Home Top News ବାଲେଶ୍ୱର ପୁଲିସକୁ ବଡ଼ ସଫଳତା : .ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଜୟୀ ସମେତ ୮ ଗିରଫ...

ବାଲେଶ୍ୱର ପୁଲିସକୁ ବଡ଼ ସଫଳତା : .ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ଜୟୀ ସମେତ ୮ ଗିରଫ – ଗୁଳିଭର୍ତ୍ତି ଦେଶୀ ବନ୍ଧୁକ, ୭, ୧୭, ୫୮୧ଟଙ୍କା ଜବତ୍‌

31

ବାଲେଶ୍ୱର, ୮ା୧(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସହର ଓ ଉପକଣ୍ଠ ଅଞ୍ଚଳରେ ଗତ କିଛିଦିନ ଧରି ଚୋରି ଛିନ୍‌ତାଇ ସହ ଆତଙ୍କ ସୃଷ୍ଟି କରିଥିବା ଦୁର୍ବୃତ୍ତଙ୍କୁ ଧରିବାରେ ସହଦେବଖୁଣ୍ଟା ପୁଲିସ ବେଶ୍ ସଫଳତା ମିଳିଛି। ଦୁଇଗୋଟି ମାମଲାରେ ପୁଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ସାଙ୍ଗକୁ ବହୁ ମାରଣାସ୍ତ୍ର ଜବତ କରିଥିବା ନେଇ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି। ଗତକାଲି ରାତିରେ ପାଟ୍ରୋଲିଂ ସମୟରେ ପୁଲିସ ଟିମ୍ ଅକ୍ତିଆରପୁର-କସମିଳା ରୋଡ଼୍‌ରେ ଯାଉଥିବା ଯାନବାହାନରୁ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ୪ଜଣଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ହେଲେ ଜୟୀ ଓରଫ୍ ଦିଲ୍ଲୀପ ବେହେରା, ଝୋଲା ଓରଫ୍ ଦେବାଶିଷ ମୁଖୀ, ଚଗୁଲୁ ଓରଫ୍ ମଙ୍ଗଲ ବେହେରା ଓ ଦେବୁ ଓରଫ୍ ବିମଲ ଦାସ। ଅନ୍ଧାର ରାତି ଯୋଗୁଁ ଅନ୍ୟ ଦୁଇଜଣ ସେଠାରୁ ଖସି ପଳାଇ ଯାଇଥିବା ପୁଲିସ ପ୍ରକାଶ କରିଛି। ଗିରଫ ଅଭିଯୁକ୍ତ ଜୟୀଠାରୁ ୩ ରାଉଣ୍ଡ ଜୀବନ୍ତ ଗୁଳିଭର୍ତ୍ତି ଥିବା ଗୋଟିଏ ଦେଶୀ ପିସ୍ତଲ, ଝୋଲାଠାରୁ ଗୋଟିଏ ଖେଳାଣା ବନ୍ଧୁକ ଏବଂ ଦେବୁ ଓ ଚଗୁଲୁଠାରୁ ଲୁହାରଡ଼ ପୁଲିସ ଜବତ କରିଛି। ଗତ ୪ ତାରିଖରେ ହୋଇଥିବା ୧୬ ନଂ ଜାତୀୟ ରାଜପଥର ଖନ୍ତାପଡ଼ାଠାରେ ହୋଇଥିବା ଗୁଳିକାଣ୍ଡରେ ବଳରାମଗଡ଼ିର ଶେଖ୍ ଜାଫର ଓରଫ୍ ଜବର ସହ ଜୟୀ ଥିବା ନେଇ ପଚରାଉଚୁରା ବେଳେ ପୁଲିସ ଆଗରେ ସେମାନେ ମାନିଛନ୍ତି। ୪ ତାରିଖ ସଂଧ୍ୟାରେ ବିପୁଳ ଅର୍ଥ ନେଇ ବାଲେଶ୍ୱରକୁ ଡ୍ୟୁପ୍ଲିକେଟ୍ ସୁନାପୂର୍ତ୍ତି ବିକ୍ରି-କ୍ରୟ ପାଇଁ ବାହାର ଜିଲ୍ଲାରୁ ଆସିଥିବା ଦୁଇଜଣ ବ୍ୟକ୍ତିଙ୍କ ଉପରକୁ ଜୟୀ ଗୁଳି ଚଳାଇଥିବା ପୁଲିସ ଆଗରେ ପ୍ରକାଶ କରିଛି। ଏନେଇ ଖନ୍ତାପଡ଼ା ଥାନାରେ ୪/୪.୧.୨୧ ନଂର ମାମଲା ରୁଜୁ ହୋଇଛି। କୁଖ୍ୟାତ ଡକାୟତ ଜୟୀ ବିରୋଧରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ୧୩ ଅପରାଧିକ ମାମଲା ଅଛି। ମୋଷ୍ଟ ୱାଣ୍ଟେଡ୍ ଫେରାର ଅପରାଧୀ ଭାବେ ଜୟୀକୁ ଧରିବା ପାଇଁ ଉଭୟ ଜିଲାର ପୁଲିସ ଦୀର୍ଘଦିନ ଧରି ଉଦ୍ୟମ ଜାରି ରଖିଥିଲା। ତେବେ ସହଦେବଖୁଣ୍ଟା ଥାନା ପକ୍ଷରୁ ୧୪/୨୧ ନଂର ମାମଲା ରୁଜୁ ସହ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଅନ୍ୟଏକ ଛିନ୍‌ତାଇ ମାମଲାରେ ସହଦେବଖୁଣ୍ଟା ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୭ ଲକ୍ଷ ୧୭ ହଜାର ୫୮୨ ଟଙ୍କା ଜବତ କରିଛି। ସେମାନେ ହେଲେ ଜଗଦୀଶ ନାୟକ, ପ୍ରେମ ଓରଫ୍ ସାଗର ରାଉଳ, ବଳିଆ ଓରଫ୍ ରବିନାରାୟଣ ସାହୁ ଓ ରାଜୁ ଓରଫ୍ ଦିଲ୍ଲୀପ ବାରିକ। ରାଇଟର ବିଜିନେସ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ମାଲିକ ଗନେଶ ଚନ୍ଦ୍ର ହୁଇ ଗତ ୫ ତାରିଖ ଦିନ ଟଙ୍କା ନେଇ ଯାଉଥିବା ବେଳେ ପୁରୁଣା ସୁଜକି ଗଳି ନିକଟରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଭୁଜାଲି ଦେଖାଇ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼େଇ ଚମ୍ପଟ ମାରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ନେଇ ପୁଲିସ ସେମାନଙ୍କୁ ଆଜି ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଚୋରୀ ହୋଇଥିବା ସମସ୍ତ ଟଙ୍କା ସହ ଦୁଇଗୋଟି ମୋଟରସାଇକେଲ ଓ ୩ ଗୋଟି ମୋବାଇଲ ଫୋନ୍ ଜବତ୍ କରାଯାଇଛି ବୋଲି ଏସପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରୀ ମିଶ୍ରଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.