Home ଓଡ଼ିଶା ବାଲେଶ୍ୱରରେ ୫ଶହରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ପ୍ରଦାନ : ୩୦ ଦିନ ପରେ ଦିଆଯିବ...

ବାଲେଶ୍ୱରରେ ୫ଶହରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ପ୍ରଦାନ : ୩୦ ଦିନ ପରେ ଦିଆଯିବ ଦ୍ୱିତୀୟ ଡୋଜ୍‌

26

ବାଲେଶ୍ୱର, ୧୬ା୧ (ଓଡ଼ିଆ ପୁଅ/ଅଭୟ ଦାସ): ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ସମଗ୍ର ଦେଶରେ ଶନିବାର ଦିନ କରୋନା ଟିକାକରଣ ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ୫ ଗୋଟି କେନ୍ଦ୍ରରେ ୫ଶହରୁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଥମ ପର୍ଯ୍ୟାୟ ଟିକା ପ୍ରଦାନ କରାଯାଇଛି। ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେବା ସହ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ସ୍ୱରୂପ ଦାସ, ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳସେନ୍ ଜଗଦେବ ଯୋଗଦେଇ ପ୍ରଧାନମନ୍ତ୍ରରୀଙ୍କ ଅଭିଭାଷଣ ଶୁଣିବା ସହ ବାଲେଶ୍ୱରର ଟିକାକରଣ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ଦେଶରେ କୋଭିଡ୍ ଭେକ୍ସିନ୍ ପ୍ରସ୍ତୁତିରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଫଳ ହୋଇପାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ। କରୋନା କବଳରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଭାରତରେ ବିଶ୍ୱର ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଆରମ୍ଭ କରିପାରିଛନ୍ତି। ଏ କ୍ଷେତ୍ରରେ ଭାରତ ହିଁ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଉଛି ଏବଂ ଆଗାମୀ ଦିନରେ ଦେବ ବୋଲି ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ କୋଭିଡ ପରିଚାଳନାରେ ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାକୁ ଆଗରେ ରଖିପାରିଛି। ଟିକାକରଣରେ ମଧ୍ୟ ଆମ ରାଜ୍ୟ ଅନୁରୂପ ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ। ସିଡିଏମଓ ଡାକ୍ତର ଜଗଦେବ ବାଲେଶ୍ୱର ଟିକାକରଣର ସ୍ଥିତି ଓ ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଏହି ଟିକାକରଣ ଆରମ୍ଭ ହୋଇଥିଲା। ଏହି ଅବସରରେ ଟିକା ନେବା ପାଇଁ ଚୟନ ହୋଇଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୋଲାପ ଫୁଲ ଦେଇ ପ୍ରଥମେ ସ୍ୱାଗତ କରାଯାଇଥିଲା। ଏଥି ସହିତ କୋୱିନ ସାଇଡରେ ସେମାନଙ୍କର ପରିଚୟ ସମ୍ପର୍କିତ ତଥ୍ୟ ଜାରି ପରେ ସମସ୍ତଙ୍କୁ ଭେକ୍ସିନେସନ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଟିକାକରଣ ପରବର୍ତ୍ତୀ ସମୟର ସତର୍କତା ଓ ପଦକ୍ଷେପ ସମ୍ପର୍କରେ ସମସ୍ତଙ୍କୁ ସୂଚିତ କରାଯାଇଥିଲା। ପରେ ସମସ୍ତଙ୍କୁ ଟିକା ଦିଆଯାଇଥିଲା। ଟିକା ଦେବା ପରେ ସମସ୍ତଙ୍କୁ ଅଧଘଌକ୍ଷଗ୍ଧ;ାଏ ପର୍ଯ୍ୟନ୍ତ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଅଧଘଣ୍ଟାଏ ପରେ ସମସ୍ତଙ୍କଠାରେ ସୁସ୍ଥତା ପରିଲକ୍ଷିତ ହୋଇଥିବା ବେଳେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସମେତ ୫ ଗୋଟି କେନ୍ଦ୍ରରେ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇନଥିବା ସିଡିଏମଓ ଡାକ୍ତର ଜଗଦେବ ସୂଚନା ଦେଇଛନ୍ତି। ସମସ୍ତଙ୍କୁ ୩୦ ଦିନ ପରେ ଦ୍ୱିତୀୟ ଡୋଜ ଟିକା ଦିଆଯିବ ବୋଲି ସେ କହିଛନ୍ତି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଅର୍ଥାତ ୫୦୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଆଶାକର୍ମୀ, ସଫେଇ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.