Home ଉପ ନିର୍ବାଚନ ବାଲେଶ୍ୱରଠାରେ ଶାସକଳର ମନ୍ତ୍ରୀ ନିର୍ବାଚନ ଆଚରଣ ବିଧିଉଲ୍ଲଘଂନ କରିବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା...

ବାଲେଶ୍ୱରଠାରେ ଶାସକଳର ମନ୍ତ୍ରୀ ନିର୍ବାଚନ ଆଚରଣ ବିଧିଉଲ୍ଲଘଂନ କରିବା ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

59

ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ପ୍ରଲୋଭିତ କରୁଛନ୍ତି ଶାସକ ଦଳର ମନ୍ତ୍ରୀ : ବିଜେପି

ଭୁବନେଶ୍ୱର, ୨୧/୧୦(ଓଡ଼ିଆ ପୁଅ): ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଛି। ଦୀର୍ଘ ୨୦ ବର୍ଷ ଶାସନରେ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ପାରୁନଥିବା ଶାସକ ଦଳ ଏବେ ନିର୍ବାଚନ ବୈତରଣୀ ପାର ହେବା ଲାଗି ବିଭିନ୍ନ ପନ୍ଥା ଆପଣାଉଛି। ଉପନିର୍ବାଚନ ଜିତିବା ପାଇଁ ସରକାରୀ କଳକୁ ଖୋଦ୍ ଶାସକ ଦଳର ମନ୍ତ୍ରୀ ମାନେ ଅପବ୍ୟବହାର କରୁଛନ୍ତି। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରିଚାଲିଛନ୍ତି। ବିଭିନ୍ନ ସରକାରୀ ସୁବିଧା ଯୋଗାଇଦେବା ଓ ଅର୍ଥ ଲୋଭ ଦେଖାଇ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଖୁଲମଖୁଲା ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି ଶାସକ ବିଜେଡି। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ପ୍ରସଙ୍ଗରେ ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବାଲେଶ୍ୱର ଉପନିର୍ବାଚନରେ ଭୋଟ ପାଇବା ଲକ୍ଷ୍ୟ ନେଇ ବିଜେଡି ସରକାରୀ କଳ ଲଗାଇ ରାସ୍ତା କାମ, ନଳକୂପ ଖନନ କରିବା ସହ ନେସ୍କୋ ସହାୟତାରେ ନୂଆ ବିଦ୍ୟୁତ ଖୁଂଟି ପକାଇ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ଚଲାଇଛି। ନିର୍ବାଚନ ପ୍ରଚାର ସମୟରେ ଅକ୍ଟୋବର ୧୮ ତାରିଖରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଦର ନିର୍ବାଚନ ମଣ୍ଡଳୀ ପାରିଖି ପଂଚାୟତରେ ବିଦ୍ୟୁତ ସଂଯୋଗୀ କରଣ କରିବା, ଟ୍ରାନ୍ସଫରମର ନୂଆ ଲଗାଇବା ଏବଂ ୩ ଫେଜ୍ ଲାଇନ ଟଣାଯିବା ନେଇ ଭୋଟରଙ୍କୁ ପ୍ରତିଶୃତି ଦେଇଥିଲେ। ମନ୍ତ୍ରୀଙ୍କ ପ୍ରତିଶୃତିର ଠିକ୍ ଦିନକ ପରେ ବିନା ଟେଣ୍ଡରରେ ନେସ୍କୋ ପକ୍ଷରୁ ବିଦ୍ୟୁତ ଖୁଂଟି ଏକ ଗାଡିରେ ଅଣାଯାଇ ଗତକାଲି ବଡଡିହ ରାସ୍ତା କଡରେ ଥିବା ପୂର୍ବତନ ସରପଂଚ ସୁନିଲ ସେଠୀଙ୍କ ଘର ଆଗରେ ରଖାଯାଇଛି। ଗତ ଦୁଇ ଦିନ ତଳେ ନେସ୍କୋ ଦ୍ୱାରା ନୂଆ ଟ୍ରାନ୍ସଫରମର ଲଗାଇ ଶ୍ରୀରାମପୁର ପଂଚାୟତକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ଶକ୍ତିମନ୍ତ୍ରୀ ଏବଂ ନେସ୍କୋ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେବା ସହ କାରଣ ଦର୍ଶାଅ ନୋଟିସ ପଠାଇବାକୁ ପ୍ରତିନିଧୀ ଦଳ ଦାବି କରିଛି।

ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଜେଡି ବିଧାୟକ ପ୍ରାର୍ଥୀ ସ୍ୱରୂପ ଦାସ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରିବା ସମୟରେ ଭୋଟରଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରି ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିଛନ୍ତି। ଭୋଟରଙ୍କ ପାଇଁ ସରକାର ଯଦି କିଛିି ସୁବିଧା ଯୋଗାଇ ଦେବେନି ତେବେ ସେ ନିଜେ ସବୁ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଭୋଟରଙ୍କୁ କହୁଛନ୍ତି। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସମୟରେ ଶାସକ ଦଳର ମନ୍ତ୍ରୀ ଭୋଟରଙ୍କୁ ଅର୍ଥ ବାଂଟିବା, ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରେଇବା ପାଇଁ କହି ପ୍ରଲୋଭନ ଦେଖାଇବା ହେଉଛି ଏକ ଅପରାଧିକ ମାମଲା। ପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ବି ଶାସକ ଦଳର ନେତାମାନେ ଭୋଟରମାନଙ୍କୁ ଟଙ୍କା ବାଂଟି ନିର୍ବାଚନକୁ ନିଜ ସପକ୍ଷକୁ ଆଣିଥିଲେ। ଏବେ ପୁଣିଥରେ ବାଲେଶ୍ୱରରେ ଶାସକ ଦଳର ମନ୍ତ୍ରୀ ସମାନ ପନ୍ଥା ଆପଣାଇ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ଅପରପଟେ ପ୍ରଚାର ସମୟରେ ଖୋଦ୍ ମନ୍ତ୍ରୀ କୋଭିଡ ଗାଇଡଲାଇନକୁ ବି ଉଲ୍ଲଘଂନ କରି ଚାଲିଛନ୍ତିି ବୋଲି ବିଭିନ୍ନ ଫଟୋ ଓ ଭିଡିଓରେ ଦୃଶ୍ୟମାନ ହୋଇଛି।

ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ବାନେଶ୍ୱରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିନିଧୀ ଦଳ ଦାବି କରିଛି। ଏହି ସମସ୍ତ ବେଆଇନ କାର୍ଯ୍ୟର ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରି ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.