Home Top News ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜୀବିକା ସହାୟତା ପ୍ରଦାନ...

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜୀବିକା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ୯୬ ଲକ୍ଷ ପରିବାର ଉପକାର ପାଇବେ

123

– ଗରିବ ଲୋକଙ୍କ କଲ୍ୟାଣ ମୋ ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ – ମୁଖ୍ୟମନ୍ତ୍ରୀ

– ଓମିକ୍ରନ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୨-୧୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ ସ୍ବାସ୍ଥ କଲ୍ୟାଣ କାର୍ଡ ନ ଥିବା କ୍ଷେତ୍ରରେ, ଜାତୀୟ ଖାଦ୍ୟ ସୁରକ୍ଷା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ସହାୟତା ପାଇପାରିବେ। ସାରା ରାଜ୍ୟର ୯୬ ଲକ୍ଷ ପରିବାର ଏହି ସହାୟତା ପାଇବେ। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୯୬୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସାତ ଦିନ ମଧ୍ୟରେ ଏହି ସହାୟତା ସମସ୍ତ ହିତାଧିକାରୀ ମାନଙ୍କୁ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗରିବ ଲୋକଙ୍କ କଲ୍ୟାଣ ରାଜ୍ୟ ସରକାରଙ୍କ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀ ଆମ ପାଇଁ ଆହ୍ବାନ ସୃଷ୍ଟି କରିଥିଲା। ଏହା ସେମାନଙ୍କ ଅର୍ଥିକ ଓ ସାମାଜିକ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି। ଗରିବ ଲୋକମାନେ ଏଥିରେ ବହୁତ କ୍ଷତି ସହିଛନ୍ତି। କୋଭିଡର ପ୍ରଭାବ ଏପର୍ଯ୍ୟନ୍ତ ମଧ୍ୟ ଯାଇନାହିଁ। ତେଣୁ ସେମାନଙ୍କର କଷ୍ଟକୁ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ସହାୟତା ଯୋଗାଇ ଦେଉଛନ୍ତି।

ଓମିକ୍ରନ ସଂପର୍କରେ ଲୋକଙ୍କୁ ସତର୍କ କରାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜନସାଧାରଣଙ୍କ ସହଯୋଗରେ କୋଭିଡର ପ୍ରଥମ ଓ ଦ୍ବିତୀୟ ଲହରୀକୁ ଓଡିଶା ସଫଳ ଭାବରେ ମୁକାବିଲା କରିପାରିଛି। ବର୍ତ୍ତମାନ କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ତାର କାୟା ବିସ୍ତାର କରୁଛି। ତେଣୁ ଜନସାଧାରଣ ସତର୍କ ରହି କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ଅତି ଆବଶ୍ୟକ ନ ହେଲେ ଭିଡକୁ ନ ଯିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗ ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ କୋଭିଡ ପରିଚାଳନାରେ ଓଡିଶା ଦେଶର ମଡେଲ ହୋଇପାରିଛି। BSKY ଯୋଜନାର ଉଦାହରଣ ଦେଇ ସେ କହିଲେ ଯେ ଦେଶର ଅନ୍ୟ କୌଣସି ରାଜ୍ୟରେ ଜନସାଧାରଣଙ୍କୁ ଏତେ ବ୍ୟାପକ ଭାବରେ ସ୍ବାସ୍ଥ୍ୟସେବା ଯୋଜନାରେ ସାମିଲ କରାଯାଇପାରି ନାହିଁ। ପ୍ରଶାସନରେ ୫-ଟିର ପ୍ରୟୋଗ ଯୋଗୁ ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରୁଛି ବୋଲି ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଓ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀ ଓ ବିଧାୟକଗଣ, ୩୧୪ ବ୍ଲକ୍‌ର ହିତାଧିକାରୀ ମାନଙ୍କ ସହ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଖାଦ୍ୟ ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.