Home କେନ୍ଦୁଝର ବରାଙ୍ଗ ନିକଟ କେନାଲରେ ହେଲା ଘାଇ, ଶହଶହ ଏକର ଚାଷଜମି ଜଳମଗ୍ନ

ବରାଙ୍ଗ ନିକଟ କେନାଲରେ ହେଲା ଘାଇ, ଶହଶହ ଏକର ଚାଷଜମି ଜଳମଗ୍ନ

38

ହାଟଡ଼ିହି,୧୧/୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବିଦ୍ୟାଧରପୁର- ଆନନ୍ଦପୁର ମେନ କେନାଲର ବରାଙ୍ଗ ନିକଟରେ ଘାଇ ସୃଷ୍ଟି ହେବାଦ୍ୱାରା ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି । ଖବରରୁ ଜଣାଯାଇଛି ଯେ ବର୍ଷା ଅଭାବରୁ ବିଲ ବାଡି ଶୁଖିଲା ପଡିଥିବାରୁ ଜଳସମ୍ପଦ ବିଭାଗ ଗତ ୪ଦିନ ହେଲା ବିଦ୍ୟାଧରପୁର ଆନନ୍ଦପୁର ମୁଖ୍ୟ କେନାଲରେ ପାଣି ଛାଡିଛି । ଯାହାଦ୍ୱାରାକି ଚାଷୀମାନେ ଚାଷ କାମ ଆଗେଇ ନେବାକୁ ଲାଗିପଡିଛନ୍ତି । କିନ୍ତୁ ଗତକାଲି ରାତିରେ ବିଦ୍ୟାଧରପୁର ଆନନ୍ଦପୁର ମୁଖ୍ୟ କେନାଲର ବରାଙ୍ଗ ନିକଟରେ ଏକ ଘାଇ ୧୦ଫୁଟ ଓସାରର ଘାଇ ହେବାଦ୍ୱାରା ଜମ୍ଭୀରା ପଞ୍ଚାୟତର ବରାଙ୍ଗ, ଜମ୍ଭୀରା ଓ ମରୈଗାଁ ପଞ୍ଚାୟତର ଶଙ୍ଖଣା ଆଦି ଗ୍ରାମର ଚାଷଜମି ଗୁଡିକ ଜଳମଗ୍ନ ହୋଇଯାଇଛି । କିଛି ଲୋକ ଧାନତଳି ପକାଇଥିବାବେଳେ ତାହା ନଷ୍ଟ ହୋଇଛି । ଏପରିକି ଘୋଇ ନିକଟରେ ଥିବା ଚାଷଜମି ଗୁଡିକରେ ମାଟି ତାଡିନେଇଥବବାରୁ ଚଳିତବର୍ଷ ଚାଷ ହୋଇପାରିବ କି ନାହିଁ ସେନେଇ ଆଶଙ୍କା ଦେଖା ଦେଇଛି । ଏହାଦ୍ୱାରା ଆମ୍ବଗଡିଆ-ଜମ୍ଭୀରା ରାସ୍ତାରେ ୩ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି । କେନାଲ ଘାଇ ଭାଙ୍ଗିଥିବା ଖବର ପାଇ ଶହଶହ ଲୋକ ଘଟଣାସ୍ଥଳରେ ପହଞ୍ଚି ବିଭାଗୀୟ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଏପରି ହେଉଥିବା କହିି ପାଟିତୁଣ୍ଡ କରିଥିଲେ । ଖବରପାଇ ଜଳସମ୍ପଦ ବିଭାଗର ବିଦ୍ୟାଧରପୁର ଉପଖଣ୍ଡର ସହକାରୀଯନ୍ତ୍ରୀ ସଞ୍ଜିବ କୁମାର ବେହେରା, ଶାଳଣିଆଁ ଉପଖଣ୍ଡର ସହକାରୀଯନ୍ତ୍ରୀ ଶମ୍ବୁ ପ୍ରସାଦ ସାହୁ, ଯନ୍ତ୍ରୀ ଉମେଶ କୁମାର ଶାସିନି, ଯନ୍ତ୍ରୀ ଅମୁଲ୍ୟ କୁମାର ରାଉତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ତୁରନ୍ତ ଜଳଯୋଗାଣକୁ ବନ୍ଦ କରି ବାଲିବସ୍ତା ପକାଇ ଘାଇପୋତିବାର ବ୍ୟବସ୍ଥା କରିଛନ୍ତି । ଗଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅମୁଲ୍ୟ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏହି କେନାଲ ମାଧ୍ୟମରେ ୧୬୦୦ କ୍ୟୁସେକ ପାଣି ଛଡାଯିବାକୁ ଥିବାବେଳେ ମାତ୍ର ୧୦୦୦ କ୍ୟୁସେକ ପାଣି ଛଡାଯାଇଥିଲା । ଗତକାଲି ରାତି ୧୧ଟାବେଳେ ନିର୍ବାହୀଯନ୍ତ୍ରୀ ବିଧାନ କୁମାର ସାହୁଙ୍କ ସହ ସେ ବାଇକ ଯୋଗେ ଏହିସବୁ କେନାଲ ପରିଦର୍ଶନ ମଧ୍ୟ କରିଥିଲେ । କେହି ଦୁର୍ବୁତ ବିଳମ୍ବିତ ରାତିରେ କେନାଲକୁ କାଟି ଘାଇ କରିଦେଇଥିବାର ଅନୁମାନ କରାଯାଉଛି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.