Home ଓଡ଼ିଶା ବାଲିଆପାଳ ପେଟ୍ରୋ କେମିକାଲ୍ସ ଶିଳ୍ପ ପ୍ରତିଷ୍ଠା ପ୍ରସଙ୍ଗ: -ଔଷଧ ରାଗରେ ତାଟିଆ କାମୁଡ଼ା ଛାଡ଼ନ୍ତୁ ସରକାର...

ବାଲିଆପାଳ ପେଟ୍ରୋ କେମିକାଲ୍ସ ଶିଳ୍ପ ପ୍ରତିଷ୍ଠା ପ୍ରସଙ୍ଗ: -ଔଷଧ ରାଗରେ ତାଟିଆ କାମୁଡ଼ା ଛାଡ଼ନ୍ତୁ ସରକାର -ବନ୍ଦ ପଡ଼ିଥିବା ଶିଳ୍ପ ସଂସ୍ଥାକୁ ଆଗ କାର୍ଯ୍ୟକ୍ଷମ କରନ୍ତୁ

142

ବାଲେଶ୍ୱର, ୧୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ବାଲିଆପାଳରେ ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାକୁ ବିରୋଧ ସହ ଭିଟାମାଟି ପାଇଁ ଆନ୍ଦୋଳନ କରୁଥିବା ଜନଗଣଙ୍କ ଉପରେ ପ୍ରଶାସନର ମିଥ୍ୟା ମୋକଦ୍ଦମା ରୁଜୁକୁ ନେଇ ଉପକୂଳ ଭିଟାମାଟି ସୁରକ୍ଷା କମିଟି ସମେତ ଜିଲ୍ଲାର ଶ୍ରମିକ ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକନେତା ଜୟନ୍ତ ଦାସ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଆଡ଼ଭୋକେଟ୍ ମନୋଜ ନାୟକ, ଶିଶିର ହୁଇ, ଭାଗବତ ପ୍ରତିହାରୀ, ଉପକୂଳ ଭିଟାମାଟି ସୁରକ୍ଷା କମିଟିର ଅନୁଜ ମହାପାତ୍ର, ମୃତ୍ୟୁଞ୍ଜୟ ରାଉତ, ସୁଧାକର ଦାସ ଓ ଶ୍ରବଣ ମଣ୍ଡଳ ପ୍ରମୁଖ ଯୋଗ ଦେଇ ପ୍ରଶାସନର ଦମନ ନୀତିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଶିଳ୍ପାୟନ ଓ ବ୍ୟାପକ କର୍ମନିଯୁକ୍ତି ନାମରେ ସୁବର୍ଣ୍ଣରେଖା ନଦୀ ମୁହାଣଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୨୦କି-ମି- ଭିତରେ ଚୌମୁଖ, ଡଗରା, ବେତଗଡ଼ିଆ, ଅଳାଡିହା, ନୂଆଗାଁ ଓ ଜମ୍ଭିରାଇ ଗ୍ରାମ ପଞ୍ଚାୟତର ଘନ ଜନବସତି ସାଙ୍ଗକୁ ବର୍ଷସାରା ପାନ, ନଡ଼ିଆ, ଗୁଆ, କାଜୁ, ସପେତା, ପିଜୁଳି, କଦଳୀ, ଦେଶୀ କାଙ୍କଡ଼, କଲରା, ଚିନିଆଳୁ, ମାଟିଆଳୁ, ଧାନ ଓ ଝୋଟର ବହୁଫସଲି ଉତ୍ପାଦନ ହେଉଥିବା ଜମିକୁ ଅତିସ୍ୱଳ୍ପ ମୂଲ୍ୟରେ ଇଡ୍‌କୋ ଅଧିଗ୍ରହଣ ପାଇଁ ଉଦ୍ୟମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ଏକର ପ୍ରତି ବାର୍ଷିକ ଆୟ ହାରାହାରି ଅନ୍ୟୁନ୍ୟ ୭ଲକ୍ଷ ୫୦ ହଜାର ଟଙ୍କା ରୋଜଗାର ସହ ପାନ ରପ୍ତାନୀରୁ ବୈଦେଶିକ ମୁଦ୍ରା ଆୟ ହୋଇଥାଏ। ଏଥିସହ ବିସ୍ତୃତ ଝାଉଁବଣ, ଡଗରାର ବିଶ୍ୱପ୍ରସିଦ୍ଧ ଡଗରା ଉପକୂଳ ବେଳାଭୂମିରେ ବିରଳ ପ୍ରଜାତିର ନାଲି କଙ୍କଡ଼ା, ନୀଳରକ୍ତ କଙ୍କଡ଼ା, ସାମୁଦ୍ରିକ ମାଛ ଆମଦାନୀରେ ସମୃଦ୍ଧ ଏହି ଅଞ୍ଚଳ। ଏଭଳି ପ୍ରାକୃତିକ ସବୁଜିମା ଓ ଜୈବ ବିବିଧତାର ଗନ୍ତାଘର ବାଲିଆପାଳର ପ୍ରାକୃତିକ ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଅଦ୍ୱିତୀୟ ଭୂମିକା