Home Top News ବିଏସଏନଏଲର ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌କୁ କ୍ୟାବିନେଟ ମଞ୍ଜୁରି

ବିଏସଏନଏଲର ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌କୁ କ୍ୟାବିନେଟ ମଞ୍ଜୁରି

34

ନୂଆ ଦିଲ୍ଲୀ ୨୭-୭ (ଓଡ଼ିଆ ପୁଅ) ଟେଲିକମ ଏକ ରଣନୈତିକ କ୍ଷେତ୍ର। ଟେଲିକମ ବଜାରରେ ବିଏସଏନଏଲର ଉପସ୍ଥିତି ଏକ ବଜାର ସନ୍ତୁଳନକାରୀ ଭାବେ କାର୍ଯ୍ୟ କରିଥାଏ। ଗ୍ରାମାଞ୍ଚଳରେ ଟେଲିକମ ସେବାର ସମ୍ପ୍ରସାରଣ, ସ୍ବଦେଶୀ ଜ୍ଞାନକୌଶଳର ବିକାଶ ଏବଂ ବିପର‌୍ୟ୍ୟୟ ସହାୟତା କ୍ଷେତ୍ରରେ ବିଏସଏନଏଲର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ବିଏସଏନଏଲକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘୧.୬୪ ଲକ୍ଷ କୋଟି ଟଙ୍କାର ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ୍‌’କୁ ଅନୁମୋଦନ କରାଯାଇଛି।

ବିଏସଏନଏଲ ସେବାର ଉନ୍ନତିକରଣ ପାଇଁ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବା, ସ୍ପେକ୍ଟ୍ରମ ଆବଣ୍ଟନ କରିବା, ବାଲାନ୍ସ ସିଟ୍‌କୁ ଚାପମୁକ୍ତ କରିବା ଏବଂ ଭାରତ ବ୍ରଡବ୍ୟାଣ୍ଡ ନିଗମ ଲିମିଟେଡ (ବିବିଏନଏଲ) ସହିତ ବିଏସଏନଏଲକୁ ମିଶ୍ରଣ ଜରିଆରେ ଫାଇବର ନେଟୱର୍କକୁ ବଢ଼ାଇବା ଉପରେ ଗୁରୁତ୍ବ ଦେଇ ପୁନରୁଦ୍ଧାର ପ୍ୟାକେଜ୍‌କୁ କ୍ୟାବିନେଟ ମଞ୍ଜୁରି ମିଳିଛି।

ବିଏସଏନଏଲ ସେବାର ଉନ୍ନତିକରଣ

ସ୍ପେକ୍ଟ୍ରମର ପ୍ରଶାସନିକ ଆବଣ୍ଟନ : ବର୍ତ୍ତମାନର ସେବାରେ ସୁଧାର ଆଣିବା ଏବଂ ୪ଜି ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ, ଇକ୍ୟୁଟୀ ନିବେଶ ଜରିଆରେ ୪୪, ୯୯୩ କୋଟି ଟଙ୍କା ବ୍ୟୟରେ ବିଏସଏନଏଲକୁ ୯୦୦/୧୮୦୦ ମେଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ ଆବଣ୍ଟନ କରାଯିବ। ଏହି ସ୍ପେକ୍ଟ୍ରମ ସହିତ, ବିଏସଏନଏଲ ବଜାର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖିନ ହୋଇପାରିବ ଏବଂ ଗ୍ରାମାଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବ୍ୟାପିଥିବା ଏହାର ବ୍ୟାପକ ନେଟୱର୍କକୁ ବ୍ୟବହାର କରି ହାଇସ୍ପିଡ୍ ଡାଟା ଯୋଗାଇ ଦେଇପାରିବ।

କ୍ୟାପେକ୍ସ ପାଇଁ ଆର୍ଥିକ ସହାୟତା: ସ୍ବଦେଶୀ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି, ବିଏସଏନଏଲ ଆତ୍ମନିର୍ଭର ୪ଜି ପ୍ରଯୁକ୍ତି ପ୍ରସାରିତ କରୁଛି। ଆସନ୍ତା ୪ ବର୍ଷ ମଧ୍ୟରେ ଆନୁମାନିକ ପୁଞ୍ଜି ବ୍ୟୟ ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତ ସରକାର ପୁଞ୍ଜି ବ୍ୟୟ ନିମନ୍ତେ ୨୨, ୪୭୧ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବେ। ଆତ୍ମନିର୍ଭର ୪ଜି ପ୍ରଯୁକ୍ତିର ବିକାଶ ଏବଂ ପ୍ରସାର କ୍ଷେତ୍ରରେ ଏହା ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ।

ଗ୍ରାମୀଣ ୱେରଲାଇନ ପରିଚାଳନା ପାଇଁ ସାଧନଯୋଗ୍ୟତାରେ ଅନ୍ତର : ବାଣିଜ୍ୟିକ ସାଧନଯୋଗ୍ୟତା ନଥିବା ସତ୍ତ୍ବେ, ସରକାରଙ୍କ ସାମାଜିକ ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ ବିଏସଏନଏଲ ଗ୍ରାମୀଣ/ଉପାନ୍ତ ଅଞ୍ଚଳରେ ୱେରଲାଇନ ସେବା ଯୋଗାଇ ଦେଇ ଆସୁଛି। ୨୦୧୪-୧୫ରୁ ୨୦୧୯-୨୦ ସମୟରେ ସାଧନଯୋଗ୍ୟତା ନଥିବା ଗ୍ରାମୀଣ ୱେରଲାଇନ ପରିଚାଳନା ପାଇଁ ସାଧନଯୋଗ୍ୟତା ଅନ୍ତର ନିମନ୍ତେ ପାଣ୍ଠି ଯୋଗାଣ ସ୍ବରୂପ ସରକାର ୧୩, ୭୮୯ କୋଟି ଟଙ୍କା ବିଏସଏନଏଲକୁ ଯୋଗାଇ ଦେବେ।

