Home ଓଡ଼ିଶା ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ? : ବିଜେପି

ବିଜୁ ଜନତା ଦଳର ଇଂରାଜୀ ଭାଷା ପ୍ରତି ଏତେ ଦରଦ କାହିଁକି ? : ବିଜେପି

354

ଭୁବନେଶ୍ୱର, ୨୨/୦୨ (ଓଡ଼ିଆ ପୁଅ) : ଇଂରାଜି ଭାଷାର ବ୍ୟବହାର କମିଲେ ବିଜୁ ଜନତା ଦଳକୁ ବହୁତ ବାଧୁଛି। ଭୁବନେଶ୍ୱର ଏମ୍ସରେ କିଛି ସରକାରୀ କାମରେ ହିନ୍ଦି ଭାଷାର ବ୍ୟବହାରକୁ ବିଜୁ ଜନତା ଦଳର ବିରୋଧ କରିବା ପରେ ଏହା ପ୍ରମାଣିତ ହେଉଛି। ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି ମମତା କମ୍ ଇଂରାଜି ଭାଷା ପ୍ରତି ମମତା ଅଧିକ ରହିଛି। ଏମ୍ସ କର୍ତ୍ତୃପକ୍ଷ ଯେଉଁ ନିୟମ ଆଣିଛନ୍ତି ସେଥିରେ କୌଣସି ସ୍ଥାନରେ ଲେଖା ହୋଇନାହିଁ କି ଓଡିଆ ଭାଷାକୁ ବ୍ୟବହାର କରାନଯାଉ ବୋଲି। ସେହିପରି ରୋଗୀ ସେବା ସର୍ମ୍ପକିତ ବା ରୋଗୀମାନଙ୍କ ସହିତ ସିଧାସଳଖ ଜଡିତ ବିଭାଗ ମାନଙ୍କରେ କୌଣସି ଭାବରେ ବି ଏ ନେଇ ପରିବର୍ତ୍ତନ ଅଣାଯାଇନାହିଁ। ରୋଗୀ ଯେଉଁ ଭାଷା ବୁଝିବେ ସେହି ଭାଷାରେ ହିଁ ଡାକ୍ତର ଓ ନର୍ସ ବା କର୍ତ୍ତୃପକ୍ଷ ସେମାନଙ୍କ ସହିତ ସେହି ଭାଷାରେ କଥା ହେବେ। କୌଣସି ଭାଷାକୁ ବାଧ୍ୟତାମୂଳକ କରାଯାଇନାହିଁ। ଓଡିଆ ରୋଗୀଙ୍କ ସହିତ ସମସ୍ତ ଯୋଗାଯୋଗ ଓଡିଆ ଭାଷାରେ ହେବ। ବିଜୁ ଜନତା ଦଳ ବିନା ଆଧାରରେ ଭ୍ରମିତ କରୁଛି ବୋଲି ଏକ ପ୍ରେସ ବିବୃତିରେ କହିଛନ୍ତି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ।

ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଏମ୍ସରେ ଏମବିବିଏସ ଓ ନର୍ସିଙ୍ଗରେ ପିଲାମାନଙ୍କୁ ଓଡିଆ ଭାଷାରେ ପାଠ ପଢାଯାଉଛି। ମୋଦି ସରକାର ରେଳ ଟିକଟରେ ଓଡିଆ ଭାଷାର ପ୍ରଚଳନ କଲେ। ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏବେ ସ୍ପଷ୍ଟ କରନ୍ତୁ, ରାଜ୍ୟର ଏସସିବି ମେଡିକାଲ କଲେଜ, ବୁର୍ଲା ମେଡିକାଲ କଲେଜ ଓ ବ୍ରହ୍ମପୁର ମେଡିକାଲ କଲେଜରେ ଯେତେ ସେବୁ ସରକାରୀ ଚିଠି ଦିଆନିଆ ହେଉଛି ତାହା କେଉଁ ଭାଷାରେ ହେଉଛି ? କାହିଁକି ଓଡିଆ ଭାଷାରେ ସେଠାରେ ସରକାରୀ କାମ ହେଉନାହିଁ।

ରାଜ୍ୟ ଶାସନର ପ୍ରାଣକେନ୍ଦ୍ର ଉଭୟ ଲୋକସେବା ଭବନ ଓ ବିଧାନସଭାରେ ସମସ୍ତ ଚିଠି ଏବେବି ଇଂରାଜି ଭାଷାରେ ହେଉଛି। ଓଡିଆ ଭାଷା ପ୍ରତି ଏପରି ବୈମାତୃକ ମନୋଭାବ କାହିଁକି ବୋଲି ଖାରବେଳ ପ୍ରଶ୍ନ କରିଛନ୍ତି।

ନ୍ୟାୟାଳୟ ମାନଙ୍କରେ ମୁଖ୍ୟ ଭାଷା ଭାବରେ ଇଂରାଜି ଭାଷାର ବ୍ୟବହାର ହେଉଛି। କାହିଁକି ଓଡିଆ ଭାଷାରେ ନ୍ୟାୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଉନାହିଁ? ଦେଶର ଅନ୍ୟରାଜ୍ୟ ମାନେ ସେମାନଙ୍କର ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଆଣି ନିଜର ମାତୃଭାଷାରେ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେଲେଣି। ହେଲେ ଓଡିଶା ଏ ଦିଗରେ ଏବେ ସୁଦ୍ଧା ଭାବିବା ବି ଆରମ୍ଭ କରିନାହିଁ। ଆଜି ବିଜୁ ଜନତା ଦଳର ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ପିନାକି ମିଶ୍ର ନିଜେ କୁହନ୍ତୁ ସେ ହାଇକୋର୍ଟରେ କେଉଁ ଭାଷାରେ ନିଜର ତର୍କ ରଖିଛନ୍ତି। ବିଜୁ ଜନତା ଦଳର ଓଡିଆ ଭାଷା ପ୍ରତି କୌଣସି ଆନ୍ତରିକତା ନାହିଁ। କେବଳ ଶସ୍ତା ରାଜନୀତି କରିବା ନେଇ ସାଧାରଣ ଲୋକଙ୍କୁ ଭ୍ରମିତ କରୁଛି ଶ୍ରୀ ସ୍ୱାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.