Home ଜିଲ୍ଲା ପରିକ୍ରମା ବରପ୍ରାପ୍ତି ପାଇଁ ମହାବୀର କ୍ଷେତ୍ର କିମ୍ବଦନ୍ତୀଭରା ବରଦାୟିନୀ ପାହାଡ଼

ବରପ୍ରାପ୍ତି ପାଇଁ ମହାବୀର କ୍ଷେତ୍ର କିମ୍ବଦନ୍ତୀଭରା ବରଦାୟିନୀ ପାହାଡ଼

55

ନୟାଗଡ଼, ୧୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନିଜ ନିଜର ଅଭିଳାଷ ପୂରଣ ପାଇଁ କିଏ କେତେ ଦେବାଦେବୀଙ୍କ ପାଖରେ ଅଧିଆ ପଡ଼ି ବର ମାଗିଥାନ୍ତି। ମନର କଥା କହି ମନୋବା’ା ପୂରଣ ହେଲେ କାୟ ମନୋବାକ୍ୟରେ ନିଜ ଯାଚଞା ପୂରଣ କରିବା ପାଇଁ ପ୍ରତିଶୃତି ଦେଇଥାନ୍ତି। ହିନ୍ଦୁ ପରମ୍ପରାରେ ଏପରି ବରମାଗିବା ଓ ଧର୍ମ ବିଶ୍ୱାସରେ ନିଜର ମନୋବାଞ୍ଛା ପୂରଣ କରିବା ବହୁତ ନଜିର ରହିଛି। ଏପରି ଏକ ଧର୍ମ ବିଶ୍ୱାସର କିମ୍ବଦନ୍ତୀ ରହିଛି ନୟାଗଡ଼ ଜିଲା ଦଶପଳ୍ଲା ମହାବୀର କ୍ଷେତ୍ରର ବରଦାୟିନୀ ପାହାଡ଼। ଏହି ବରଦାୟିନୀ ପାହାଡ଼ରେ ବରମାଗି ନିଜର ଅଭିଳାଷ ପୂରଣ କରୁଥିବା ବହୁ ଧର୍ମ ବିଶ୍ୱାସ ରହିଛି। ଦଶପଲ୍ଲା ସହର ଉପକଣ୍ଠ ଉତ୍ତରରେ ଅବସ୍ଥିତ ଏହି ଧାର୍ମିକ ପାହାଡ଼କୁ ବରଦାୟିନୀ ପାହାଡ଼ ବୋଲି କହନ୍ତି। ଏହା ବ୍ୟତୀତ ଏହି ବରଦାୟିନୀ ପାହାଡ଼କୁ କେହି କେହି ବାର୍ଦ୍ଦାମଣୀ ପାହାଡ଼, ଋଷିଗୁମ୍ଫା, ସ୍ୱପ୍ନେଶ୍ୱର ପୀଠ ଏବଂ ଆଉ କେହି କେହି କଲ୍ୟାଣ ଆଶ୍ରମ ବୋଲି କହନ୍ତି। ଘନ ଅରଣ୍ୟ ବେଷ୍ଟିତ ଏହି ସୁଉଚ୍ଚ ପର୍ବତ ପୁରାଣ ପ୍ରସିଦ୍ଧ ମଣିଭଦ୍ରା ପାହାଡ଼ ସହିତ ପ୍ରତ୍ୟକ୍ଷ ସଂଯୁକ୍ତ ରହିଥିବା କୁହାଯାଏ। କୀମ୍ବଦନ୍ତି ଭରା ବରଦାୟିନୀ ପାହାଡ଼ ଉପରେ ଅନେକ ଲୋକକଥା ଶୁଣିବାକୁ ମିଳେ। ତ୍ରେତୟା ଯୁଗରେ ପ୍ରଭୁୂ ରାମଚନ୍ଦ୍ର ବନବାସ କାଳରେ ଏହି ପାହାଡ଼ରେ ଦେବୀ ବରଦାୟିନୀକୁ ପୂଜା କରି ବରପ୍ରାପ୍ତ ହୋଇଥିବା ଜଣାଯାଏ। ଯାହାର ମୁକସାକ୍ଷୀ ସ୍ୱରୁପ ଏହାର ଏକ ପାଶ୍ୱର୍ରେ ଲକ୍ଷ୍ମଣ ଠାକୁର ସ୍ଥଳୀ ରହିଥିବା ଦେଖିବାକୁ ମିଳେ। ସମ୍ପ୍ରତି ମହାବୀର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ମହାବୀରଙ୍କ ସ୍ୱପ୍ନାଦେଶ କ୍ରମେ ଏଠାକାର ଜନୈକ ଭଞ୍ଜବଂଶୀ ରାଜା ଶ୍ରୀ ବିଗ୍ରହଙ୍କୁ ଆବିଷ୍କାର କରି ଗଡ଼ମୁକାମରେ ପ୍ରତିଷ୍ଠା କରିଥିବାର ଇତିହାସ କୁହେ। ସେଥିପାଇଁ ଏ ସ୍ଥଳ ଶ୍ରୀ ବିଗ୍ରହଙ୍କର ଆଦିପୀଠର ମାନ୍ୟତା ପାଇଛି। କୀମ୍ବଦନ୍ତି ଅନୁସାରେ ପାଣ୍ଡବମାନେ ମଣିଭ୍ରଦାରେ ଅବସ୍ଥାନ କରିବା ପାଇଁ ଏଇବାଟ ଦେଇ ଗଲାବେଳେ ଏଠାରେ ବିଶ୍ରାମ ଦେଇଥିବା ଜନଶ୍ରୁତିରୁ ଜଣାପଡ଼େ। ଏହି ପାହଡ଼ର ଗୁମ୍ଫାରେ ମୁନି ଋଷିମାନେ ରହୁଥିବାବେଳେ ଅମ୍ବୁଧୀ ମୁନିଙ୍କ ଏହା ଥିଲା ତପସ୍ୟା ସ୍ଥଳ ବୋଲି କୁହାଯାଏ। ଗଭୀର ନିଶୀଥରେ ଏଠାରୁ ମୃଦଙ୍ଗ, ତାଳ ଓ ଶଙ୍ଖ ଧ୍ୱନୀର ଶଦ୍ଦ ଶୁଣା ଯାଉଥିବା କେତେକ କହନ୍ତି। ଆଗରୁ ବହୁ ନାଗା ସନ୍ୟାସୀଙ୍କର ଏଠାକୁ ଆଗମନ ହେଉଥିଲାବେଳେ ସେମାନେ ଏଠାରେ ରାତ୍ରୀ ଯାପନ କରିବାକୁ ପସନ୍ଦ କରୁଥିଲେ। ଏମାନଙ୍କୁ ଏଠାକାର ଅଧିବାସୀ ଯମୌତ ବୋଲି କହନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଏଠାରେ ଗିରିପୂଜା କରାଯାଇ ପାହଡ଼ର ଶୀର୍ଷରେ ଥିବା ଦେବୀ ବରଦାୟିନୀଙ୍କ ପାଖରେ ଜଗତର ମଙ୍ଗଳ ପାଇଁ ବାନା ବନ୍ଧାଯିବା ପରମ୍ପରା ରହିଛି। ଏହି ପାହାଡ଼ର ମାହାତ୍ମା ରହିଥିବାରୁ ପାହାଡ଼ର ପାଦ ଦେଶରେ ଏକ ପଥର ଗୁମ୍ଫାରେ ମହାବୀର ମୂର୍ତ୍ତୀ ସନ୍ଧାନ କରାଯାଇ ସ୍ୱପ୍ନ ମହାବୀର ନାମରେ ପୂଜା କରାଯାଏ। ଜିଲା ପ୍ରଶାସନ ତଥା ଆଗ୍ରହୀ ଭକ୍ତଙ୍କ ଉଦ୍ୟମରେ ଏଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କରାଯାଇ ଶ୍ରୀ ରଘୁନାଥ ଓ ସିଦ୍ଧ ବିନାୟକଙ୍କୁ ପୂଜା କରାଯାଉଥିବା ଦେଖିବାକୁ ମିଳେ। ପଣା ସଂକ୍ରାନ୍ତିରେ ଏଠାରେ ତିନିଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଥିବାବେଳେ ହଜାର ହଜାର ସଂଖ୍ୟାରେ ବହୁ ଭକ୍ତ ସମାଗମ ହେଉଥିବା ପରିଲକ୍ଷିତ ହୁଏ। ଶ୍ରୀବିଗ୍ରହ ପୂଜାସ୍ଥଳର ଅପର ପାଶ୍ୱର୍ରେ ଏକ ସନ୍ଥ ଆଶ୍ରମ ଦେଖିବାକୁ ମିଳେ। ରାଜ୍ୟ ଓ ରାଜ୍ୟ ବାହାରୁ ଏହି ସନ୍ଥ ଆଶ୍ରମକୁ ବହୁ ସାଧୁ ସନ୍ଥ ଆସୁଥିବା ଦୃଷ୍ଟି ଗୋଚର ହୁଏ। ବର୍ଷ ତମାମ ପର୍ଯ୍ୟଟକ ତଥା ଭକ୍ତମାନଙ୍କ ସୁଅ ଏଠାକୁ ଛୁଟୁଥିବାବେଳେ ବରଦାୟିନୀ ପାହାଡ଼ର ମାହାତ୍ମ ଅନନ୍ୟ ବୋଲି ବହୁ ଭକ୍ତ ତଥା ପର୍ଯ୍ୟଟକ ସ୍ୱୀକାର କରନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.