Home ଜିଲ୍ଲା ପରିକ୍ରମା ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ଭଦ୍ରକ ଜିଲା କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

48

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ବିଦ୍ୟୁତ ଦର ୟୁନିଟ ପିଛା ୩୦ ପଇସା ବୃଦ୍ଧି କରିଛନ୍ତି । ଯାହାକୁ ଘୋର ବିରୋଧ କରି ଆଜି ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ଜିଲା କାର୍ଯ୍ୟାଳୟରୁ ବାହାରି ରାଜଘାଟ ଛକ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା କାଳରେ ଓଡ଼ିଶାବାସୀ ଜୀବନ ଜୀବିକା ପାଇଁ ସଂଗ୍ରାମ କରୁଥିବା ବେଳେ ଡିଜେଲ, ପେଟ୍ରୋଲ, ରନ୍ଧନ ଗ୍ୟାସ, ଖାଇବା ତେଲ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦର ବୃଦ୍ଧି ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରୁଥିବା ସମୟରେ ଓଡ଼ିଶା ସରକାରଙ୍କର ବିଦ୍ୟୁତ ଦରବୃଦ୍ଧି ଭଳି ଅପରିଣାମଦର୍ଶୀ କାର୍ଯ୍ୟ, ବୋଝ ଉପର ଲଳିତା ବିଡ଼ା ସଦୃଶ ହୋଇଛି ବୋଲି ସଭାପତି ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଦ୍ୟୁତ୍ ବିଭାଗ ଦାୟିତ୍ୱ ଟାଟା ବିଦ୍ୟୁତ୍ ବିତରକ ସଂସ୍ଥା ହାତକୁ ନେବା ପରଠାରୁ ଗତ ୭ ମାସ ମଧ୍ୟରେ ୨ ଥରରେ ୫୦ ପଇସା ୟୁନିଟ ପିଛା ଦରବୃଦ୍ଧି ହୋଇଛି । ଓଡ଼ିଶା ବିଦ୍ୟୁତ ଆମଦାନୀକାରୀ ରାଜ୍ୟ ଭାବେ ପରିଚିତ । ଏଠାରେ କୋଇଲା ଓ ପାଣି ଶସ୍ତା ଓ ସୁବିଧାରେ ମିଳିଥାଏ । ଜଳ ବିଦ୍ୟୁତ ଉତ୍ପାଦନ ଖର୍ଚ୍ଚ ଖୁବ୍ କମ୍ ହୋଇଥିବା ବେଳେ ବିଦ୍ୟୁତ ଉତ୍ପାଦନର କ୍ରୟମୂଲ୍ୟ ୟୁନିଟ ପିଛା ମାତ୍ର ୩୦ ପଇସା ହୋଇଥାଏ । ଅଥଚ ବିଦ୍ୟୁତ ଶୁଳ୍କ, ବିଦ୍ୟୁତ କର ସବୁକୁ ମିଶାଇ ୨୦୦ ୟୁନିଟ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତା ୟୁନିଟ ପିଛା ୫ଟଙ୍କା ୬୦ ପଇସା ଓ ୪୦୦ ୟୁନିଟ ବା ତଦୁର୍ଦ୍ଧ୍ୱ ବିଦ୍ୟୁତ ବ୍ୟବହାର ପାଇଁ ୟୁନିଟ ପିଛା ୬ଟଙ୍କା ୨୦ ପଇସା ଦେବାକୁ ହେଉଛି । ଏହା ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ବୋଲି ଶ୍ରୀ ଦାସ କହିଥିଲେ । ତୁରନ୍ତ ରାଜ୍ୟ ସରକାର ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର କରନ୍ତୁ ନଚେତ କଂଗ୍ରେସ ଦଳ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଦାସ ଚେତାବନୀ ଦେଇଥିଲେ । ପରେ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳା ଦାହ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ସଭାରେ ବାସୁଦେବପୁର ନେତା ଅଶୋକ ଦାସ, ଭଦ୍ରକ ନେତା ନଳିନୀ ମହାନ୍ତି, ଚାନ୍ଦବାଲି ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଯେନା, ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚାନ୍ଦ, ଦିଲିପ ନାୟକ, ପୀତବାସ ଧଳ, ବୈଲୋଚନ ପଣ୍ଡା, ନରନାରାୟଣ ଜେନା, ରମେଶ ନାୟକ, ଅସ୍‌ରଫ୍ ଅଲୀ ଖାନ, ସେକ୍ ସମଦାନୀ, କ୍ରିଷ୍ଣା ମହାନ୍ତି, ନିରଞ୍ଜନ ପଲେଇ, ଅବଦୁଲ ମୋକିତ୍ ଖାଁ, ବିଜୟ ବାରିକ, ରଜନୀକାନ୍ତ ଚାନ୍ଦ, କିଣୁରାମ ଜେନା, ମମତା ନାୟକ, ନିରଞ୍ଜନ ମଲ୍ଲିକ, ରାଜନ ଲାହା, ଅଜୟ ଦାସ, ପ୍ରଦ୍ୟୁମ୍ନ ଦାସ, ଛାୟାକାନ୍ତ ନନ୍ଦ, ରବି ରାୟ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.