Home ଜିଲ୍ଲା ପରିକ୍ରମା ବହିମେଳା ସାରସ୍ୱତ ଆନ୍ଦୋଳନର ମୁଖଶାଳା, ସପ୍ତମ ସାଳନ୍ଦୀ ବହିମେଳା ଉଦ୍‌ଯାପିତ

ବହିମେଳା ସାରସ୍ୱତ ଆନ୍ଦୋଳନର ମୁଖଶାଳା, ସପ୍ତମ ସାଳନ୍ଦୀ ବହିମେଳା ଉଦ୍‌ଯାପିତ

33

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହିମେଳା ବାଣିଜ୍ୟିକ ବିପଣିର ପସରା ନୁହେଁ, ସାହିତ୍ୟ ସହ ମଣିଷକୁ ଯୋଡିବାରେ ସାହାଯ୍ୟ କରୁଥିବାରୁ ଏହା ସାରସ୍ୱତ ଆନ୍ଦୋଳନର ମୁଖଶାଳା । ପ୍ରତିଟି ପରିସମାପ୍ତିରେ ନୂଆ ସ୍ୱପ୍ନ ଓ ସଂଭାବନାର ସଂକେତ ନିହିତ ଥାଏ ବୋଲି ସପ୍ତମ ସାଳନ୍ଦୀ ବହିମେଳାର ଉଦ୍‌ଯାପନୀ ପର୍ବରେ ମତ ପ୍ରକାଶ ପାଇଛି । ବହିମେଳାର ସଭାପତି କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କୃତ ବରିଷ୍ଠ କବି ଡ. ଫନୀ ମହାନ୍ତି ମୁଖ୍ୟ ଅତିଥି, ବିଶିଷ୍ଟ କବି ନିରାକାର ଦାସ ମୁଖ୍ୟବକ୍ତା ଓ କବି ସରୋଜ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ୱାଗତ ଓ ସଂପାଦକୀୟ ବକ୍ତବ୍ୟ ରଖିଥିଲେ ସଂପାଦକ ଅଭିଜିତ୍ ନାୟକ । ବୃନ୍ଦାବନ କଳାକେନ୍ଦ୍ରର ସୁରେନ୍ଦ୍ର ଗାହାଣ ଓ ସାଥୀଙ୍କ ଦ୍ୱାରା କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ପରିବେଷିତ ହୋଇଥିଲା । ହ୍ୟାପି ଏଣ୍ଡିଂରେ ବିଶେଷ ଅତିଥି ସୁଖ୍ୟାତ ବ୍ୟଂଗକବି ସତ୍ୟାନାଶ ପୁସ୍ତକପ୍ରେମୀ ଜନତାଙ୍କୁ ତାଙ୍କ ବକ୍ତବ୍ୟରେ ମନ୍ତ୍ର ମୁଗ୍‌ଧ କରିଥିଲେ ।

ଏହି ଅବସରରେ ଗାଳ୍ପିକା ଚିରଶ୍ରୀ ଇନ୍ଦ୍ରସିଂଙ୍କୁ ଦଶହଜାର ମୁଦ୍ରାର ଅର୍ଥରାଶି, ମାନପତ୍ର ଓ ଅଂଗବସ୍ତ୍ର ସହ ଚଳିତବର୍ଷର ମର୍ଯ୍ୟାଦାଜନକ ବହିମେଳା ପୁରସ୍କାର ପ୍ରଦାନ କରାଯାଇଥିଲା । କିଶୋର ପାଣିଗ୍ରାହୀଙ୍କ କବିତା ସଂକଳନ ‘ନିଆରା ନଈର ରିଆଜ’ ଓ ହରମୋହନ କୁଅଁରଙ୍କ ସଂପାଦିତ ପତ୍ରିକା ‘କାଇଁଚମାଳି’ ଉନ୍ମୋଚିତ ହୋଇଥିଲା । ସାଂସ୍କୃତିକ ସଂପାଦକ ସରୋଜ ବଳ ଉନ୍ମୋଚିତ କବିତା ସଂକଳନ ବିଷୟରେ ସୂଚନା ଦେଇଥିଲେ । ପ୍ରତିଷ୍ଠାତା ସଦସ୍ୟ ଇଂ. ବିମ୍ବାଧର ବ୍ରହ୍ମଙ୍କୁ ସମ୍ବର୍ଦ୍ଧନା, ଅତିଥିମାନଙ୍କୁ ବହିମେଳାର ସ୍ମୃତି ଫଳକ ପ୍ରଦାନ ଏବଂ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅପରାହ୍ନରେ ନିଆରା କାର୍ଯ୍ୟକ୍ରମ ‘ଫର୍ଚ୍ଚା ଚର୍ଚ୍ଚା’ରେ ପ୍ରକାଶକ ପକ୍ଷୀଘରର ବନୋଜ ତ୍ରିପାଠୀ, ଇଭେଣ୍ଟର ପ୍ରକାଶ ମହାପାତ୍ର, ବହିଘରର ଅଭୟ ଦାସ ଓ ଆଦିତ୍ୟ ଭାରତର ଦେବାଶିଷ ସାମନ୍ତରାୟ ପ୍ରକାଶନର ଭିତିରି କଥା ବଖାଣିଥିଲେ । କାର୍ଯ୍ୟକ୍ରମରେ ବହିମେଳାର ଉପସଭାପତି ହରମୋହନ କୁଅଁର ସଭାପତିତ୍ୱ ଓ ନିଖିଳେଶ ମିଶ୍ର ସଂଚାଳନ କରିଥିଲେ । ବହିମେଳା କମିଟିର କାର୍ଯ୍ୟକର୍ତ୍ତା କୈଳାଶ ଚନ୍ଦ୍ର ପଣ୍ଡା, ଡା. ବିକାଶ ନନ୍ଦ, ନାସିର ବକ୍ସ, ବାଦଲ ମହାପାତ୍ର, ଶାନ୍ତିସ୍ୱରୂପ ମିଶ୍ର, ସୁଚିତ୍ରା ପାଣିଗ୍ରାହୀ ଓ ବସୁମିତ୍ରା ସାହୁ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସହସଂପାଦକ ପ୍ରଫୁଲ୍ଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.