ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଈଶ୍ୱରପୁର ଗ୍ରାମର ୧ନଂ ୱାର୍ଡର ୫ଶହ ଲୋକ ବର୍ଷେ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏ ସମ୍ପର୍କରେ ସୋମବାର ୱାର୍ଡ ସଭ୍ୟା ମଲ୍ଲିଲତା ମଳିକ, ଶରତ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମଳିକ, ଧରଣୀଧର ମଳିକ, ନରୋତ୍ତମ ମଳିକ, ସୂର୍ଯ୍ୟମଣି ଦାସ, ଜଳଧର ମଳିକ, ସୁରେନ୍ଦ୍ର ମଳିକ, ଭୀମସେନ ମଳିକ, ସୁରେନ୍ଦ୍ର୍ର ମଳିକ, ଭୀମସେନ ମଳିକ, ଆର୍ତ୍ତବନ୍ଧୁ ମଳିକ, ଦେବେନ୍ଦ୍ର ଦାସ, ପ୍ରଦୀପ ମଳିକ, ଦେବେନ୍ଦ୍ର ଦାସ, ଗିରିଧାରୀ ମଳିକ, ସୁଧାକର ମଳିକ ପ୍ରମୁଖ ଗ୍ରାମବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଆସନ୍ତା ୪ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ଦୂର କରାନଗଲେ ସେମାନେ ଆସନ୍ତା ୯ ତାରିଖରେ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଗ୍ରାମବାସୀ ଦର୍ଶାଇଛନ୍ତି ଯେ ବସୁଧା ଯୋଜନାରେ ଈଶ୍ୱରପୁର ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି । ମାତ୍ର ଗ୍ରାମର ୧ନଂ ୱାର୍ଡର ୫ଶହ ଅଧିବାସୀ ବର୍ଷେ ହେଲା ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ୱାର୍ଡରେ ଥିବା ଏକମାତ୍ର ନଳକୂପ ମଧ୍ୟ ଅଚଳ ହୋଇପଡିଛି । କୁମ୍ଭୀର ଆତଙ୍କ ଦେଖା ଦେଇଥିବାରୁ ଲୋକେ ନଦୀକୁ ମଧ୍ୟ ଯାଇପାରୁନାହାନ୍ତି । ଏପରିସ୍ଥଳେ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ପୂର୍ବରୁ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଦର୍ଶାଇଛନ୍ତି । ଏ ସମ୍ପର୍କରେ ବ୍ଲକ ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଖଗେନ୍ଦ୍ର ପ୍ରସାଦ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ।








