Home ଓଡ଼ିଶା ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର...

ବନ୍ଦ ହେଉ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବା ପ୍ରୟାସ: ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଓୟୁଜେର ସ୍ମାରକପତ୍ର

53

ସମ୍ବଲପୁର, ୨୮/୮ (ଓଡ଼ିଆ ପୁଅ) ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ ଧରି ସମ୍ବଲ ଦୂରଦର୍ଶନ କେନ୍ଦ୍ର ପଶ୍ଚିମ ଓଡିଶାର ଜନଜୀବନର ଏକ ଅଭିନ୍ନ ଅଙ୍ଗ ହୋଇଆସିଛି। ସାହିିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର ସମ୍ବଲପୁରରେ ସୃଜନଶୀଳ ଲେଖକ ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଏହି କେନ୍ଦ୍ରକୁ ଉଠାଇନେବା ପ୍ରୟାସ ବିରୋଧରେ ସ୍ୱର ଉଠାଇଛି ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ)। ଏହି ମର୍ମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କୁ ଶନିବାର ଦିନ ଏକ ସ୍ମାରକପତ୍ର ପ୍ରଦାନ କରିଛି ଓୟୁଜେ।

ରବିବାର ଦିନ ଓୟୁଜେର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସମ୍ବଲପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଶନିବାର ସଂଧ୍ୟାରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଓୟରୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ଉଠାଇନେବାକୁ ହେଉଥିବା ପ୍ରୟାସକୁ ନାପସନ୍ଦ କରାଯାଇଥିଲା। ପଶ୍ଚିମ ଓଡିଶାର ଭାବାବେଗ ପ୍ରତି ଏଭଳି ଉଦ୍ୟମ ଶକ୍ତ କୁଠାରଘାତ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଦଳମତ ନିର୍ବିଶେଷରେ ଏହା ବିରୋଧରେ ପ୍ରକାଶ ପାଇଥିବା ଜନମତ ସହିତ ଓୟୁଜେ ନିଜକୁ ସାମିଲ୍ କରିବା ସହ ଏଭଳି ଉଦ୍ୟମରୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ କରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁରଙ୍କ ଉଦ୍ଦ୍ୟେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳ ଦାୟିତ୍ୱରେ ଥିବା ସମ୍ବଲପୁର ପ୍ରକଳ୍ପ ଅଧିକାରୀ ସୁକାନ୍ତ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା।

ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତିକୁ ପ୍ରତ୍ୟାହାର କରିବା ସହିତ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ କେନ୍ଦ୍ରଭାବେ ବିକଶିତ କରିବା ପାଇଁ ସ୍ମାରକପତ୍ରରେ ଦାବି କରାଯାଇଛି।

ପ୍ରତିନିଧି ଦଳରେ ଓୟୁଜେ ସଭାପତି ଶ୍ରୀ ମହାନ୍ତିଙ୍କ ସହ ସାଧାରଣ ସମ୍ପାଦକ ଅଶୋକ ନନ୍ଦ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରଭାତ ବେହେରା, ରାଜେଶ ବିଭାର, ରାଜ୍ୟ ଉପସଭାପତି ଉପନ ସାହୁ ଓ କିଶାନ ରାଉତ; ସମ୍ପାଦକ ଇଂଗିତ ପଣ୍ଡା, କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ଜିଲ୍ଲା ଉପସଭାପତି ହେମନ୍ତ ରାଉତ, ରାଜେନ୍ଦ୍ର ନାୟକ, ଶରତ ପ୍ରଧାନ ଓ ଜୟନ୍ତ ଖଡିରତ୍ନ ପ୍ରମୂଖ ସାମିଲ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.