Home ଓଡ଼ିଶା ବାଲେଶ୍ୱର ଉପ-ନିର୍ବାଚନରେ ଅରିନ୍ଦମଙ୍କ ପ୍ରାର୍ଥିତ୍ୱକୁ ବିରୋଧ : ବିଜେଡିର ସଂଖ୍ୟାଧିକ ଅସନ୍ତୁଷ୍ଟଙ୍କୁ ମନେଇବାକୁ ଆଇନ୍‌ମନ୍ତ୍ରୀଙ୍କ ଉଦ୍ୟମ

ବାଲେଶ୍ୱର ଉପ-ନିର୍ବାଚନରେ ଅରିନ୍ଦମଙ୍କ ପ୍ରାର୍ଥିତ୍ୱକୁ ବିରୋଧ : ବିଜେଡିର ସଂଖ୍ୟାଧିକ ଅସନ୍ତୁଷ୍ଟଙ୍କୁ ମନେଇବାକୁ ଆଇନ୍‌ମନ୍ତ୍ରୀଙ୍କ ଉଦ୍ୟମ

156

ବାଲେଶ୍ୱର, ୨୨ା୯(ଓଡ଼ିଆ ପୁଅ/ଅଭୟ ଦାସ) : ବାଲେଶ୍ୱର ସଦର ବିଧାନ ସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ରାଜନୈତିକ ଦଳରେ ହଟଚମଟ ଲାଗି ରହିଛି। ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କ ପ୍ରାର୍ଥିତ୍ୱକୁ ବଜେପି ଏକପ୍ରକାର ମୋହର ମାରି ସାରିଥିବା ବେଳେ ଏବେ ଶାସକ ଦଳ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଚୟନ ଉପରେ ସମସ୍ତଙ୍କ ନଜର ରହିଛି। ଏହି ପରିପ୍ରେକ୍ଷୀରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୁଇଦିନିଆ ବାଲେଶ୍ୱର ଗସ୍ତ ଦଳୀୟ କମକର୍ତ୍ତା ସଦସ୍ୟଙ୍କ ମଧ୍ୟରେ ତତ୍ପରତା ଆଣିଦେଇଛି। ଚଳିତ ନିର୍ବାଚନରେ ଦଳର ଏକାଧିକ ଆଶାୟୀ ପ୍ରାର୍ଥୀ ହେବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଜିଲ୍ଲାସ୍ତରୀୟ ନେତୃବୃନ୍ଦ ବି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମସ୍ତ ଆଶାୟୀଙ୍କୁ ସମର୍ଥନ କରୁଛନ୍ତି। ଏଭଳି ସ୍ଥିତିରେ ଉପୁଜୁଥିବା ସମ୍ଭାବ୍ୟ ଦଳୀୟ କନ୍ଦଳକୁ ପ୍ରଶମିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ଦୁଇଦିନ ଧରି ବାଲେଶ୍ୱରରେ ଡେରା ପକାଇଥିବା କୁହାଯାଉଛି। ଜିଲ୍ଲା ବିଜେଡିର ଆଗଧାଡ଼ିର ନେତୃବୃନ୍ଦ, ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ପ୍ରାର୍ଥୀ ଏବଂ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଲବିରେ ଥିବା ନେତାଙ୍କ ସହ ମନ୍ତ୍ରୀ ଶ୍ରୀ ଜେନା ପୃଥକ ପୃଥକ ଆଲୋଚନା ଚଳାଇଛନ୍ତିି। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ ବାଲେଶ୍ୱର ଆସିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ବିଶେଷ କରି ଅସନ୍ତୁଷ୍ଟଙ୍କୁ ବୁଝାସୁଝା କରିବା ଓ ଦଳୀୟ ନେତା ତଥା ଛାମୁଆଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ସେ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି। ଚଳିତ ଉପ-ନିର୍ବାଚନରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ସମେତ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା କିମ୍ବା ତାଙ୍କ ସହଧର୍ମିଣୀ ସୁବାସିନୀ ଜେନା ପ୍ରାର୍ଥୀ ହେବା ନେଇ ଲବି ହେଉଥିଲା। ମାତ୍ର ଗତ ସପ୍ତାହରେ ଓଡ଼ିଆ ସିନେ ତାରକା ଅରିନ୍ଦମ୍‌ଙ୍କ ନାମ ପ୍ରାର୍ଥୀ ତାଲିକାରେ ଆସିବା ନେଇ ଆଲୋଚନା ଜୋର ଧରିବା ପରେ ଦଳୀୟ କନ୍ଦଳ ତୀବ୍ର ହେବାର ସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଅରିନ୍ଦମଙ୍କ ପ୍ରାର୍ଥିତ୍ୱକୁ ଅନ୍ୟାନ୍ୟ ଆଶାୟୀଙ୍କ ସମେତ ଜିଲ୍ଲାର ଦଳୀୟ ନେତା ଓ କର୍ମୀମାନେ ପୂର୍ଣ୍ଣ ବିରୋଧ କରୁଥିବା ଜଣାପଡ଼ିଛି। ଦଳୀୟ କନ୍ଦଳକୁ ଏଡ଼େଇବା ଓ ଜିଲ୍ଲାସ୍ତରୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ସେ ବାଲେଶ୍ୱର ଆସିଥିବା ମନ୍ତ୍ରୀ ଶ୍ରୀ ଜେନା ପରୋକ୍ଷ ଭାବେ ସୂଚନା ଦେଇଛନ୍ତି। ନହେଲେ ୨୦୧୯ ସାଧାରଣ ନିର୍ବାଚନ ଭଳି ଚଳିତ ଉପ-ନିର୍ବାଚନରେ ବିଜେଡି ହାତରୁ ସଦର ଆସନ ଚାଲିଯିବ ବୋଲି କୁହାଯାଉଛି। ପୂର୍ବରୁ ଜୀବନ ପ୍ରଦୀପ ଦାଶଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ ହେଉଥିବା ବେଳେ ଏବେ ଶ୍ରୀ ଦାଶଙ୍କ ସମେତ ପୂର୍ବତନ ସାଂସଦ ତଥା ଦଳର ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କୁ ବି ବୁଝାଇବାକୁ ମନ୍ତ୍ରୀ ପ୍ରୟାସ ଚଳାଇଛନ୍ତି। ତେବେ କାହାକୁ ଏହି ନିର୍ବାଚନରେ ପ୍ରାର୍ଥୀ କରାଯିବ ସେ ନେଇ କୌଣସି ନିଷ୍ପତି ନିଆଯାଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ସମସ୍ତେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଦଳୀୟ ପ୍ରାର୍ଥୀ ଚୟନ ନେଇ କୌଣସି ସୂଚନା ମିଳି ନାହିଁ। ପ୍ରାର୍ଥୀ ଚୟନରେ ପିସିସି ନିଷ୍ପତି ହିଁ ଚଳିତ ଉପ-ନିର୍ବାଚନରେ କାର୍ଯ୍ୟକାରୀ ହେବ ବୋଲି ଦଳୀୟ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.