Home Coronavirus Outbreak ବାଲେଶ୍ୱରରେ ଅନଲକ୍‌-୨ର ପ୍ରଥମ ସପ୍ତାହ ଅନ୍ତ ସଟ୍ ଡାଉନ୍‌

ବାଲେଶ୍ୱରରେ ଅନଲକ୍‌-୨ର ପ୍ରଥମ ସପ୍ତାହ ଅନ୍ତ ସଟ୍ ଡାଉନ୍‌

139

ବାଲେଶ୍ୱର, ୪ା୭ (ଓଡ଼ିଆ ପୁଅ/ଅଭୟ ଦାସ): କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ପ୍ରଥମେ ୪ ଗୋଟି ପର୍ଯ୍ୟାୟରେ ଲକ୍ ଡାଉନ୍ ଓ ଅନ୍‌ଲକ୍‌-୧ପରେ ଚଳିତ ଜୁଲାଇ ମାସ ପହିଲାରୁ ଆରମ୍ଭ ହୋଇଛି ଅନଲକ୍‌-୨। ତେବେ ଅନଲକ୍‌-୧ ତୁଳନାରେ ଅନଲକ୍‌-୨ରେ କେନ୍ଦ୍ର ସରକାର କଟକଣା କିଛି କୋହଳ କରିଥିବା ବେଳେ ଓଡ଼ିଶାରେ ବାଲେଶ୍ୱର ସମେତ୧୦ଟି କରୋନା ପ୍ରବଣ ଜିଲ୍ଲାରେ ପୂର୍ବପରି ସପ୍ତାହ ଅନ୍ତ ଦୁଇଦିନିଆ ସଟ୍ ଡାଉନ୍ ବଳବତ୍ତର ରହିଛି। ଆଜି ଥିଲା ଅନଲକ୍‌-୨ ସପ୍ତାହ ଅନ୍ତ ସଟ ଡାଉନର ପ୍ରଥମ ଦିନ। କରୋନା ସଂକ୍ରମଣ ବଢ଼ି ଚାଲିଥିବା ବାଲେଶ୍ୱରରେ ଏହି ସଟ୍ ଡାଉନର ପ୍ରଭାବ ବେଶ ପରିଲକ୍ଷିତ ହୋଇଥିଲା। ସହର ସମେତ ଜିଲ୍ଲାର ଜନସାଧାରଣ ଏହି ସଟ୍ ଡାଉନ୍ ନିୟମକୁ ବେଶ୍ ଗୁରୁତ୍ୱର ସହ ପାଳନ କରିଛନ୍ତି। ସକାଳଠାରୁ ବାଲେଶ୍ୱର ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାବାସୀ ସରକାରଙ୍କ ନିୟମକୁ ମାନି ସଟ୍ ଡାଉନ୍ ପାଳନ କରିଥିବା ପରିଲକ୍ଷିତ କରିଛନ୍ତି। ସମସ୍ତେ ଘରେ ରହିବା ସହ ଅତି ଆବଶ୍ୟକ ନ ପଡ଼ିଲେ ବା ମେଡିକାଲକୁ ଯିବା ଭଳି ଜରୁରୀ ସ୍ଥିତିରେ କାଁ ଭାଁ ଲୋକେ ଘରୁ ବାହାରୁ ଥିଲେ ବି ତାହା ପୁଣି ପ୍ରଶାସନର ଅନୁମତି ନେଉଛନ୍ତି। ସେହିଭଳି ଏହି ଦୁଇଦିନିଆ ସଟ୍ ଡାଉନ୍‌ର ସଫଳତା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ବାଲେଶ୍ୱର ସହର ସମେତ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ସହ ପୁଲିସ ପକ୍ଷରୁ କଡ଼ା ପହରା ଓ ଯାଞ୍ଚ ବ୍ୟବସ୍ଥା ଜାରି ରହିଛି। ଅନୁରୂପ ଭାବେ ସହରର ବିଭିନ୍ନ ଛକରେ ଦଳ ଦଳ ପୁଲିସ କର୍ମଚାରୀ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ସଟ୍ ଡାଉନ୍‌ରେ ଘରୁ ବାହାରିବାର କାରଣ ପଚାରିଛନ୍ତି। ଆବଶ୍ୟକ ପଡ଼ିଲେ ଯାଞ୍ଚ ବି କରୁଛନ୍ତି। ଅନ୍ୟ ପକ୍ଷରେ ଏକାଧିକ ପୁଲିସ ପାଟ୍ରୋଲିଂ ଗାଡ଼ି ସହରରେ ପଇଁତିରା ମାରିବା ସହିତ ସଟ୍ ଡାଉନ୍‌ର ସ୍ଥିତି ଅନୁଧ୍ୟାନ କରୁଛି ବୋଲି ସିଟି ଡିଏସପି ମନୋଜ ରାଉତ ସୂଚନା ଦେଇଛନ୍ତି। ବିନାକାରଣରେ ରାସ୍ତାକୁ ବାହାରୁଥିବା କେତେକ ଅମାନିଆଙ୍କୁ ଧରପଗଡ଼ ସହ କିଛି ସମୟ ପାଇଁ ଅଟକ ରଖାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିଭଳି ପଦସ୍ଥ ପୁଲିସ ଅଧିକାରୀମାନେ ମଧ୍ୟ ସହରର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ସଟ ଡାଉନ୍ କାର୍ଯ୍ୟକାରିତା ଉପରେ ନଜର ରଖୁଛନ୍ତି। କେବଳ ବାଲେଶ୍ୱର ସହର ନୁହେଁ, ବରଂ ସହର ପାଖାପାଖି ଅଞ୍ଚଳରେ ମଧ୍ୟ ସଟ ଡାଉନ୍‌କୁ କଡ଼ାକଡ଼ି ପାଳନ କରାଯାଉଥିବା ନେଇ ଶିଳ୍ପାଞ୍ଚଳ ଥାନାଧିକାରୀ ପରେଶ ରାଉତ ସୂଚନା ଦେଇଛନ୍ତି। କେବଳ ମେଡିକାଲ ଭଳି ଜରୁରୀ ସେବା ବ୍ୟତୀତ କେହି ବି ଘରୁ ବାହାରୁ ନଥିବା ପାଟ୍ରୋଲିଂ ସମୟରେ ପୁଲିସ ଲକ୍ଷ୍ୟ କରିଥିବା ସେ କହିଛନ୍ତି। ମୋଟ୍ ଉପରେ ସଚେତନ ଜିଲ୍ଲାବାସୀଙ୍କ ସହଯୋଗରୁ ବାଲେଶ୍ୱରରେ ଅନଲକ୍‌-୨ ର ପ୍ରଥମ ଦିନ ସଟ୍ ଡାଉନ୍ ନିୟମ ବାଲେଶ୍ୱରରେ ବେଶ ପ୍ରତିଫଳିତ ହୋଇଥିବା ଲକ୍ଷ୍ୟ କରାଯାଇଛି। ତେବେ ଜିଲ୍ଲାରେ କରୋନାର କାୟା ବିସ୍ତାର ରୋକିବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ସାଙ୍ଗକୁ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.