Home ଜିଲ୍ଲା ପରିକ୍ରମା ବାଲ୍ୟ ବିବାହ ମୁକ୍ତ ଜିଲା ଲକ୍ଷ୍ୟରେ ପାରମ୍ପରିକ ସାମାଜିକ କର୍ମକର୍ତ୍ତାମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାଲ୍ୟ ବିବାହ ମୁକ୍ତ ଜିଲା ଲକ୍ଷ୍ୟରେ ପାରମ୍ପରିକ ସାମାଜିକ କର୍ମକର୍ତ୍ତାମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

31

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ସମୟରେ ଅନେକ ବିବାହ କାର୍ଯ୍ୟ ମନ୍ଦିରମାନଙ୍କରେ ଅନୁଷ୍ଠିତ ହେଉଥିବାରୁ ବାଲ୍ୟ ବିବାହକୁ କୌଣସି ପ୍ରକାରରେ ସେ ସବୁ ସ୍ଥାନରେ ପ୍ରଶ୍ରୟ ଦିଆ ନଯିବା ପାଇଁ ମନ୍ଦିର ମାନଙ୍କର ତଥା ପାରମ୍ପରିକ ସାମାଜିକ କର୍ମକର୍ତ୍ତାମାନଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସି.ଡବ୍ଲୁ.ସି.ର ଅଧ୍ୟକ୍ଷ ଡ଼. ସୁଦର୍ଶନ ବାରିକ, ଶିଶୁ ସୁରକ୍ଷା ଅଧିକାରୀ ବିଜୟ କତେନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା ଏବଂ ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ୟୁନିସେଫ୍ ତରଫରୁ କାର୍ଯ୍ୟକରୁଥିବା ବାଲ୍ୟବିବାହର ଜିଲ୍ଲା ସଂଯୋଜକ ଅସିମ୍ ଅମିତାଭ ଦାସ ପ୍ରମୁଖ ଯୋଗ ଦେଇ ବୈଠକର ଆଭିମୁଖ୍ୟ, ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଲକ୍ଷ୍ୟ ହାସଲ ଦିଗରେ ମନ୍ଦିର ପୁରୋହିତ, କର୍ମକର୍ତ୍ତାମାନଙ୍କ କର୍ତ୍ତବ୍ୟ, ବିବାହ କାର୍ଯ୍ୟ ନେଇ ପଞ୍ଜିକରଣ ପ୍ରଣାଳୀ ଆଦି ବିଷୟରେ ବକ୍ତବ୍ୟ ରଖିଥିଲେ। ୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ଓଡିଶା ପାଇଁ ସରକାରଙ୍କ ନିଦ୍ଦେର୍ଶ ଓ ୨୦୨୪ ସୁଦ୍ଧା ସେ ଦିଗରେ ୩୦% ଲକ୍ଷ୍ୟ ହାସଲ ନେଇ ସୂଚନା ପ୍ରଦାନ କରାଯାଇଥିଲା। ବାଲ୍ୟ ବିବାହ ଘଟଣାରେ ଜାତୀୟ ଓ ରାଜ୍ୟ ହାର ଠାରୁ ଆମ ଜିଲ୍ଲାର ହାର ଯଥେଷ୍ଟ କମ୍ ଥିଲେ ବି ବାଲ୍ୟ ବିବାହକୁ ଶୂନ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା। ମନ୍ଦିରମାନଙ୍କରେ ବିବାହ କାର୍ଯ୍ୟ ପାଇଁ ବିଶେଷ କରି ବୟସ ପାଇଁ ଆଧାରକାର୍ଡ଼କୁ ପ୍ରମାଣ ପତ୍ର ଭାବେ ଗ୍ରହଣ ନକରି ସ୍କୁଲ, ଅଙ୍ଗବାଡ଼ି ସାର୍ଟିଫିକେଟ୍ ବା ଜନ୍ମ ସାର୍ଟିଫିକେଟ୍‌କୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବାଲ୍ୟ ବିବାହ ଘଟଣା ଦୃଷ୍ଟିକୁ ଆସିଲେ ୧୦୯୮ ନମ୍ବରକୁ ଜଣାଇବାକୁ ମଧ୍ୟ ସୂଚନା ଦିଆଯାଇଥିଲା। ବାଲ୍ୟ ବିବାହ ଏକ ଅପରାଧ। ଏ ବିଷୟକୁ ପ୍ରୋତ୍ସାହିତ, ସହଯୋଗ କରୁଥିବା ଅପରାଧୀ ପାଇଁ ୨ ବର୍ଷ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି। ଏ ବ୍ୟାଧିରୁ ସମାଜକୁ ସୁସ୍ଥ ରଖିବା ପାଇଁ ବାପା, ମାଆ, ଅଭିଭାବକ, ବନ୍ଧୁ, ପରିଜନ, ଜନ ପ୍ରତିନିଧି, ମନ୍ଦିର କର୍ମକର୍ତ୍ତା, ପୁରୋହିତ, ବିବାହ କାର୍ଯ୍ୟରେ ସଂଶ୍ଲିଷ୍ଟ ରହୁଥିବା ସମସ୍ତ ବ୍ୟକ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଆକ୍‌ସନ୍‌ଏଡ୍ ସହଯୋଗରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଜିଲ୍ଲାସ୍ତରୀୟ ଟ୍ରାଡିସନାଲ ଫୁରମ୍ ବୈଠକରେ ଜିଲ୍ଲାର ପ୍ରାୟ ୪୦ଟି ମନ୍ଦିରର କର୍ମକର୍ତ୍ତା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.