Home Top News ବାତ୍ୟା ବେଳେ କ’ଣ କରିବେ, କ’ଣ କରିବେନି – କ’ଣ କହୁଛନ୍ତି ସରକାର ଜାଣନ୍ତୁ

ବାତ୍ୟା ବେଳେ କ’ଣ କରିବେ, କ’ଣ କରିବେନି – କ’ଣ କହୁଛନ୍ତି ସରକାର ଜାଣନ୍ତୁ

303

ଭୁବନେଶ୍ୱର.୨୪.୦୫ (ଓଡ଼ିଆ ପୁଅ) ୨୨ ତାରିଖରେ ଉତ୍ତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ରାତିରେ ତୀବ୍ର ଅବପାତ ରୂପ ନେଇ ଆଜି ସକାଳୁ ତାହା ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ବାତ୍ୟା ‘ୟାସ୍’ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତିକରି ୨୬ ତାରିଖ ପୂର୍ବାହ୍ନରେ ପାରାଦୀପ ଓ ସାଗରଦୀପ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଓଡ଼ିଶାରେ ସ୍ଥଳଭାଗ ଛୁଇଁବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ବିଭାଗର ସଚିବ, ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବାତ୍ୟା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଜଣ ବରିଷ୍ଠ ଅଧୁକାରୀଙ୍କୁ ସ୍ଥାନାନ୍ତରଣ, ଉଦ୍ଧାର, ପ୍ରସ୍ତୁତି ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ବ ଦିଆଯାଇଛି। ଶ୍ରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା, ଶ୍ରୀ ବିଶାଲ ଦେବଙ୍କୁ ବାଲେଶ୍ଵର, ଶ୍ରୀ ଶାଶ୍ବତ ମିଶ୍ରଙ୍କୁ ଜଗତସିଂହପୁର, ଶ୍ରୀ ଭି.ଭି.ଯାଦବଙ୍କୁ ଭଦ୍ରକ ଏବଂ ଶ୍ରୀ ସୁରେଶ ବଶିଷ୍ଠଙ୍କୁ ମୟୁରଭଞ୍ଜ ଜିଲ୍ଲାକୁ ପଠାଯାଇଛି। ଏମାନେ ଜିଲ୍ଲାର ବିଭିନ୍ନ ସଂସ୍ଥା, ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା କରି ଆଗୁଆ ପଦକ୍ଷେପ ଗ୍ରହଣ କରିବେ ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଇବେ।

ଏବେ ସୁଦ୍ଧା ୨୨ ଟି ଏନ୍.ଡି.ଆର୍.ଏଫ୍ ଟିମ୍ ଏବଂ ୫୦ ରୁ ଉଦ୍ଧ ଓଡ୍ରାଫ୍ ଟିମ୍ ଓ ୧୭୫ ଟି ଅଗ୍ନିଶମ ବାହିନୀ, ବନ ବିଭାଗ ପକ୍ଷରୁ ୩୫ଟି ଗଛ କଟାଳୀ ଟିମ୍ ଜିଲ୍ଲାଗୁଡିକ ପାଇଁ ପ୍ରସ୍ତୁତ କରାଯାଇଛି। ଆଉ ଅଧୁକ ୩୦ ଏନ୍.ଡି.ଆର୍.ଏଫ୍ ଟିମ୍ ପଠାଇବା ପାଇଁ ଅନୁରୋଧ କରାଯାଇଛି। ପୂର୍ତ୍ତ ବିଭାଗ ତରଫରୁ ୧୬୫ ଟି ସ୍ଵତନ୍ତ୍ର ଟିମ୍, ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୧୩ ଟି, ଜଳ ସଂପଦ ବିଭାଗ ତରଫରୁ ଇଂଜିନିୟର ଟିମ୍ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଜେସିବି, ଟ୍ରାକ୍ଟର, ଏକ୍କାଭେଟର, ପାୱାର ସ, ଗ୍ୟାସ କଟର ଇତ୍ୟାଦି ଯନ୍ତ୍ରପାତି ଏବଂ ଆବଶ୍ୟକୀୟ ଶ୍ରମିକ ପ୍ରସ୍ତୁତ କରି ରଖାଯାଇଛି। ଏମାନେ ଜିଲ୍ଲାପ୍ରଶାସନକୁ ରାସ୍ତାରେ ପଡିଥିବା ଗଛକାଟି ସଫା କରିବା ପାଇଁ, ବିଦ୍ୟୁତ ମରାମତି, ଟେଲିକମ୍ ପୁନରୁଦ୍ଧାର ଆଦି କାର୍ଯ୍ୟରେ ସାହାଯ୍ୟ କରିବେ।

