Home ଓଡ଼ିଶା ବାରିପଦା ପୌରପରିଷଦରେ ନିର୍ମାଣ ହେବ ଫ୍ଲାୟ ଓଭାର ବ୍ରିଜ

ବାରିପଦା ପୌରପରିଷଦରେ ନିର୍ମାଣ ହେବ ଫ୍ଲାୟ ଓଭାର ବ୍ରିଜ

124

– ଦୁଇ ବର୍ଷ ପୂର୍ବେ ରାଜ୍ୟ ସଭା ସାଂସଦ ସରୋଜିନୀ କେନ୍ଦ୍ର ସରକାରଙ୍କ ନିକଟରେ କରିଥିଲେ ଦାବି
– ନିର୍ମାଣ ନିମନ୍ତେ ବୈଷୟିକ ଦଳର ସର୍ବେକ୍ଷଣ ଓ ମାଟି ପରୀକ୍ଷା ଆରମ୍ଭ –

ବାରିପଦା ୨୫/୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ବାରିପଦା ପୌରପରିଷଦରେ ଜନସାଧାରଣଙ୍କ ଗମନାଗମନରେ ସୁବିଧା ଆଣିବା ସହ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ହ୍ରାସ ଓ ରେଳ ଚଳାଚଳ ସମୟରେ ଗାଡ଼ି ମୋଟର ଲମ୍ବା ଧାଡ଼ିରୁ ରକ୍ଷା ପାଇବା ନିମନ୍ତେ ରାଜ୍ୟ ସଭା ସାଂସଦ ସରୋଜିନୀ ହେମ୍ବ୍ରମ ବାରିପଦା ପୌରପରିଷଦର ଷ୍ଟେସନ ବଜାର ଓ ବାଘଡ଼ାରୋଡ଼ସ୍ଥିତ ରେଳ ଲେଭଲ କ୍ରସିଂ ଉପରେ ଦୁଇଟି ଉଡ଼ନ୍ତା ପୋଲ ନିର୍ମାଣ ସହ ୧୧ ଦଫା ଦାବି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ନିକଟରେ ୨୦୧୭ ମାର୍ଚ୍ଚ ୩୦ରେ ଦୁଇ ବର୍ଷ ପୂର୍ବେ ଦାବି ଉପସ୍ଥାପନ କରାଇଥିଲେ। ସାଂସଦ ଶ୍ରମତୀ ହେମ୍ବ୍ରଙ୍କ ଏହି ଦାବି ଆଜି ପୂରଣ ହେବାକୁ ଯାଉଛି। ଖୁବ ଶୀଘ୍ର ଷ୍ଟେସନ ବଜାର ଓ ବାଘଡ଼ାରୋଡ଼ ଉପରେ ଉଡ଼ନ୍ତା ପୋଲ ନିର୍ମାଣ ହେବାକୁ ଯାଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହା ନିର୍ମାଣ ହେବାକୁ ଯାଉଛି। ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ବାଘଡ଼ାରୋଡ଼ର ମନ୍ତ୍ରୀ ଛକ ନିକଟରେ ପ୍ରଥମ ପର୍ଯ୍ୟାୟରେ ବୋରିଂ କରାଯାଇ ମୂର୍ତ୍ତିକା ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି। ଏହା ପୂର୍ବରୁ ଷ୍ଟେସନ ବଜାରଠାରୁ କୃଷ୍ଣଚନ୍ଦ୍ର ଗୋଲେଇ ପର୍ଯ୍ୟନ୍ତ ୧.୮୫୦ କି.ମି ଉଡ଼ନ୍ତା ପୋଲ ନିର୍ମାଣ ନିମନ୍ତେ ଚୁଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରୋଜେକ୍ଟ ଅନୁମୋଦିତ ହୋଇସାରିଥିବା ବେଳେ ବାଘଡ଼ାରୋଡ଼ ପ୍ରଜେକ୍ଟର ବ୍ୟୟ ଅଟକଳ ନିମନ୍ତେ ମଞ୍ଜୁରୀ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇସାରିଛି।

୧୯୪୯ ଜାନୁଆରୀ ପହିଲାରେ ମୟୁରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜତନ୍ତ୍ରର ବିଲୋପ ଘଟି ଗଣତନ୍ତ୍ର ଶାସନ ବ୍ୟବସ୍ଥା ଆରମ୍ଭ ହେବା ସହ ଜାନୁଆରୀ ୨ରୁ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହୋଇଆସୁଛି। ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ମୟୁରଭଞ୍ଜ ଏକ ବିଭବଶାଳୀ ରାଜ୍ୟ ଭାବେ ନାମ ରହିବା ସହ ବିଭିନ୍ନ ରାଜ୍ୟକୁ ମୁକ୍ତ ହସ୍ତରେ ଦାନ ଦେଇ ଆସୁଥିବାର ଦୃଷ୍ଟାନ୍ତ ରହିଛି। କିନ୍ତୁ ପରବର୍ତ୍ତି ସମୟରେ ମୟୁରଭଞ୍ଜ ଜିଲ୍ଲା ଭାବେ ଶାସିତ ହେବା ସମୟରୁ ଏହା ଓଡ଼ିଶା ରାଜ୍ୟର ଏକ ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ତାଲିକାରେ ସାମିଲ ହୋଇଆସୁଛି। ତେବେ କେନ୍ଦ୍ରରେ ପୂର୍ବରୁ ଉପା ସରକାର ଓ ବର୍ତ୍ତମାନର ଏଣଡ଼ିଏ ସରକାରଙ୍କ ଶାସନ ସହ ରାଜ୍ୟ ସରକାର ମୟୁରଭଞ୍ଜ ଜିଲ୍ଲା ପ୍ରତି କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରିଆସୁଥିବାକୁ ନେଇ ବିଭିନ୍ନ ସମୟରେ ଜିଲ୍ଲାରେ ଗଣଆନ୍ଦୋଳନ ହେଉଥିବାର ଦେଖିବାକୁ ମିଳିଥାଏ। ଯଦିଓ ୧୯୦୫ରେ ମହାରାଜା ଶ୍ରୀରାମଚନ୍ଦ୍ର ଗମନାଗମର ସୁବିଧା ନିମନ୍ତେ ନିର୍ମାଣ କରିଥିବା ନେରୋଗଜ ରେଳପଥକୁ ଉପା ସରକାର ଅମଳରେ ବ୍ରଡ଼ଗଜକୁ ରୂପାନ୍ତରିତ ହୋଇପାରିଛି, ମାତ୍ର ଜିଲ୍ଲାବାସୀଙ୍କ ଦାବି ଅନୁସାରେ ମହାରାଜାଙ୍କ ରୁପସା-ବାଙ୍ଗିରିପୋଷି ରେଳପଥକୁ ବାଦାପାହାଡ଼ ଓ ବୁଢ଼ାମରା-ଚାକୁଳିଆ ସମ୍ପ୍ରସାରଣର ଦାବି ପ୍ରତି କେନ୍ଦ୍ର ସରକାର ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.