Home ଓଡ଼ିଶା ବନ୍ୟା ବିପନ୍ନମାନଙ୍କୁ ଉଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସର ଦାବି

ବନ୍ୟା ବିପନ୍ନମାନଙ୍କୁ ଉଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ କିଷାନ କଂଗ୍ରେସର ଦାବି

56

ଭୁବନେଶ୍ୱର, ତା ୧୭/୮(ଓଡ଼ିଆ ପୁଅ)- ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁରର୍ଣ୍ଣରେଖା ପ୍ରଭୃତି ନଦୀ ଓ ତାର ଶାଖା ନଦୀରେ ପ୍ରବଳ ବନ୍ୟା ପ୍ରବାହ ଯୋଗୁଁ ରାଜ୍ୟର ୧୦ଗୋଟି ଜିଲ୍ଲାର ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଘୋର ଦୁର୍ଦ୍ଦଶା ମଧ୍ୟରେ ପାଣି ଘେରରେ ରହିଛନ୍ତି। ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ। ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁଁ ପୂର୍ବ ନିର୍ମିତ ବନ୍ଧବାଡ଼ିଗୁଡ଼ିକ ଦୁର୍ବଳ ଥିବାରୁ ଅଧିକାଂଶ ସ୍ଥାନରେ ଏବେ ଘାଇ ସୃଷ୍ଟି ହୋଇଛି। ଫଳରେ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ପ୍ରତି ଅଦ୍ୟାବଧି ସେପରି ଗୁରୁତ୍ୱ ଦିଆଯାଉ ନାହିଁ। ବନ୍ୟାଜଳ ନିୟନ୍ତ୍ରଣ କରିବାରେ ସରକାରଙ୍କ ଅସଫଳତା ପଦାରେ ପଡ଼ିଛି। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ନଦୀ ବନ୍ଧ ଦୁର୍ବଳ ପାଇଁ ରାଜ୍ୟ ସରକାରଙ୍କୁ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଦାୟି କରିଛନ୍ତି। ତତ୍‌କ୍ଷଣାତ୍ ବିପନ୍ନ ଲୋକଙ୍କୁ ଥଇଥାନ ଓ ସହାୟତା ଯୋଗାଇବାରେ ସରକାର ଓ ପ୍ରଶାସନର କଚ୍ଛପ ଗତିରେ ବ୍ୟବସ୍ଥା ଚାଲିଛି। ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମିରେ ବାଲିଚର ମାଡ଼ିଯାଇଛି। ଚଳିତ ଚାଷରେ ବହୁ କଷ୍ଟରେ ବିହନ ଓ ତଳିରେ ଖର୍ଚ୍ଚ କରିଥିବା ଚାଷୀ ଏବେ ବେ-ସାହାରା। ତେଣୁ ସରକାର ଚାଷୀଙ୍କ ବିକାଶ ପାଇଁ ଖାଲି ପ୍ରଚାର ପ୍ରସାରକୁ ଗୁରୁତ୍ୱ ନ ଦେଇ ବାସ୍ତବ କ୍ଷେତ୍ରରେ ବିପନ୍ନମାନଙ୍କ ତୁରନ୍ତ ରିଲିଫ୍ ସାମଗ୍ରୀ ପ୍ରଦାନ, ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ, ଆବଶ୍ୟକ ଔଷଧ ପତ୍ର ଯୋଗାଣ, ମାଗଣାରେ ଗୋରୁ ଗାଈଙ୍କ ଖାଦ୍ୟ ଯୋଗାଣ ଏବଂ ପାଣି ଛାଡ଼ିବା ପରେ ଫସଲ କ୍ଷତିଗ୍ରସ୍ତ ଚାଷ ଜମିର ସଠିକ୍ ଅନୁଧ୍ୟାନ କରି ରାଜ୍ୟ ସରକାର ତୁରନ୍ତ ପ୍ରତି ଏକର ପିଚ୍ଛା କ୍ଷତିଗ୍ରସ୍ତ ଚାଷୀଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ସହାୟତା, ଦୁର୍ବଳ ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ, ସବୁ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ବିନା ସୁଧରେ କୃଷିଋଣ ଓ ତଳି, ଉନ୍ନତ ବିହନ ଓ ସାର ମାଗଣାରେ ଯୋଗାଇ ଦେବାକୁ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ, ଓ ବିଭିନ୍ନ ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ଭଗବାନ ଜେନା, ବିଜୟ କୁମାର ସ୍ୱାଇଁ, ନିରଞ୍ଜନ ବେହେରା, ସଦାନନ୍ଦ ଓଝା, ନର ନାରାୟଣ ଜେନା, ନାରାୟଣ ପରିଡ଼ା, ବସନ୍ତ କୁମାର ମହାରଣା, ଧ୍ରୁବ ଚରଣ ପରିଡ଼ା ପ୍ରମୁଖ ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.