Home ଜିଲ୍ଲା ପରିକ୍ରମା ବନ୍ୟା କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ

ବନ୍ୟା କ୍ଷୟକ୍ଷତିର ଆକଳନ କଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ

82

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛି ଦିନ ତଳେ ବୈତରଣୀ ନଦୀରେ ବନ୍ୟା ଆସି ଭଦ୍ରକ ଜିଲ୍ଲାର ବ୍ୟାପକ କ୍ଷତି ଘଟାଇଛି । ବହୁ ଘର ଭାଙ୍ଗିଥିବା ବେଳେ ହଜାର ହଜାର ହେକ୍ଟର ଜମିର ଫସଲ ହାନୀ ହୋଇଛି । ଏହି ବନ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଆଜି ଭଦ୍ରକରେ ଏକ କେନ୍ଦ୍ରୀୟ ଟିମ୍ ପହଞ୍ଚି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ଭଦ୍ରକରେ ପହଞ୍ଚିବା ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ଏବଂ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦୋକ ମଧୁସୂଦନ ଦାସ ବ୍ୟନାଞ୍ଚଳ ପରିଦର୍ଶନରେ ନେଇଥିଲେ । ଏହି ଦଳରେ ଜଳ ସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଅମ୍ରିଶ ପାଲସିଂ, କୃଷି ନିର୍ଦ୍ଦେଶକ ଏମ୍‌. ମୁଥୁକୁମାର ଏବଂ ସି.ଇ. ଏଲଏମ୍‌ବି ଯୁଗଳ କୁମାର ତ୍ରିପାଠୀ ଧାମନଗର ବ୍ଳକର ବୟାଙ୍ଗଡିହି, କୋଠାର ଅଞ୍ଚଳ ଯାଇ ସେଠାରେ ବନ୍ୟା ଦ୍ୱାରା ହୋଇଥିବା ଫସଲ, ରାସ୍ତାଘାଟ କ୍ଷୟକ୍ଷତିର ଆକଳନ କରିଥିଲେ । ପରେ ଫତେପୁର ନେଞ୍ଜରା ଗ୍ରାମକୁ ଯାଇ ଘରଭଙ୍ଗା ଆକଳନ କରିଥିଲେ । ସ୍ଥାନୀୟ ତହସିଲଦାର, ବିଡିଓ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ପରେ ଏହି ଦଳ ପାନ୍ଥନିବାସରେ ଏକ ସମୀକ୍ଷା ବୈଠକ କରିଥିଲେ । ଶ୍ରୀଯୁକ୍ତ ବଶିଷ୍ଠଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଗତ ବନ୍ୟାର ବିଭିନ୍ନ ଚିତ୍ର ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ପରେ ଏହି ଦଳ ବନ୍ୟାର କ୍ଷତି, ଏହାର ନିରାକରଣ, ବନ୍ୟା ପରବର୍ତ୍ତୀ ସମୟରେ ବନ୍ୟା ପୀଡିତଙ୍କୁ ଯୋଗାଣ ହୋଇଥିବା ସହାୟତା ଆଦି ସମ୍ପର୍କରେ ପଚାରି ବୁଝିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଡ. ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାସଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.