Home କେନ୍ଦୁଝର ବଦଳିଲେ ଯୋଡା ଥାନା ଅଧିକାରିଣୀ, ଯୋଗଦେବେ ସଦର ଥାନା ଅଧିକାରୀ

ବଦଳିଲେ ଯୋଡା ଥାନା ଅଧିକାରିଣୀ, ଯୋଗଦେବେ ସଦର ଥାନା ଅଧିକାରୀ

44

ଯୋଡା, ୨୫ା୫ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ବେସ କିଛି ଦିନ ଧରି ଯୋଡା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ହତ୍ୟା, ଲୁଟ୍‌, ଚୋରି, ଦଙ୍ଗା ଭଳି ଘଟଣା ସମଗ୍ର ଯୋଡା ସହରର ବାତାବରଣକୁ ପ୍ରଭାବିତ କରିଛି। ଦୁର୍ବଳ ପେଟ୍ରୋଲିଂ ସାଙ୍ଗକୁ ଯୋଡା ପୁଲିସର ସମୟ ଉପଯୋଗୀ ପଦକ୍ଷେପ ନେବାରେ ବିଫଳତା ଯୋଡା ଜନସାଧାରଣଙ୍କୁ ଅତିଷ୍ଟ କରିଛି। ନିକଟରେ ଭାଇଚାରାର ସହର ଯୋଡାରେ ଦଙ୍ଗା ପରିସ୍ଥିତି, ଗତ ୧୫ଦିନ ମଧ୍ୟରେ ବନ୍ଧୁକ ଦେଖାଇ ୨ଟି ଲୁଟ୍ ଏବଂ ସଟର ତାଢି ଦୋକାନ ଚୋରି ଭଳି ଘଟଣା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଦେଇଛି। ଆଇନ ସୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡିବା ଯୋଗୁଁ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଯୋଡା ଭାରପ୍ରାପ୍ତ ଅଧିକାରିଣୀ ପଦ୍ମାଳୟା ସାହୁଙ୍କୁ ସ୍ଥାନାନ୍ତରିତ କରି ତାଙ୍କ ସ୍ଥାନରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଜୟନାରାୟଣ ଖଣ୍ଡାଇଙ୍କୁ ଯୋଡାର ନୂତନ ଭାରପ୍ରାପ୍ତ ଅଧିକାରୀ ଭାବେ ସ୍ଥାନାନ୍ତରିତ କରିଥିବା ଜଣାପଡିଛି। ଶ୍ରୀ ଖଣ୍ଡାଇ ସଦର ଥାନା ଏସ୍‌.ଆଇ. ବି.କେ. ସିଂଙ୍କୁ ତାଙ୍କର ଦାୟିତ୍ୱ ହସ୍ତାନ୍ତର କରି ଯୋଡାରେ ଯୋଗଦେବା ପାଇଁ କେନ୍ଦୁଝର ଏସ୍‌.ପି. ୨୪.୦୫.୨୦୨୨ରେ ଚିଠି ସଂଖ୍ୟା ୨୧୫ରେ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ପଦ୍ମାଳୟା ସାହୁ କେନ୍ଦୁଝର ପୁଲିସ ମୁଖ୍ୟାଳୟରେ ଯୋଗଦେବାକୁ ଏହି ନିର୍ଦ୍ଦେଶ ନାମାରେ ଉଲ୍ଲେଖ ରହିଛି। ପଦ୍ମାଳୟା ସାହୁ ୧୧.୦୫.୨୦୨୧ରେ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଯୋଡା ଏକ ଖଣି ଓ ଶିଳ୍ପ ବହୁଳ ଅଞ୍ଚଳ। ଆଇନ ଶୃଙ୍ଖଳା ପରିସ୍ଥିତ ଦୃଷ୍ଠିରୁ ଏକ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଗଣିତ ହେଉଥିବାବେଳେ ଏହା ବିଭିନ୍ନ ସମୟରେ ଅଧିକାରୀମାନଙ୍କ ନିମନ୍ତେ ଆହ୍ୱାନ ସୃଷ୍ଟିକରିଥାଏ। ଖଣିଜ ସମ୍ପଦ ଚୋରାକାରବାର, ମଦ ମାଫିଆଙ୍କ ଦୌରାତ୍ମ୍ୟ, ଗଞ୍ଜେଇ ଓ ନିଶା ଔଷଧର ତସ୍କରୀ, ସ୍କ୍ରାପ ଲୁହା ଚୋରା ଚାଲାଣ, ସୀମାନ୍ତ ଅଞ୍ଚଳ ଯୋଗୁଁ ଝାଡଖଣ୍ଡୀ ଅପରାଧୀଙ୍କ ଆଧିପତ୍ୟ, ବନ୍ଧୁକ ଦେଖାଇ ପରିବହନ ଠିକାଦାର, ପେଟ୍ରୋଲ ପମ୍ପ, ସପିଂ ମଲରୁ ଲୁଟ୍‌, ହତ୍ୟା, ରାଜନୈତିକ ହିଂସାକାଣ୍ଡ, ଅବ୍ୟବସ୍ଥିତ ଢଙ୍ଗରେ ପରିବହନ ଯୋଗୁଁ ଦୂର୍ଘଟଣା, ଟ୍ରାଫିକ୍ ସମସ୍ୟା, ଖଣି ଶିଳ୍ପରେ ଆନ୍ଦୋଳନ ଓ ଧର୍ମଘଟ, ଅସାମାଜିକଙ୍କ କାର୍ଯ୍ୟକଳାପ ଯୋଗୁଁ ରାହାଜାନି ଓ ଲୁଣ୍ଠନ, ଆଦିବାସୀ ସମ୍ପ୍ରଦାୟ ବହୁଳ ଇଲାକା ହୋଇଥିବାରୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା ପ୍ରଭୃତି ମୁଖ୍ୟ ପ୍ରସଙ୍ଗ ଭାବେ ଉଭା ହୋଇଥାଏ। ତେଣୁ ଏଠାରେ ସବୁସମୟରେ ଜଣେ ଦକ୍ଷ ଅଧିକାରୀଙ୍କ ଆବଶ୍ୟକ ପଡିଥାଏ। ତେବେ ନୂତନ ଥାନା ଅଧିକାରୀ ଏ ସବୁ ନିୟନ୍ତ୍ରଣରେ କେତେ ସଫଳ ହେବେ ଆଗାମୀ ଦିନରେ ଜଣାପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.