ଅଧିକୃତ ପୁଞ୍ଜିରେ ବୃଦ୍ଧି : ଏଜିଆର ବକେୟା, କ୍ୟାପେକ୍ସ ବ୍ୟବସ୍ଥା ଏବଂ ସ୍ପେକ୍ଟ୍ରମ ଆବଣ୍ଟନ ଆକାରରେ ବିଏସଏନଏଲର ଅଧିକୃତ ପୁଞ୍ଜି ପରିମାଣକୁ ୪୦, ୦୦୦ କୋଟି ଟଙ୍କାରୁ ୧, ୫୦, ୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ।

ବାଲାନ୍ସ ସିଟ୍‌କୁ ଚାପମୁକ୍ତ କରିବା

ଋଣ ବ୍ୟବସ୍ଥା : ଦୀର୍ଘ ଅବଧି ବିଶିଷ୍ଟ ଋଣ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଏସବୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ସରକାର ସୋଭରେନ୍ ଗ୍ୟାରେଣ୍ଟି ପ୍ରଦାନ କରିବେ। ସେମାନେ ୪୦, ୩୯୯ କୋଟି ଟଙ୍କାର ଦୀର୍ଘ ଅବଧି ବିଶିଷ୍ଟ ବଣ୍ଡ୍ ଉଠାଣ ପାଇଁ ସକ୍ଷମ ହୋଇପାରିବେ। ଏହା ବର୍ତ୍ତମାନର ଋଣକୁ ପୁନଃବ୍ୟବସ୍ଥିତ କରିବା ଏବଂ ବାଲାନ୍ସ ସିଟ୍‌କୁ ଚାପମୁକ୍ତ କରିବାରେ ସହାୟକ ହେବ।

ଏଜିଆର ବକେୟା ପାଇଁ ଆର୍ଥିକ ସହାୟତା : ବାଲାନ୍ସ ସିଟ୍‌ରେ ଆହୁରି ସୁଧାର ଆଣିବା ଲାଗି ଇକ୍ୟୁଟିରେ ପରିବର୍ତ୍ତିତ କରାଯାଇ ବିଏସଏନଏଲର ୩୩, ୪୦୪ କୋଟି ଟଙ୍କାର ଏଜିଆର ବକେୟାକୁ ପରିଶୋଧ କରାଯିବ। ଏଜିଆର/ଜିଏସଟି ବକେୟା ପରିଶୋଧ ପାଇଁ ବିଏସଏନଏଲକୁ ସରକାର ପାଣ୍ଠି ଯୋଗାଇ ଦେବେ।

ପ୍ରିଫରେନ୍ସ ଶେୟାର ପୁନଃ ଜାରି କରିବା : ବିଏସଏନଏଲ ପକ୍ଷରୁ ସରକାରଙ୍କୁ ୭, ୫୦୦ କୋଟି ଟଙ୍କାର ପସନ୍ଦ ଅଂଶଧନ ବା ପ୍ରିଫରେନ୍ସ ଶେୟାର ପୁନଃ ଜାରି କରାଯିବ।

ବିଏସଏନଏଲ ଫାଇବର ନେଟୱର୍କ ସମ୍ପ୍ରସାରଣ

ବିବିଏନଏଲ ଏବଂ ବିଏସଏନଏଲର ମିଶ୍ରଣ

ଭାରତ ନେଟ୍ ଅଧୀନରେ ନିର୍ମାଣ କରାଯାଇଥିବା ଭିତ୍ତିଭୂମିର ବ୍ୟାପକ ଉପଯୋଗ ନିମନ୍ତେ, ବିଏସଏନଏଲ ସହିତ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିଃ (ବିବିଏନଏଲ)ର ମିଶ୍ରଣ କରାଯିବ। ଭାରତ ନେଟ ଅଧୀନରେ ନିର୍ମାଣ କରାଯାଇଥିବା ଭିତ୍ତିଭୂମିକୁ ଜାତୀୟ ସମ୍ପତ୍ତି ଭାବେ ବିବେଚନା କରାଯିବା ଜାରି ରହିବ। ଏହା ସବୁ ଟେଲିକମ ସେବା ପ୍ରଦାନକାରୀଙ୍କ ପାଇଁ ବିନା ବାଚ୍ଛବିଚାର ଆଧାରରେ ଉପଲବ୍ଧ ହେବ।

ଏସବୁ ପଦକ୍ଷେପ ସହିତ, ବର୍ତ୍ତମାନର ସେବା ଗୁଣବତ୍ତାରେ ସୁଧାର ଆଣିବା, ୪ଜି ସେବା କାର୍ଯ୍ୟକାରୀ କରିବା ଏବଂ ଆର୍ଥିକ ଦୃଷ୍ଟିରୁ ସାଧନଯୋଗ୍ୟ ହେବାରେ ବିଏସଏନଏଲ ସକ୍ଷମ ହୋଇପାରିବ। ଏହି ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେଲେ, ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଏସଏନଏଲରେ ପରିବର୍ତ୍ତନ ଆସିବ ଏବଂ ଏହି ସଂସ୍ଥା ଲାଭ ଉପାର୍ଜନ କରିବାକୁ ସକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.