ ମାର୍ଗରୁ ସ୍ଥିତି ପରଖିବା ପରେ ଧାମରା ବନ୍ଦରସ୍ଥିତ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ । ପରେ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଦୋସିଙ୍ଗା ଗ୍ରାମପଞ୍ଚାୟତର ସମିପାଟିଆ, ଓରାମାଳ ଓ ଜାଗୁଳା ଗ୍ରାମପଞ୍ଚାୟତର ପାଇକସାହି ଓ ଧାମରା ଗ୍ରାମପଞ୍ଚାୟତର ଝାଡକାଟି ସମେତ ଅନେକ ଗାଁ ପ୍ରତ୍ୟେକ୍ଷ ଭାବେ ବୁଲି ଦେଖିବା ସହ ବାତ୍ୟା ବିପନ୍ନଙ୍କ ପରିସ୍ଥିତି ସଂପର୍କରେ ବୁଝିଥିଲେ । ଏହାପରେ ସେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସାମୁଦ୍ରିକ ବାତ୍ୟା ୟାସ୍‌ର ସିଧାସଳଖ ପ୍ରଭାବ ଜିଲା ଉପରେ ପଡିଥିବାବେଳେ ଦୁଇଦିନ ତଳେ ଆକାଶ ମାର୍ଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭଦ୍ରକ ଜିଲା ସମେତ ଅନ୍ୟ ବାତ୍ୟା ପ୍ରଭାବିତ ଅଂଚଳକୁ ପରିଦର୍ଶନ କରିଥିବାର କହିଥିଲେ । ଲୋକମାନଙ୍କ ସହ କଥାହେବା କାଳରେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅବଗତ କରି ସେମାନେ ଏବେ ପାଣିଘେରରେ ବନ୍ଦୀ ଜୀବନ ଯାପନ ସହ ଦୁଃଖକଷ୍ଟରେ ରହୁଥିବାବେଳେ ଅନେକ ଚାଷଜମି ନଷ୍ଟ ହେଉଥିବାର ସେ ଦେଖିଥିଲେ ।

ତେବେ ପ୍ରଭାବିତ ଗ୍ରାମାଞ୍ଚଳରେ ଅଧିକ କଲର୍ଭଟ ତିଆରି କରାଗଲେ ପାଣିର ଶୀଘ୍ର ନିଷ୍କାସନ ହୋଇପାରିବ ଏବଂ ସ୍ଥାୟୀ ଭାବରେ ଲୋକମାନେ ଜଳବନ୍ଦୀରେ ରହିବେ ନାହିଁ ବୋଲି ସେ କହିଛନ୍ତି । ଏହି ଅଂଚଳରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଯେଉଁ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ରହିଛି, ତାହାର କାର୍ଯ୍ୟକାରୀ ଦିଗରେ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରଭାବିତ ଅଂଚଳ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ପରଶିବା ସହ ପଲିଥିନ୍‌, ରିଲିଫ୍ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଥିଲେ । ତାଙ୍କର ଏହି ଗସ୍ତ କାଳରେ ତାଙ୍କ ସହ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ, ଭଦ୍ରକ ସଂସଦୀୟ ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ପୂର୍ବତନ ସଭାପତି ବଦ୍ରୀ ନାରାୟଣ ଧଳ, ଭଦ୍ରକ ବିଧାନସଭା ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକ, ଜିଲା ସଭାପତି ହେମନ୍ତ ପାଢୀ, ଯୁମମୋର୍ଚ୍ଚା ରାଜ୍ୟ ସଂଯୋଜକ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.