Home ଜିଲ୍ଲା ପରିକ୍ରମା ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ବନ୍ଦ ଲାଗି ଷଡ଼ଯନ୍ତ୍ର, ମୁହଁ ଖୋଲିଲେ ସଂଖ୍ୟାଧିକ କର୍ମଚାରୀ

ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ବନ୍ଦ ଲାଗି ଷଡ଼ଯନ୍ତ୍ର, ମୁହଁ ଖୋଲିଲେ ସଂଖ୍ୟାଧିକ କର୍ମଚାରୀ

40

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଐତିହ୍ୟ ଓ ସୁନାମ ସୃଷ୍ଟି କରିଥିବା ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ କେତେକ କର୍ମଚାରୀ ଷଡ଼ଯନ୍ତ୍ର କରୁଥିବା ନେଇ ଆଜିବହୁ କର୍ମଚାରୀ ଏକ ସମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ଭଦ୍ରକର ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇ ଜଣାଇଛନ୍ତି ଯେ, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟର ପରିଚାଳନାଗତ ବିବାଦ କୋର୍ଟର ବିଚାରାଧୀନ ରହିଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସର୍ତ୍ତମୂଳେ ଏହାର ପରିଚାଳନା ଦାୟିତ୍ୱ ପରିଚାଳନା କମିଟିକୁ ପ୍ରଦାନ କରିଛି। ସେହି ସର୍ତ୍ତଗୁଡ଼ିକ ମଧ୍ୟରେ ଗୋଟିଏ ସର୍ତ୍ତ ରହିଛି ଯେ ପରିଚାଳନା କମିଟି ପ୍ରତିମାସ ୭ ତାରିଖ ମଧ୍ୟରେ କର୍ମଚାରୀଙ୍କୁ ଦରମା ପଇଠ କରିବ। ଯାହାକୁ ପରିଚାଳନା କମିଟି ପାଳନ କରି ମହାବିଦ୍ୟାଳୟକୁ ଚଳାଇ ଆସିଥିଲା। ତେବେ ମହାବିଦ୍ୟାଳୟର ଏହି ବିବାଦ ଏବଂ କୋଭିଡ଼ କାରଣରୁ ଛାଛାତ୍ରୀମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ନାମଲେଖା ଏକ ପ୍ରକାର ବନ୍ଦ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଫଳରେ ମହାବିଦ୍ୟାଳୟର ଆର୍ଥିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପଡ଼ିଛି। ଯାହା ପାଇଁ ପରିଚାଳନା କମିଟି ଧାର୍ଯ୍ୟ ସମୟରେ ଦରମା ଦେବାକୁ ସକ୍ଷମ ହୋଇ ପାରିନଥିଲା। ସେଥିଲାଗି କିଛି କର୍ମଚାରୀ ଉଚ୍ଚ ନ୍ୟାୟାଳୟରେ ପିଟିସନ (୨୦୮୫/୨୦୧୯) ଦାଖଲ ମଧ୍ୟ କରିଛନ୍ତି। ଯାହାର ଶୁଣାଣୀ ଗତ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ ହୋଇଥିଲା।