ଗ୍ରହଣ କରିଥାଏ। ମାତ୍ର ଆତ୍ମନିର୍ଭରଶୀଳ ଓ ଲାଭଦାୟକ କୃଷି ଅର୍ଥନୀତିକୁ ଧ୍ୱଂସକରି, ଗୁରୁତର ପ୍ରଦୂଷଣ ସୃଷ୍ଟିକାରୀ ପେଟ୍ରୋ କେମିକାଲ୍ ଶିଳ୍ପ ପ୍ରତିଷ୍ଠା ଆଳରେ ସମୁଦ୍ର କୂଳରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଘରୋଇ ପୁଞ୍ଜିପତିଙ୍କ ପାଦତଳେ ସମର୍ପଣ କରି ଲକ୍ଷାଧିକ ଲୋକଙ୍କ ଜୀବନ ଓ ଜୀବିକାକୁ ସର୍ବନାଶ କରିବାପାଇଁ ଷଡ଼ଯନ୍ତ୍ର କରାଯାଇଛି ବୋଲି ଶ୍ରମିକ ନେତାମାନେ ଆରୋପ କରିଥିଲେ। ଏଠାରେ ବିନିଯୋଗ ହେବାକୁ ଥିବା ପୁଞ୍ଜିଠାରୁ ଅଧିକ ମୂଲ୍ୟର ପାରାଦୀପ ପେଟ୍ରୋଲିୟମ୍ ରିଫାଇନାରୀରେ ପ୍ରତ୍ୟକ୍ଷ ନିଯୁକ୍ତି ୨ ହଜାର ଭିତରେ ସୀମିତ ଥିବାବେଳେ ପରୋକ୍ଷ ନିଯୁକ୍ତି ୭ ହଜାର ଭିତରେ ସୀମିତ ଅଟେ। ମାତ୍ର ସରକାର ଓ କ୍ଷମତାସୀନ ନେତାମାନେ ଏଠାରେ ଲକ୍ଷଲକ୍ଷ କର୍ମନିଯୁକ୍ତିର ସୁଯୋଗ ସମ୍ପର୍କରେ ଦିବାସ୍ୱପ୍ନ ଦେଖାଉଛନ୍ତି। ଏହିଭଳି ଧାମରା ବନ୍ଦରରେ ଲକ୍ଷଲକ୍ଷ କର୍ମନିଯୁକ୍ତି ବିଷୟ ପ୍ରଚାର କରାଯାଉଥିଲା, ମାତ୍ର ଧାମରା ବନ୍ଦରରେ ପ୍ରତ୍ୟକ୍ଷ ନିଯୁକ୍ତି ୪ଶହ ମଧ୍ୟରେ ସୀମିତ ଥିବାବେଳେ ପରୋକ୍ଷ ନିଯୁକ୍ତି ୨ ହଜାର ମଧ୍ୟରେ ସୀମିତ ଅଟେ। ଅତଏବେ ଏଭଳି ସ୍ଥିତିରେ ଜିମି ଅଧିଗ୍ରହଣକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ଉପରେ କରୋନା ନିୟମ ଉଲ୍ଲଂଘନ ନାମରେ ପ୍ରଶାସନ ମିଥ୍ୟା ମକଦମା କରୁଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଜନଶୁଣାଣି ନାମରେ ଇଡକୋ ଗତ ତା ୦୯-୦୬-୨୦୨୦ରିଖ ଓ ତା ୧୨-୦୬-୨୦୨୦ ରିଖରେ କରୋନା ନିୟମ ଉଲ୍ଲଂଘନ କରିଥିଲେ ବି ତା’ ପ୍ରତି ପ୍ରଶାସନ ସମ୍ବେଦନା ରହିବା କେଉଁ ଆଇନ୍‌ର ଅନ୍ତର୍ଭୁକ୍ତ ବୋଲି ଶ୍ରମିକ ନେତାମାନେ ପ୍ରଶ୍ନ କରିଛନ୍ତି। ସେହିଭଳି ବାଲିଆପାଳର ଗୋପୀନାଥ ସୂତାକଳ ଭଳି ଜିଲ୍ଲାର ବହୁ ଶିଳ୍ପାନୁଷ୍ଠାନ ବନ୍ଦ ପଡ଼ିଥିବା ବେଳେ ତା’ର ପୁନରୁଦ୍ଧାର ପାଇଁ ସରକାରଙ୍କର ଚିନ୍ତା ନାହିଁ। ଓଡ଼ିଶାର ଶିଳ୍ପାୟନ ନାମରେ ଖଣିଜ ପଦାଥର୍କ ଲୁଣ୍ଠନ ଚାଲିଛି। ତେଣୁ ସ୍ୱର୍ଣ୍ଣପ୍ରସୂ ବାଲିଆପାଳର ଆତ୍ମନିର୍ଭରଶୀଳ ଜନଗଣଙ୍କୁ ଭିଟାମାଟିରୁ ଉଚ୍ଛେଦ ନ କରି ଜନବସତି ନଥିବା ଅଞ୍ଚଳରେ ଶିଳ୍ପାୟନ ପାଇଁ ସରକାର ଯତ୍ନବାନ ହୁଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରମିକନେତାମାନେ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଅନ୍ୟତା ଏହି ଆନ୍ଦୋଳନ ଆହୁରି ତୀବ୍ରରୂପ ନେବ ବୋଲି ସେମାନେ ଚେତାବନୀ ଦେଇଚନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.