Home Coronavirus Outbreak ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦ – ଜିଲ୍ଲାକୁ ଆସିଲେଣି ୪୦ ହଜାରରୁ ଅଧିକ ପ୍ରବାସୀ

ବାଲେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୦ – ଜିଲ୍ଲାକୁ ଆସିଲେଣି ୪୦ ହଜାରରୁ ଅଧିକ ପ୍ରବାସୀ

158

ବାଲେଶ୍ୱର, ୭ା୬ (ଓଡ଼ିଆ ପୁଅ/ଅଭୟ ଦାସ): ଦିନଦକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅଦ୍ୟାବଧି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଥିବା ବେଳେ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ଏକ୍ଟିଭ୍ ୯୫୨୧ ଜଣଙ୍କୁ ଚିକିତ୍ସା କରାଯାଉଛି। ଅନୁରୂପ ଭାବେ ଗତକାଲି ୧୧ ଜଣ ପଜିଟିଭ୍ ଚିହ୍ନଟ ପରେ ବାଲେଶ୍ୱର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୯୦ରେ ପହଞ୍ଚିଥିବା ବେଳେ ଅଦ୍ୟାବଧି ୧୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଏକ୍ଟିଭ୍ ୪୫ ଜଣଙ୍କୁ କୋଭିଡ୍ ହସପଟାଲରେ ଚିକିତ୍ସା କରାଯାଉଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦୀର୍ଘ ୭୦ ଦିନ ଲକ୍ ଡାଉନ୍ ପରେ ଏବେ ଯଦିଚଃ କଟକଣା କୋହଳ କରାଯାଇଛି, ତେବେ ବାଲେଶ୍ୱର ସମେତ ୧୧ ଗୋଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ସଟ୍ ଡାଉନ୍ ଲାଗୁ ହୋଇଛି। ଏହା ସତ୍ତ୍ୱେ ବି ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ଅଞ୍ଚଳକୁ ଫେରାଇ ଆଣିବା ପ୍ରକ୍ର୍ରି୍ରୟା ଜାରି ରହିଥିବା ବେଳେ ପ୍ରତିଦିନ ହଜାର ହଜାର ଓଡ଼ିଆ ଶ୍ରମିକ ଏବେ ଜିଲ୍ଲାକୁ ଆସୁଛନ୍ତି। ବାହାର ରାଜ୍ୟରୁ ବାଲେଶ୍ୱରକୁ ଅଦ୍ୟାବଧି ୪୦ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଆସିଥିବା ବେଳେ ପ୍ରତିଦିନ ବସ୍ ଓ ଟ୍ରେନ୍‌ରେ ଶ୍ରମିକଙ୍କ ଆଗମନ ଜାରି ରହିଛି। ଆସନ୍ତା ୧୫ ଦିନ ମଧ୍ୟରେ ବାଲେଶ୍ୱରକୁ ଲକ୍ଷାଧିକ ପ୍ରବାସୀ ଆସିବା ନେଇ ଅନୁମାନ କରାଯାଇଛି। ତେବେ ବାହାର ରାଜ୍ୟରୁ ପ୍ରବାସୀଙ୍କ ଆଗମନ ସାଙ୍ଗକୁ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିବା ନେଇ ଆଶଙ୍କା ଦେଖାଦେଇଛି। ତେବେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ମାତ୍ର ୭ ଦିନ କ୍ୱାରେଣ୍ଟାଇନ୍‌ରେ ରଖି ପ୍ରଶାସନ ସେମାନଙ୍କୁ ଘରକୁ ପଠାଇଦେବାକୁ ନେଇ ଉଠିଛି ପ୍ରଶ୍ନବାଚୀ। ଆଉ ୭ ଦିନ ହୋମ୍ ଆଇସୋଲେସନରେ ରହିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଉଛି। ତେବେ ଅଧିକାଂଶ କରୋନା ରୋଗୀଙ୍କଠାରେ ଲକ୍ଷଣ ଦେଖାଯାଉ ନଥିବା ବେଳେ ବହିରାଗତ ସମସ୍ତ ପ୍ରବାସୀଙ୍କର ସ୍ୱାବ ପରୀକ୍ଷା ବି ହେଉ ନାହିଁ। ଏଭଳି ସ୍ଥିତିରେ କାହା ଶରୀରରେ କରୋନା ଭୂତାଣୁ ଅଛି ତାହାକୁ ଚିହ୍ନଟ କରିବା ମଧ୍ୟ ଆଉ ଏକ ସମସ୍ୟା ହୋଇଛି। ଏମିତି ବ୍ୟବସ୍ଥା ଜାରି ରହିଲେ ଆଗାମୀ ଦିନରେ ବାଲେଶ୍ୱରରେ କରୋନା ସଂକ୍ରମଣ ଆଶାତୀତ ବୃଦ୍ଧି ପାଇବା ନେଇ ବିଭିନ୍ନ ମହଲରୁ ଆଶଙ୍କା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.