Home ଉପ ନିର୍ବାଚନ ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁଫାନୀ ପ୍ରଚାର – ଶାସକ ଦଳର ଅସହିଷ୍ଣୁତା ବିରୋଧରେ ଉଚିତ...

ବାଲେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁଫାନୀ ପ୍ରଚାର – ଶାସକ ଦଳର ଅସହିଷ୍ଣୁତା ବିରୋଧରେ ଉଚିତ ଜବାବ ପାଇଁ ନିବେଦନ

46

ବାଲେଶ୍ୱର, ୨୪ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ଗ୍ୟାସମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆଜି ବାଲେଶ୍ୱର ସଦର ଉପନିର୍ବାଚନର ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ତୁଫାନୀ ପ୍ରଚାର କରିଛନ୍ତି। ସେ ବାଲେଶ୍ୱରରେ ପହଞ୍ଚି ସଦର ନିର୍ବାଚନମଣ୍ଡଳୀର ରୂପସା ଦଲଦଲି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ। ପରବର୍ତ୍ତୀ ସମୟରେ ପ୍ରାର୍ଥୀ ମାନସଙ୍କୁ ନେଇ ସେ କୁରାଡ଼ିଆ ଓ ସାର୍ଥା ପଞ୍ଚାୟତରେ ଆୟୋଜିତ ସଭାରେ ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ତଥାକଥିତ ଜିଲ୍ଲା ବିକାଶ ଧାରାର ବାସ୍ତବତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ଜନତାଙ୍କୁ ଉପେକ୍ଷା କରି ଭାଷଣବାଜିରେ ଚାଲିଥିବା ବିଜେଡି ସରକାରଙ୍କ ଅସଲି ଚେହେରା ସମ୍ପର୍କରେ କହିବା ସହିତ ଗରିବ ଓ ଅବହେଳିତଙ୍କ ପ୍ରକୃତ ବନ୍ଧୁ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ସୁପୁତ୍ର ମାନସ ଦତ୍ତଙ୍କୁ ଅଧିକ ଭୋଟରେ ନିର୍ବାଚିତ କରିବାକୁ ନିବେଦନ କରିଥିଲେ। ଅପରାହ୍ନରେ ବାଲେଶ୍ୱର କ୍ୟାଥୋଲିକ ଚର୍ଚ୍ଚର ଫାଦରଙ୍କଠାରୁ ଆଶୀର୍ବାଦ ନେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କର୍ମୀ ଓ ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରାରେ ପୁରୁଣାବାଲେଶ୍ୱରରେ ପହଞ୍ଚିଥିଲେ। ସେଠାରେ ବାଣେଶ୍ୱର ମହାଦେବଙ୍କୁ ଦର୍ଶନ ପୂର୍ବକ ଜନତା ଜନାର୍ଦ୍ଦନଙ୍କ ଉଦ୍ଦେଶ୍ୟରେ ନିଜର ନିର୍ବାଚନୀ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରତି ନିର୍ବାଚନରେ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରାଇ ଭୋଟ ହାତେଇ ଶାସକ ଦଳ ଶେଷରେ ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ବୋଲି ସେ କହିଥିଲେ। ଦୀର୍ଘ ୨୧ ବର୍ଷ ରାଜ୍ୟ ଶାସନରେ ରହି କ୍ରମଶଃ ସାମନ୍ତବାଦୀ ନୀତିକୁ ଆପଣେଇ ନେଇଥିବା ଏହି ସରକାରଙ୍କର ଗରିବ, ନିଷ୍ପେଷିତ ତଥା ସମାଜର ତଳ ଶ୍ରେଣୀର ଲୋକଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଛି। କର୍ମୀ ତୋଷଣକୁ ଅଧିକ ଗୁରୁତ୍ୱ ଦେଉଥିବା ଏହି ସରକାରଙ୍କ ପାଇଁ ସାଧାରଣ ଲୋକେ ଏବେ ମୂଲ୍ୟହୀନ ହୋଇପଡ଼ିଛନ୍ତି। ଗରିବ ଘରର ପୁଅ ଭାବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଭଳି ଜଣେ ଗରିବ ଘରର ପୁଅ ବାଲେଶ୍ୱରର ବିଧାୟକ ହେବାକୁ ନେଇ ରାଜ୍ୟ ଶାସକ ଦଳ ଅତ୍ୟନ୍ତ ଅସହିଷ୍ଣୁ ହୋଇପଡ଼ିଛି। ଏହି ଅସହିଷ୍ଣୁତାର ପ୍ରତିଫଳନ ସ୍ୱରୂପ ମାନବିକତା ଭୁଲି ରାଜ୍ୟର ମନ୍ତ୍ରୀ ବିବେକଶୂନ୍ୟ ଭାବେ ମଧ୍ୟ ସ୍ୱର୍ଗବାସୀ ବିଧାୟକ ମଦନ ମୋହନ ଦତ୍ତଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଦେଉଛନ୍ତି। ତେବେ ଅତିଗର୍ବ କରି ଧରାକୁ ସରା ମଣୁଥିବା ବିଜେଡି ସରକାରଙ୍କ ବିଚାର ଜନତା ଜନାର୍ଦ୍ଦନ ନିଶ୍ଚିତ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆସନ୍ତା ନିର୍ବାଚନରେ ସ୍ୱର୍ଗତ ଦତ୍ତଙ୍କ ଭଳି ତାଙ୍କ ପୁତ୍ର ମାନସକୁ ବି ଅଧିକ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେଇ ୨୦୧୯ ମସିହାରେ ମଦନ ମୋନ ଦତ୍ତଙ୍କର ଏହି ଆସନରେ ବିଜୟୀ ହେବା ବାଲେଶ୍ୱରବାସୀଙ୍କ ଗର୍ବ ଓ ଗୌରବ ଥିଲା। ଏହି ଗର୍ବକୁ ସହି ନପାରି ତାଙ୍କର ପୁତ୍ରକୁ ଏହି ଉପ-ନିର୍ବାଚନରେ ହରାଇବା ପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳର ମାଳମାଳ ମନ୍ତ୍ରୀ ୪୦ରୁ ଅଧିକ ବିଧାୟକ ଓ ନେତା କର୍ମୀ ଏବେ ବାଲେଶ୍ୱରରେ ଡେରା ପକାଇଛନ୍ତି। ତେବେ ବାଲେଶ୍ୱରବାସୀ ଏହାର ଜବାବ ଦେବାକୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ନିବେଦନ କରିଛନ୍ତି। ବିଜେପି ପ୍ରାର୍ଥୀ ମାନସ ଏହି ସଭାରେ ଯୋଗଦେଇ ମୃତ୍ୟୁ ପୂର୍ବରୁ ତାଙ୍କ ବାପା ଶ୍ରୀ ଦତ୍ତଙ୍କୁ ଦେଇଥିବା କଥା ନିଶ୍ଚିତ ପାଳନ କରିବେ ବୋଲି କହିଛନ୍ତି। ତେବେ ସ୍ୱର୍ଗବାସର କିଛିଘଣ୍ଟା ପୂର୍ବରୁ ତାଙ୍କ ପରେ ଏ ପରିବାର କେମିତି ଚଳିବ ବୋଲି ତାଙ୍କ ମାଆ ପଚାରିଥିବା ପ୍ରଶ୍ନରେ ବାପା ଶ୍ରୀ ଦତ୍ତ ଦେଇଥିବା ଉତ୍ତର ‘ଲୋକେ ବୁଝିବେ’କୁ ସେ ଆଜି ଅଙ୍ଗ ଅଙ୍ଗ ଅନୁଭବ କରୁଛନ୍ତି ବୋଲି ମାନସ ଏହି ସଭାରେ ପ୍ରକାଶ କରିଥିଲେ। ୨୦୧୯ ମସିହାରେ ବାପାଙ୍କୁ ଯେଭଳି ସମର୍ଥନ ଦେଇ ବିଧାନସଭାକୁ ପଠାଇଥିଲେ ଏହି ଉପ-ନିର୍ବାଚନରେ ତାଙ୍କୁ ମଧ୍ୟ ଅନୁରୂପ ସମର୍ଥନ ଦେବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ। ବିଜେପି ନଗର ସଭାପତି ଚିତ୍ତରଂଜନ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଭାପତି ମଦନ ମୋନ ଦତ୍ତ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.