Home କେନ୍ଦୁଝର ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

173

ହାଟଡ଼ିହି, ୨୫ । ୬ : ବିଭାଘର ପାଇଁ ଦିନ ଲଗ୍ନଧରା ସରିଥିଲା ମୁଦିପିନ୍ଧା ବି ସରିଥିଲା । ଦିନ କେଇଟା ଭିତରେ ହୋଇଥାନ୍ତା ବାହାଘର । ବିବାହ ଉପକରଣ କିଣା ସରିଥିଲା, ବନ୍ଧୁବାନ୍ଧବଙ୍କୁ ଗୁଆ ଦିଆନିଆ ନିମନ୍ତ୍ରଣ ବି ସରିଥିଲା । ଆସନ୍ତା ୧ତାରିଖରେ ହୋଇଥାନ୍ତା ବାହାଘର । ମାତ୍ର ବାହାହେବା ପାଇଁ କନ୍ୟା ସାଜୁଥିବା ଜଣେ ନାଁ ବାଳିକା ବୋଲି ଖବରପାଇ ପ୍ରଶାସନ ଆଜି ବାହାଘରକୁ ବନ୍ଦ କରିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଶଙ୍ଖଣା ଗ୍ରାମରେ । ଦୁଇ ବଖରା ଭଙ୍ଗା ଚାଳଘରେ ରହୁଛନ୍ତି ବିଧବା ମା ଶାନ୍ତିଲତା ଓ ତାଙ୍କର ନା ବାଳିକା କନ୍ୟା । ବୟସ ମାତ୍ର ୧୫ବର୍ଷ । ପାଖ ଜମ୍ଭୀରା ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ଦୁଇବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା । ଘର ଚଳାଇବାକୁ ଅସମର୍ଥ ବିଧବା ମା ଏକମାତ୍ର ଝିଅର ବୋଝ ମୁଣ୍ଡରୁ ହଟାଇବାକୁ ମା ମଧ୍ୟ ବାହାରିପଡିଲେ ଝିଅର ବାହାଘର ସାରିଦେବା ପାଇଁ । ବରପକ୍ଷର ଦେଖାସାକ୍ଷାତ ପରେ ଗତ ୨୪ତାରିଖରେ ଲଗ୍ନ ହୋଇଥିଲା ବାହୁଡାରେ ବାହାଘର କରିବାପାଇଁ । କିନ୍ତୁ କେହି ଜଣେ ବ୍ୟକ୍ତି ବାଲ୍ୟ ବିବାହ ହେଉଥିବା ନେଇ ଚାଇଲଡଲାଇନର ଟୋଲ ଫ୍ରି ନମ୍ବରରେ ଜଣାଇବାପରେ ଚାଇଲଡ ଲାଇନ ଉପକେନ୍ଦ୍ରଆନନ୍ଦପୁର ଏ ନେଇ ବାଲ୍ୟ ବିବାହ ନିରାକରଣ ଅଧିକାରିଣୀ ଓ ନନ୍ଦିପଦା ପୁଲିସକୁ ସୁଚନା ଦେଇଥିଲେ । ଗୁରୁବାର ଦିନ ବାଲ୍ୟବିବାହ ନିରାକରଣ ଅଧିକାରିଣୀ ତଥା ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ସରସ୍ୱତୀ ସେଠୀ, ନନ୍ଦିପଦା ଥାନା ସବଇନସପେକ୍ଟର ସୁପ୍ରଭା ବେହେରା, ଚାଇଲଡଲାଇନ ଟିମ ଲିଡର ନରେନ୍ଦ୍ର ପରିଡା, ସସ୍ମିତା ମହାନ୍ତି, ହିମାଶୁଂ ରାମ, ମହିଳା ପରିଦର୍ଶିକ ଜ୍ୟୋତ୍ସ୍ନାମୟୀ ଜେନା, ଅଙ୍ଗନବାଡି କର୍ମୀ ରେଣୁବାଳା ସେଠୀ ପ୍ରମୁଖ ପହଞ୍ଚି ବାଲ୍ୟବିବାହ ଏକ ଅପରାଧ ଓ ଏହାର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବୁଝାଇବା ସହିତ ସଚେତନ କରାଇଥିଲେ । ବିବାହକୁ ବନ୍ଦ କରିବାପାଇଁ ମଧ୍ୟ ନାବାଳିକାର ମାକୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.