Home ଜିଲ୍ଲା ପରିକ୍ରମା ବାଁଶଡା-ଧାମରା ରାସ୍ତା ପାଶ୍ୱର୍ରୁ ହଟିବ ଜବରଦଖଲ

ବାଁଶଡା-ଧାମରା ରାସ୍ତା ପାଶ୍ୱର୍ରୁ ହଟିବ ଜବରଦଖଲ

64

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମନ୍ତେଇ ନଦୀର ବାଁଶଡା ଘାଟଠାରୁ ଧାମରା ଯାଏଁ ରାସ୍ତା ପ୍ରଶସ୍ତିକରଣ ହେବ । ମନ୍ତେଇ ନଦୀ ଉପରେ ପୋଲ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ôଚଥିବାରୁ ଯୋଗାଯୋଗ ବାଟ ଖୋଲିବାକୁ ଯାଉଛି । ଭଦ୍ରକରୁ ଧାମରାକୁ ସିଧାସଳଖ ସ୍ଥଳପଥ ରାସ୍ତା ଖୋଲିଯିବ । କିନ୍ତୁ ବାଁଶଡାରୁ ଧାମରା ଯାଏଁ ଗାଁ ମଝିରେ ସରକାରୀ ଜବରଦଖଲରେ ରହିଛି । ଏହି ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ନିଜ ଟିମ୍ ସହ ମାପଚୁପ କରି ସର୍ଭେ ଶେଷ କରିଛନ୍ତି । ଧାମରାକୁ ଏକ ମହାନଗରୀରେ ପରିଣତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲାଗି ପଡିଥିବାରୁ ତୁରନ୍ତ ଧାମରାରେ ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ, କଲ୍ୟାଣ ମଣ୍ଡପ ଓ ଏକ ପାନ୍ଥ ନିବାସ ନିର୍ମାଣ କରିବା ପାଇଁ ଅର୍ଥ ବି ମଂଜୁର ହୋଇଯାଇଛି । ଧାମରା ପୁରୁଣା ବସ୍‌ଷ୍ଟାଣ୍ଡ ବଜାର ମଧ୍ୟରେ ରହିଛି । ତେଣୁ ପରିତ୍ୟକ୍ତ ପୋଖରୀକୁ ପୋତି ୫୦ ଲକ୍ଷ ଟଙ୍କାର ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜାଗା ଚିହ୍ନଟ ମଧ୍ୟ କରାଯାଇଛି । ସେହିପରି ଧାମରାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ଦୌଡ ଲାଗି ରହିଥିବାରୁ ଏବଂ ପର୍ଯ୍ୟଟକମାନେ ଯାତାୟତ କରୁଥିବାରୁ ରହିବାର ସୁବିଧା ନାହିଁ । ତେଣୁ ପାନ୍ଥ ନିବାସ ଜରୁରୀ ହୋଇଥିବାରୁ ଧାମରା ମେରାଇନ୍ ଥାନା ନିକଟରେ ୯୦ ଡେସିମିଲ୍ ସରକାରୀ ଜାଗା ଚିହ୍ନଟ ହୋଇ ସେଠାରେ ଧାମରାଇ ଭବନ ନାମରେ ଏକ ପାନ୍ଥନିବାସ ୫୦ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ ହେବା ପାଇଁ ଜାଗା ଚିହ୍ନଟ ହୋଇଛି । ଧାମରା ବଜାର ମଧ୍ୟରେ ଜବରଦଖଲରେ ଥିବା ସରକାରୀ ଜମିକୁ ପୁନରୁଦ୍ଧାର କରି ୧ କୋଟି ଟଙ୍କା ବିନିମୟରେ ଏକ କଲ୍ୟାଣ ମଣ୍ଡପ କରାଯିବ । ଏନେଇ ସର୍ଭେ ସରିଛି । ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଅତିରିକ୍ତ ତହସିଲଦାର, ଆର.ଆଇ ଏବଂ ପଂଚାୟତ ସମିତି ଅଧ୍ୟକ୍ଷଙ୍କ ପ୍ରତିନିଧି ରଂଜନ ସାହୁ, ଧାମରା ସରପଞ୍ଚ ପ୍ରିୟରଂଜନ ଜେନା, ଅଭିମନ୍ୟୁ ରାଉତ, ସୁଦର୍ଶନ ଲେଙ୍କା, ଅତୁନ ଜେନା ପ୍ରମୁଖ ସାମିଲ ହୋଇଥିଲେ । ଧାମରା ବାଁଶଡା ରାସ୍ତାର ଲମ୍ବ ୮ କିମି । ଏହି ରାସ୍ତାର ଓସାର ୫୦ କଡି ହୋଇଥିବାବେଳେ ୨୦୦୯ ମସିହାରେ ଏହି ରାସ୍ତା ନିର୍ମାଣ କରିଥିବା ଠିକାଦାର ମାତ୍ର ୩୦ କଡି ଓସାରରେ ଏହି ରାସ୍ତା ନିର୍ମାଣ କରିଥିଲେ ।