ମାତ୍ର କିଛି କର୍ମଚାରୀ ସେ ସମୟ ପର୍ଯ୍ୟନ୍ତ ଅପେକ୍ଷା ନକରି ବେଆଇନ ଭାବେ ଅନ୍ୟ କର୍ମଚାରୀଙ୍କୁ ପ୍ରବର୍ତ୍ତାଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ଫାଟକ ଆଗରେ ଗଣଧାରଣାରେ ବସିଥିଲେ। କର୍ମଚାରୀମାନଙ୍କ ଦ୍ୱାରା ଉଚ୍ଚ ନ୍ୟାୟାଳୟରେ ଆଗତ ପିଟିସନର ପରବର୍ତ୍ତୀ ଶୁଣାଣୀ ଆସନ୍ତା ସେପ୍ଟେମ୍ବର ୬ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ମାତ୍ର କମଚାରୀଙ୍କ ଆନ୍ଦୋଳନ ବୁଦ୍ଧିଜୀବୀଙ୍କ ମନରେ ସଂଶୟ ସୃଷ୍ଟି କରିଛି। ଏହି ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତର୍ଜମା କଲେ କେତେକ ଚକ୍ରାନ୍ତକାରୀଙ୍କ ଦ୍ୱାରା ପ୍ରଭାବିତ ହୋଇ ନଗଣ୍ୟ କର୍ମଚାରୀ ମହାବିଦ୍ୟାଳୟର ଖ୍ୟାତି, ସୁନାମକୁ ବଦ୍‌ନାମ କରିବା ସହ ଛାତ୍ରଛାତ୍ରୀଙ୍କ ନାମଲେଖା କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି କରୁଛନ୍ତି। କେବଳ ସେତିକି ନୁହେଁ ଏହା ଦ୍ୱାରା ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶରେ ବ୍ୟାଘାତ ସୃଷ୍ଟି କରିବା ସହ କର୍ମଚାରୀଙ୍କ ଦରମା ପ୍ରଦାନରେ ମଧ୍ୟ ବାଧା ସୃଷ୍ଟି କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ମନୀନ୍ଦ୍ର କୁମାର ମହାନ୍ତି, ଲଳିତେନ୍ଦୁ ନାୟକ, ସଂଜିତ ରାୟ, ବିଜୟ କୁମାର ମହାନ୍ତି, ନିକୁଞ୍ଜ ଦୀକ୍ଷିତ, ଲକ୍ଷ୍ମୀକାନ୍ତ ଶଙ୍ଖୁଆ, ଦିଲିପ କୁମାର ଜେନା, ଭାଗିରଥୀ ରାଉତ, ପ୍ରଦିପ ବେହେରା, ସନ୍ତୋଷ ନାୟକ ପ୍ରମୁଖ କହିଛନ୍ତି।

ତେବେ ପ୍ରକାଶ ଥାଉକି, ବରପଦା ଯାନ୍ତ୍ରିକ ମହାବିଦ୍ୟାଳୟ ପରିଚାଳନାକୁ ନେଇ ବିକାଶ ରଂଜନ ଜେନା, ବିଜୟ କୁମାର ମହାପାତ୍ର, ଶ୍ରୀକାନ୍ତ ମହାପାତ୍ରଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ୪ଗୋଟି ମାମଲା ଡବ୍ଲ୍ୟୁପିସିଆରଏଲ୍ ନଂ ୫୫/୨୦୧୮, ଡବ୍ଲ୍ୟୁପିସିପିଆଇଏଲ୍ ନଂ -୩୭୨୨/୧୯, ଡବ୍ଲ୍ୟୁପିସି ନଂ -୧୨୪୭୮/୧୬, ଡବ୍ଲ୍ୟୁପିସି ନଂ -୧୨୭୯୬/୨୦୧୬ ରୁଜ କରାଯାଇଛି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି ସବୁ ମାମଲାକୁ ବିଚାର କରି ମଧ୍ୟବର୍ତ୍ତୀକାଳୀନ ରାୟ ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଉଚ୍ଚ ନ୍ୟାୟାଳୟର ମାମଲା ବିଚାରାଧୀନ ଥିବା ବେଳେ କିଛି ଉତ୍‌ଶୃଙ୍ଖଳ କର୍ମଚାରୀ ବେଆଇନ ଭାବେ ଧାରଣା ଓ ଧର୍ମଘଟ ଚଳାଇଛନ୍ତି। ଏହାକୁ ବିରୋଧ କରି କଲେଜ ଅଧ୍ୟକ୍ଷ ଏବଂ ବିଭାଗୀୟ ମୁଖ୍ୟମାନେ ଗତ ତା୧୮ା୫ା୨୦୨୨ରିଖରେ ଜିଲ୍ଳାପାଳ ଭଦ୍ରକଙ୍କୁ ଅବଗତ କରାଇଥିଲେ। ମହାବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ କିଛି ନ୍ୟସ୍ତ ସ୍ୱାର୍ଥ ହାତ ଗଣତି କର୍ମଚାରୀ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ସେମାନଙ୍କ ପେଟପାଟଣା ଚିନ୍ତା କମ୍ କଲେଜ ବନ୍ଦ କରିବା କଥା ଅଧିକ ରହୁଛି। ତେଣୁ ସେମାନେ ଏହାକୁ ଘୋର ବିରୋଧ କରିବା ସହ ନ୍ୟାୟାଳୟର ନ୍ୟାୟକୁ ଅପେକ୍ଷା କରିବା ଆବଶ୍ୟକ ବୋଲି ସମ୍ମିଳନୀରେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.