Home କେନ୍ଦୁଝର ବାତ୍ୟା ପାଇଁ ୧୦ହଜାରରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା, ଉଦ୍ଧାର ପାଇଁ ଦୁଇଟି ଏନଡିଆରଏଫ...

ବାତ୍ୟା ପାଇଁ ୧୦ହଜାରରୁ ଉର୍ଦ୍ଧ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଯୋଜନା, ଉଦ୍ଧାର ପାଇଁ ଦୁଇଟି ଏନଡିଆରଏଫ ଟିମ ଓ ଗୋଟିଏ ଓଡ୍ରାପ୍ଟ ଟିମ ମୃତୟନ

56

ହାଟଡିହି- ୨୫ / ୫(ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜିଠାରୁ ଆରମ୍ଭ ହୋଇଗଲାଣି ବାତ୍ୟା ୟାସର ପ୍ରଭାବ । ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ କରିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ର୍ରହଣ କରାଯାଇଛି । ଗତ କାଲି ଜିଲ୍ଲାପାଳ ଏହି ବ୍ଲକର ବିଭିନ୍ନ ଅଞ୍ଚଳ ଗ୍ରସ୍ଥ କରି ସ୍ଥିତିର ସମୀକ୍ଷା କରିବା ସହିତ ଜିରୋ କାଜୁଆଲଟି ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ଚାଳଛପର ଘର, ଦୁର୍ବଳ ପକ୍କାଘର ମାନଙ୍କରୁ ଓ ବୁଡି ଅଞ୍ଚଳର ଲୋକମାନଙ୍କୁ ସ୍ଥାନ୍ତାନ୍ତର କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ମଧ୍ୟ ଜିଲ୍ଲାପାଳ ଆଶିଷ ଠାକରେ ଓ ପିଡି ଡିଆରଡିଏ ଡ. ଉଦ୍ଧବ ଚରଣ ମାଝୀ ବ୍ଲକରେ ଉପସ୍ଥିତ ରହି ବିଡିଓଙ୍କ ସହିତ ଆଲୋଚନ କରିବା ସହିତ ପ୍ରତି ପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ଆଲୋଚନା କରିଛନ୍ତି । ବ୍ଲକର ୨୧୭ଟି ଗ୍ରାମରେ ୨୫୩୨ଟି ଚାଳଘର ଥିବାରୁ ଏହିସବୁ ଘରର ପାଖାପାଖି ୧୦ହଜାର ଲୋକଙ୍କୁ ନିକଟସ୍ଥ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପ୍ରତି ପଞ୍ଚାୟତରେ ଦୁଇ ତିନୋଟି ସ୍କୁଲକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବାକୁ ଥିବାବେଳେ ସେହିସବୁ ସ୍କୁଲରେ ପାନୀୟଜଳ, ବିଦ୍ୟୁତ ଓ ଅନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଞ୍ଚାୟତର ସରପଞ୍ଚ, ପିଇଓ ଏବଂ କନିଷ୍ଠଯନ୍ତ୍ରୀ ମାନେ ଏହାର ଦାୟିତ୍ୱ ବୁଝିବା ସହିତ ଲୋକମାନଙ୍କୁ ସ୍ଥାନାନ୍ତର ସହିତ ଆଶ୍ରୟସ୍ଥଳୀରେ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି । ବିଶେଷକରି ବାତ୍ୟା ‘ୟାସ’ ର ରେଡ ଜୋନରେ କେନ୍ଦୁଝର ଜିଲ୍ଲାର ହାଟଡିହି, ଆନନ୍ଦପୁର, ଘସିପୁରା, ହରିଚନ୍ଦନପୁର ଓ ସାହାରାପଡା ଆଦି ବ୍ଲକ ଥିବାରୁ ଏହିସବୁ ବ୍ଲକର ଲୋକମାନଙ୍କୁ ସତର୍କ କରାଯାଇଛିବୋଲି ପିଡି କହିଛନ୍ତି । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନେ ଆତ୍ୟାବଶ୍ୟକୀୟ ସାମଗ୍ରୀ ଘରେ ସାଇତି ରଖିବା ସହିତ ମୋବାଇଲ ଗୁଡିକୁ ଚାର୍ଜ କରି ରଖିବା, ବାତ୍ୟା ସମୟରେ ଜେନେରେଟର ନଚଲାଇବାକୁ କୁହାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ହାଟଡିହି ବ୍ଲକରେ ଦୁଇଟି ଏନ.ଡି.ଆର.ଏଫ ଟିମ ଓ ଗୋଟିଏ ଓଡୟାଫ୍ଟ ଟିମ ମୃତୟନ ହୋଇଛନ୍ତି । ଅଗ୍ନିଶମ ବିଭାଗ ମଧ୍ୟ ଉଦ୍ଧାର ପାଇଁ ସଜାଗ ରହିଛି । ଗତକାଲି ରାତିରେ ଝଣଝଣାରେ ଥିବା ପିତାନାଉ ବିସ୍ଥାପିତ ମାନଙ୍କୁ ସ୍ଥାନାନ୍ତର କରାଯାଇ ଆଦର୍ଶ ବିଦ୍ୟାଳୟ ସୁନ୍ଦରାପାଳ ଠାରେ ରଖାଯାଇଛି । ଏଠାରେ ୮୯ପରିବାର ୨୨୦ଜଣଙ୍କୁ ରଖାଯାଇଥିବାବେଳେ କଳିଗାଁ ପଞ୍ଚାୟତରେ ୫୦ଜଣଙ୍କୁ ସ୍ଥାନାନ୍ତର କରାଯାଇ ଶାଳକଣିଆଁ ସ୍କୁଲ ଓ ରଘୁନାଥପୁର ସ୍କୁଲରେ ରଖାଯାଇଛି । ସେମାନଙ୍କୁ ଚୁଡା, ଗୁଡ, ବିସ୍କୁଟ ଦିଆଯାଇଥିବାବେଳେ ଆଜି ରନ୍ଧାଖାଦ୍ୟ ଦିଆଯାଇଛି । ସେହିପରି ରାଘବପୁର, ଆଇତିପୁର, ମଦରଙ୍ଗାଁ, ନୁଆଗାଁ ଆଦି ଗ୍ରାମରେ ଆଜି ରାତିସୂୁଦ୍ଧା ସ୍ଥାନାର କରାଯିବ ବୋଲି ସରପଞ୍ଚ ସୁଚନା ଦେଇଛନ୍ତି । ସେହିପରି ଶାସଙ୍ଗ ପଞ୍ଚାୟତରେ ଶାସଙ୍ଗ ବାଇଧର ନୋଡାଲ ଓ ଛେନାପଦି ୟୁଜିୟୁପି ସ୍କୁଲରେ ଆଶ୍ରୟସ୍ଥଳୀ ଖୋଲାଯାଇଛି, ଲୋକମାନଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା ପିଇଓ କୋଦଣ୍ଡଧର ପଣ୍ଡା ସୁଚନା ଦେଇଛନ୍ତି । ଗୋଟିଏ ପଟେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତାରେ ଲୋକମାନଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.