Home ଓଡ଼ିଶା ‘ବାଲେଶ୍ୱରର ଔଦ୍ୟୋଗିକ ବିକାଶ’ସମ୍ପର୍କିତ କର୍ମଶାଳା

‘ବାଲେଶ୍ୱରର ଔଦ୍ୟୋଗିକ ବିକାଶ’ସମ୍ପର୍କିତ କର୍ମଶାଳା

23

ବାଲେଶ୍ୱର, ୨୩ା୧୨(ଓଡ଼ିଆ ପୁଅ/ଅଭୟ ଦାସ): ସେଂଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫୟ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ‘ସିପେଟ୍‌’ ପକ୍ଷରୁ ‘ବାଲେଶ୍ୱରରେ ଉଦ୍ୟୋଗୀ ବିକାଶ’ ଶୀର୍ଷକ ଏକ କର୍ମଶାଳା ସ୍ଥାନୀୟ ନୋସି ବିଜନେସ ପାର୍କ ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ କର୍ମଶାଳକୁ ଉଦ୍‌ଘାଟନ କରିଥିଲେ। କେନ୍ଦ୍ର ସରକାରଙ୍କ ଆତ୍ମ ନିର୍ଭର ଭାରତ ଅଭିଯାନ ଯୋଜନାରେ ବାଲେଶ୍ୱର ଜିଲ୍ଲାର ଯୁବଗୋଷ୍ଠୀଙ୍କ ମଧ୍ୟରେ ଶିଳ୍ପାୟନ ତଥା ଉଦ୍ୟୋକୀକରଣ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ଏହି କର୍ମଶାଳା ବେଶ ଉପାଦେୟ ହୋଇପାରିଛି ବୋଲି କହିଥିଲେ। ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଆଶାୟୀ ଯୁବଗୋଷ୍ଠୀ ଏହାର ସୁଯୋଗ ନେବାକୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆହ୍ୱାନ ଦେଇଥିଲେ। ସିପେଟର ମହାନିର୍ଦ୍ଦେଶକ ସଞ୍ଜୟ କୁମାର ନାୟକ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ଯୁବଦ୍ୟୋଗୀମାନଙ୍କ ପାଇଁ ବୈଷୟିକ ଶିକ୍ଷା, ଜ୍ଞାନ କୌଶଳ କ୍ଷେତ୍ରରେ ସହଭାଗିତା, ବୈଷୟିକ ଜ୍ଞାନ କୌଶାଳ ହସ୍ତାନ୍ତରଣ, ଗବେଷଣା ଏବଂ ଉନ୍ନୟନ କ୍ଷେତ୍ରରେ ସିପେଟର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ଓଡିଶା ଶିଳ୍ପ ମହାସଂଘ (ନୋସି)ର ଅଧ୍ୟକ୍ଷ ତଥା ଇମାମୀ ପେପର ମିଲ୍‌ସର ନିର୍ଦ୍ଦେଶକ ସୁଶୀଲ କୁମାର ଖୈତାନ ଓ ଭୁବନେଶ୍ୱର ସିପେଟର ନିର୍ଦ୍ଦେଶକ ପ୍ରମୋଦ କୁମାର ସାହୁ ଏଥିରେ ବିଶେଷ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେଶନରେ କଟକ ଏମଏସଏମଇ ଡେଭେଲୋପମେଂଟ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ଡ. ଏସ.କେ. ସାହୁ, ଭୁବନେଶ୍ୱର ଏନଏସଆଇସି ଜେନେରାଲ ମ୍ୟାନେଜର ପ୍ରଭାସ ଚନ୍ଦ୍ର ନାୟକ, ବାଲେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ସତ୍ୟାନନ୍ଦ ପଟ୍ଟନାୟକ ପ୍ରମୁଖ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ୍ଥାପନରେ ସଂସ୍ଥାମାନଙ୍କ ଭୁମିକା ଓ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ ସଫଳ ଏମଏସଏମଇ ଶଳ୍ପଦ୍ୟୋଗୀ ଏହି ଆଲୋଚନା ଅଂଶଗ୍ରହଣ କରି ନୂତନ ଶିଳ୍ପ ସ୍ଥାପନ ପାଇଁ ସେମାନଙ୍କ ଅଭିଜ୍ଞତା ଓ ଅନୁଭୂତି ସମ୍ପର୍କରେ ମତ ରଖିଥିଲେ। ବାଲେଶ୍ୱର ସିପେଟର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.