ପ୍ରତ୍ୟେକଟି ଜୀବନ ମୂଲ୍ୟବାନ ଓ ତାର ସୁରକ୍ଷା ପାଇଁ ଆମକୁ ପ୍ରୟାସ କରିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ କଳା, ଖପର, ଆଜବେଷ୍ଟସ୍ ଓ ତଳୁଆ ଅଞ୍ଚଳର ଲୋକମାନଙ୍କୁ ଶୀଘ୍ର ସ୍ଥାନାନ୍ତରଣ କରିବା ଉପରେ ପ୍ରାଥମିକତା ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଜୁଆର ଆସିବାର ସମ୍ଭାବନା ଥିବାରୁ ତଳୁଆ ଅଞ୍ଚଳଗୁଡିକରୁ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ।

ସ୍ଥାନାନ୍ତରଣ ଓ ଆଶ୍ରୟସ୍ଥଳୀ ପରିଚାଳନା କାର୍ଯ୍ୟରେ ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧ ଆଶା, ଅଙ୍ଗନୱାଡି କର୍ମୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି ଏବଂ ଜନସାଧରଣ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦେବା ପାଇଁ କୁହାଯାଇଛି। ଯେତେଶୀଘ୍ର ସୁରକ୍ଷିତ ସ୍ଥାନ ଓ ଆଶ୍ରୟସ୍ଥଳୀକୁ ଯିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଆଶ୍ରୟସ୍ଥଳୀରେ ରହିବା ସମୟରେ ସମସ୍ତଙ୍କୁ ମାସ୍କ ବଂଟନ, ସାବୁନ, ସାନିଟାଇଜରର ବ୍ୟବସ୍ଥା ରହିବ। ସେଠାରେ ମାଗଣା ରନ୍ଧାଖାଦ୍ୟ, ପାନୀୟ ଜଳ, ସ୍ଵାସ୍ଥ୍ୟ ଓ ପରିମଳ, ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା ଯୋଗାଇ ଦିଆଯିବ। ଶିଶୁମାନଙ୍କ ପାଇଁ ଛତୁଆ, ବିସ୍କୁଟ ଆଦି ଯୋଗାଇ ଦିଆଯିବ।

ବାତ୍ୟା ସମୟରେ ଆମ, ନଡିଆ, ପଣସ ଆଦି ଗୋଟାଇବା ପାଇଁ ବାହାରକୁ ନଯିବାକୁ କୁହାଯାଇଛି। ବାତ୍ୟା ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ରଖିବା ଦ୍ଵାରା ବାତ୍ୟା ବେଳେ ନଳକୂପ ବା କୂଅମୂଳକୁ ଯିବାକୁ ପଡିବ ନାହିଁ। ପବନ ସମୟରେ ଏଣେତେଣେ ବୁଲିଲେ ହୋଡି, ଗଛ, ଟାୱାର, ଗୃହ ଭଗ୍ନାଶ ଆଦି ଦ୍ଵାରା ଆଘାତ ହେବାର ସମ୍ଭାବନା ଥିବାରୁ କେହି ଘରୁ ନ ବାହାରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ପରାମର୍ଶ ଦେଇଛନ୍ତି। ଦୋକାନୀମାନେ ସେମାନଙ୍କର ହୋଡି ବା ନେମପ୍ଲେଟ୍ ଖୋଲି ରଖିବା ପାଇଁ କୁହାଯାଇଥିବା ବେଳେ ବିଭିନ୍ନ ଷ୍ଟ୍ରିଟ୍ ଲାଇଟ୍‌ର ଫିଟିଂ ଓ ହାଇମାକ୍ସ ଲାଇଟର ଫିଟିକୁ ଖୋଲି ରଖାଯିବ ଯଦ୍ବାରା ସେଗୁଡିକ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ବାତ୍ୟା ସମୟରେ ଆଘାତପ୍ରାପ୍ତ ହେବେ ନାହିଁ ବୋଲି କୁହାଯାଇଛି। ଶେଷରେ ବାତ୍ୟାର ସଫଳ ମୁକାବିଲା ପାଇଁ ସରକାର ସଜାଗ ରହିଛନ୍ତି ଏବଂ ଜନସାଧାରଣଙ୍କ ସହଯୋଗ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.