Home ଓଡ଼ିଶା ବର୍ତ୍ତମାନ ସୁଦ୍ଧା ତିନୋଟି ରଥର ୨୭ଟି ଚକ ସଂପୂର୍ଣ୍ଣ

ବର୍ତ୍ତମାନ ସୁଦ୍ଧା ତିନୋଟି ରଥର ୨୭ଟି ଚକ ସଂପୂର୍ଣ୍ଣ

202

ପୁରୀ, ୨୧/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ରଥଖଳାରେ ଚଳିତମାସ ୮ ତାରିଖରୁ ଆରମ୍ଭ ହୋଇଛି। ଗତକାଲି ସୁଦ୍ଧା ତାଳଧ୍ୱଜ ରଥର ୧୦ଟି ଚକ, ଦେବଦଳନ ରଥର ୮ଟି ଚକ ସଂପୂର୍ଣ୍ଣ ହୋଇଥିବା ବେଳେ ନନ୍ଦିଘୋଷ ରଥର ୯ଟି ଚକ ସଂପୂର୍ଣ୍ଣ ହୋଇ ଦୁଇଟି ତୁମ୍ବରେ ଅରଲାଗି ହୋଇଛି। ତାଳଧ୍ୱଜ ରଥର ୫ଟି ଅଖ, ଦେବଦଳନ ରଥର ୩ଟି ଅଖ ଏବଂ ନନ୍ଦିଘୋଷ ରଥର ୫ଟି ଅଖର ହଣାକାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ୱଜ ରଥର ୫ଟି ଯୋଖା ଶେଷ ହୋଇଥିବାବେଳେ ଦେବଦଳନ ରଥର ଦୁଇଟି ଯୋଖା ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟି ଯୋଖା ତିଆରି ପାଇଁ କାଠ ଆସିଅଛି। ପ୍ରସ୍ତୁତ ହୋଇନାହିଁ। ସୂତା କାମ ଚାଲିଛି। ଅଖ, ଦଣ୍ଡା, ଗୟଳକୁ ବାନ୍ଧି ରଖିବା ପାଇଁ ଯୋଖାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହା ରଥର ତେଛିଚକୁ ମଜବୁତ୍ ପାଇଁ ଆବଶ୍ୟକ। ଗତକାଲି ସକାଳେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସଂପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ ଦୈନଦିନ ପରି କରାଯାଇଥିଲା। ସମସ୍ତ ସେବକ ସୁସ୍ଥଥିବା ଜଣାଯାଇଥିଲା। ଗତକାଲି ବର୍ଷାଯୋଗୁଁ ରଥଖଳାରେ ଦିନ ୨ଟା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଦିନ ୨ଟା ପରଠାରୁ ବର୍ଷାଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଏବଂ ଆଜି ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି। ବର୍ଷାପବନ ଯୋଗୁଁ ରଥଖଳାରେ କରାଯାଇଥିବା ଚାଳିଆର ଚାଂଚ ଓ ପଲିଥିନ୍ ଉଡିଯିବା ସହ ଚାରିପଟେ ଘେରାଯାଇଥିବା ଧଳାକନାଗୁଡିକ ମଧ୍ୟ ଚିରିଯାଇଥିବା ଦେଖାଯାଇଥିଲା। ରଥଖଳାକୁ ପାଣି ନପଶିବା ପାଇଁ ଚାରିପଟେ ଦିଆଯାଇଥିବା ବାଲିବସ୍ତାଗୁଡିକୁ ଆଜି ଅପରାହ୍ନରେ କଢାଯାଉଥିବା ମଧ୍ୟ ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.