 

 

ଅବଶିଷ୍ଟାଂଶ ୨୦ କଡି ରାସ୍ତା ଅବରୋଧକାରୀଙ୍କ କବଜାରେ ଦଖଲରେ ଥିବାବେଳେ ଏହି ୨୦ କଡିରେ ରାସ୍ତା ନିର୍ମାଣ କରିବାକୁ ଅବରୋଧକାରୀ ସଂପୃକ୍ତ ଠିକାଦାରଙ୍କୁ ଦେଇନଥିଲେ । ଫଳରେ ସଂପୃକ୍ତ ଠିକାଦାର ଏହି ରାସ୍ତାକୁ ଯେନତେନ ନିର୍ମାଣ କରି ଯାଇଥିଲେ । ଅମ୍ଫନ୍ କ୍ଷୟକ୍ଷତିର ଆକଳନ କରିବା ପାଇଁ ଭଦ୍ରକ ଜିଲାପାଳ ଜ୍ଞାନରଂଜନ ଦାସ ଆସି ଧାମରା ଅଂଚଳ ବୁଲି ସଂପୂର୍ଣ୍ଣ କ୍ଷୟକ୍ଷତିର ଆକଳନ କରୁଥିବା ସମୟରେ ଏହି ରାସ୍ତାର ଦୂରାବସ୍ଥା ଦେଖିଥିଲେ । ଏହି ରାସ୍ତାଦେଇ ଧାମରା ବନ୍ଦରର ବହୁ ଲୋକ ଯାତାୟତ ହେଉଥିବାବେଳେ ଦିନକୁ ଦିନ ଏହି ରାସ୍ତା ସଂକୀର୍ଣ୍ଣ ହୋଇପଡୁଛି । ଫଳରେ ଏହି ରାସ୍ତାରେ ଆଜିଭଳି ଦିନରେ ୧୦୮ ଆମ୍ବୁଲାନ୍ସ, ୧୦୨ ପ୍ରସୂତି ଆମ୍ପୁଲାନ୍ସ, ଅଗ୍ନିଶମ ବିଭାଗର ଗାଡି ଗୁଡିକ ଯାତାୟତ କଷ୍ଟକର ହୋଇପଡିଛି । ଏପରିକି ଗୋଟିଏ ମୋଟର ସାଇକେଲ୍ ଆସୁଥିଲେ ଏହି ସମସ୍ତ ଜରୁରୀକାଳୀନ ସେବାଗାଡି ଗୁଡିକ ଏହି ରାସ୍ତାରେ ଯାତାୟତ କରି ଲୋକଙ୍କୁ ସେବା ଯୋଗାଇବା ସମ୍ଭବ ହୋଇପାରୁନାହିଁ ବୋଲି ସମସ୍ତ ଜରୁରୀକାଳୀନ ସେବା ଯୋଗାଉଥିବା ଚାଳକମାନେ ପ୍ରତିକ୍ରିୟା ରଖିଛନ୍ତି । ଫଳରେ ବହୁ ଜନଜୀବନ ହାନି ହୋଇପଡୁଥିବାବେଳେ ବହୁ ଧନ ସଂପତ୍ତି ନଷ୍ଟ ହୋଇଯାଉଛି । ଖୁବଶୀଘ୍ର ଏହି ରାସ୍ତାକୁ ମାପ କରାଯାଇ ଜବରଦଖଲ କରି ରଖୁଥିବା ଜବରଦଖଲକାରୀଙ୍କୁ ନୋଟିସ୍ ଦିଆଯିବ, ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ରାସ୍ତାରୁ ହଟିନଗଲେ ପ୍ରଶାସନ ତରଫରୁ ସେମାନଙ୍କୁ ହଟାଇ ଦିଆଯିବ ଏବଂ ଏହି ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ ମାପଚୁପ କରାଯାଇ ଏହି ରାସ୍ତାକୁ ଜବରଦଖଲକାରୀଙ୍କ କବଜାରୁ ତହସିଲ ନିଜ ଆୟତକୁ ଆଣିବ ବୋଲି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ନିଜର ପ୍ରତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.