Home ଜିଲ୍ଲା ପରିକ୍ରମା ବାଲିମୁଣ୍ଡାରେ ପ୍ରସ୍ତାବିତ ଆଦାନୀ ଏୟାରଷ୍ଟ୍ରିପ୍‌କୁ ବିରୋଧ, ଓଡ଼ିଶା କୃଷକ ସଭା ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର

ବାଲିମୁଣ୍ଡାରେ ପ୍ରସ୍ତାବିତ ଆଦାନୀ ଏୟାରଷ୍ଟ୍ରିପ୍‌କୁ ବିରୋଧ, ଓଡ଼ିଶା କୃଷକ ସଭା ପକ୍ଷରୁ ବିକ୍ଷୋଭ ଓ ଦାବୀପତ୍ର

69

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରାୟ ୨ ମାସ ତଳେ ବାଲିମୁଣ୍ଡାରେ ଗୌତମ ଆଦାନୀ କଂପାନୀକୁ ଏୟାରଷ୍ଟ୍ରିପ୍ ନିର୍ମାଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୬୩ ଏକର ଜମି କାଗଜପତ୍ରରେ ହସ୍ତାନ୍ତର କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଶହ ଶହ ବର୍ଷ ଧରି ସେଠାରେ ଚାଷବାସ କରୁଥିବା କୌଣସି ଲୋକଙ୍କୁ ରାଜ୍ୟ ସରକାର କ୍ଷତିପୂରଣ ରାଶି ପ୍ରଦାନ କରିନାହାଁନ୍ତି। ସରକାରୀ ଜମି ଦର୍ଶାଇ ବଳପୂର୍ବକ ପୁଲିସ୍ ଲଗାଇ ପ୍ରଶାସନ ସେମାନଙ୍କୁ ଘଉଡାଇ ଦେବାକୁ ଚକ୍ରାନ୍ତ କରୁଥିବାବେଳେ ପୁଣି ଏୟାରଷ୍ଟ୍ରିପ୍ ପାଇଁ ୨୨୫ ଏକର ଜମି ଦେବାପାଇଁ ଗୌତମ ଆଦାନୀ ଏବଂ କଂପାନୀକୁ ଜିଲା ପ୍ରଶାସନ ପକ୍ଷରୁ ଆଲୋଚନା ହୋଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଯାହାକୁ ବିରୋଧ କରି ଆଜି ଓଡ଼ିଶା କୃଷକ ସଭା ଭଦ୍ରକ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲିଖିତ ତଥ୍ୟ ଅନୁସାରେ ଗତ ୨୨ ବର୍ଷ ଧରି ଧାମରା ବାଣିଜ୍ୟିକ ବନ୍ଦର ପ୍ରତିଷ୍ଠା ହୋଇଥିଲେ ହେଁ ଭଦ୍ରକ ଜିଲାର ଯୁବକ/ଯୁବତୀମାନଙ୍କୁ ସ୍ଥାୟୀ ଚାକିରୀ ମିଳୁନାହିଁ।

ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚାଲିବା ପାଇଁ ବନ୍ଦର ପ୍ରତିଷ୍ଠା ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ହେଁ ଏପର୍ଯ୍ୟନ୍ତ ତାହା ଅଧୁରା ହୋଇଛି। ଭଦ୍ରକ-ଧାମରା ରେଳପଥ ପାଇଁ ପାଖାପାଖି ୫ ଶହ ଏକର ଜମି ସାଧାରଣ ଲୋକେ ଦେଇଥିଲେ ହେଁ ଏପର୍ଯ୍ୟନ୍ତ ଲୋକଙ୍କ କୌଣସି କାର୍ଯ୍ୟରେ ରେଳପଥ ଲାଗିଲା ନାହିଁ। ଏହି ରେଳପଥରେ ସରକାରୀ ଯାତ୍ରୀବାହୀ ଟ୍ରେନ୍ ଚାଲିବା, ବାଲିମୁଣ୍ଡାରେ ପ୍ରସ୍ତାବିତ ଆଦାନୀ ଏୟାରଷ୍ଟ୍ରିପ୍‌କୁ କୌଣସି ଜମି ହସ୍ତାନ୍ତର ନକରିବା, ବେଆଇନ୍ ଭାବେ ଆଦାନୀ ବ୍ୟବହାର କରୁଥିବା ପ୍ରାୟ ୪୫୦୦ ଏକର ଚାଷ ଓ ସମୁଦ୍ର ବେଳାଭୂମି ଜମି ସଂକ୍ରାନ୍ତରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା, ଆଇନ୍ ଅନୁଯାୟୀ ପାରିପାର୍ଶ୍ୱିକ ବିକାଶ କରୁନଥିବା ଆଦାନୀ କଂପାନୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୁପାରିଶ କରାଯିବା ପାଇଁ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଧାରଣା, ଅନଶନ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ବାଳିମୁଣ୍ଡାରେ ଚାଷୀମାନଙ୍କୁ ନେଇ ଏକ ବିଶାଳ ଆନ୍ଦୋଳନ ଅନୁଷ୍ଠିତ ହେବ ବୋଲି ଓଡ଼ିଶା କୃଷକ ସଭାର ନେତୃବୃନ୍ଦ ଚେତାବନୀ ଦେଇଛନ୍ତି। ଏ ବିକ୍ଷୋଭ ପ୍ରତିନିଧି ଦଳରେ ଓଡ଼ିଶା କୃଷକ ସଭାର ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ସଂପାଦକ ପ୍ରଭାସ ମହାପାତ୍ର, ଯୁଗ୍ମ ସଂପାଦକ ବିକାଶ ନାଥ, ଚାଷୀନେତା ବାମଦେବ ମିଶ୍ର, କାଳନ୍ଦୀ ପାତ୍ର, ବିଷ୍ଣୁ ଦାଶ, ମଳୟ ଭୋଇ, ଯୁବନେତା ପ୍ରତାପ ସେଠୀ, ଛାତ୍ରନେତା ଷ୍ଟାଲିନ୍ ଟିଟନ ଲେଙ୍କା, ମହିଳା ନେତ୍ରୀ ରଜନୀ ରାଉଳ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.