Home Top News ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ପ୍ରସଙ୍ଗ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା...

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ପ୍ରସଙ୍ଗ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

42

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କ୍ରାଇମବ୍ରାଞ୍ଚ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ସହଯୋଗୀ ଝୁନା ଭୋଇ, ନିରଂଜନ ସେଠୀ ଓ ରଂଜନ ନାୟକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା । ଗତକାଲି ଏହି ପାଞ୍ଚଦିନିଆ ରିମାଣ୍ଡର ଅବଧି ଶେଷ ହୋଇଛି । ତେବେ ଏପର୍ଯ୍ୟନ୍ତ ମେମୋରୀ ଚିଫ୍ ମିଳିନଥିବାବେଳେ ହତ୍ୟାର ସଠିକ୍ କାରଣ ଜଣାପଡିନାହିଁ । ଏଣୁ ଅଧିକ ତଦନ୍ତ ଓ ହତ୍ୟାର ପ୍ରକୃତ ସତ୍ୟକୁ ଉନ୍ମୋଚନ କରିବା ପାଇଁ କ୍ରାଇମବ୍ରାଞ୍ଚ ପୁଣି ଥରେ ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେବାପାଇଁ ଚାନ୍ଦବାଲି ଜେଏମ୍‌ଏଫ୍‌ସିଙ୍କ ନିକଟରେ ଆବେଦନ କରିଥିଲା । କିନ୍ତୁ ମାନ୍ୟବର ଜେଏମ୍‌ଏଫ୍‌ସି ପ୍ରଭାତୀ ରଣା କେବଳ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ପ୍ରଦାନ କରିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ନିରଂଜନ ସେଠୀ ଓ ରଂଜନ ନାୟକଙ୍କ ରିମାଣ୍ଡ ଆବେଦନକୁ ଖାରଜ କରି ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏବଂ କ୍ରାଇମବ୍ରାଞ୍ଚ ୩ ଦିନିଆ ରିମାଣ୍ଡରେ ନେଇଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୭ ତାରିଖ ଦିନ ୧ଟା ସୁଦ୍ଧା ଚାନ୍ଦବାଲି ଜେଏମ୍‌ଏଫସିରେ ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏହି ଦୁଇଜଣଙ୍କୁ ରିମାଣ୍ଡରେ ନେଇ କଟକ ହେଡ୍‌୍‌କ୍ୱାର୍ଟରକୁ ନେଇଯାଇଥିବାର ଜଣାପଡିଛି ।

ଏଠାରେ ସୂଚନାଯୋଗ୍ୟ ମାନସ ସ୍ୱାଇଁ ଭୁବନେଶ୍ୱରରୁ ମାର୍ଚ୍ଚ ୬ ତାରିଖରେ ବାହାରି ଚାନ୍ଦବାଲିର ଏକ ବିବାହ ପାର୍ଟିର ଭିଡିଓ ସୁଟ୍ କରିବାକୁ ଆସିଥିଲେ । ମାର୍ଚ୍ଚ ୭ ତାରିଖରେ ବିବାହ ପାର୍ଟି ସୁଟ୍ କରି ଫେରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ କାର୍ ଯୋଗେ ଅପହରଣ କରିନେଇଥିଲେ । ମାର୍ଚ୍ଚ ୧୪ ତାରିଖରେ ଏ ଘଟଣା ସଂକ୍ରାନ୍ତରେ ମାନସ ସ୍ୱାଇଁଙ୍କ ପିତାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୁକ୍ତମାନେ ମାନସକୁ ଭଦ୍ରକ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରସ୍ଥିତ ଦୟାଲ ଆଶ୍ରମରେ ରଖି ନିର୍ମମ ଭାବେ ମାଡମାରି ତାକୁ ହତ୍ୟା କରିଥିଲେ । ଏବଂ ପରେ ମାନସର ଶବକୁ ନୟାଗଡ ଜିଲା ରଣପୁରକୁ ନେଇ ଏକ ଚାଷ ବିଲରେ ପୋତିଦେଇଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ପୁଲିସ୍ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଥିଲା । ପରେ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ବୁଝୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ୫ଦିନ ପାଇଁ ରିମାଣ୍ଡରେ ନେଇଥିଲା । ତେଣୁ ଅଧିକ ତଦନ୍ତ ଓ ହତ୍ୟାର ସଠିକ୍ କାରଣ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ପୁଣି ଆଜି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.