Home ଜିଲ୍ଲା ପରିକ୍ରମା ବଦଳିଛି ଚାନ୍ଦବାଲିର ରୂପରେଖ – ବାଁଶଡ଼ା ଓ ତିନିତର ସେତୁ ଉପରେ ଫୋକସ୍‌, ଚାନ୍ଦବାଲି ବିଧାନସଭା...

ବଦଳିଛି ଚାନ୍ଦବାଲିର ରୂପରେଖ – ବାଁଶଡ଼ା ଓ ତିନିତର ସେତୁ ଉପରେ ଫୋକସ୍‌, ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ

27

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା କଟକଣା ପାଇଁ କିଛି ବର୍ଷ ଧରି ବନ୍ଦ ଥିବା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଆଜି ବିଜୁ ସ୍ମୃତି ଭବନ, ଚାନ୍ଦବାଲିରେ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବିଧାୟକ ତଥା ଅଧ୍ୟକ୍ଷ ଜିଲ୍ଲାଯୋଜନା ବୋର୍ଡ଼, ଭଦ୍ରକ ଡ଼. ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ପ୍ରୀତିମୟ, ଚାନ୍ଦବାଲି ଏନ୍‌.ଏ.ସି. ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଚାନ୍ଦବାଲି ବ୍ଲକ୍ ଅଧ୍ୟକ୍ଷା ମିନତୀ ବେହେରା, ତିହିଡ଼ି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ, ଭଦ୍ରକ ଏମ୍‌.ପିଙ୍କ ପ୍ରତିନିଧି ଅଶୋକ କୁମାର ବଳ ଏବଂ ଉପନିର୍ଦ୍ଦେଶକ, ପ୍ଲାନିଂ ଭଦ୍ରକ ମହେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ୧୦୦ କୋଟି ଟଙ୍କା ବ୍ୟୟରେ ଚାନ୍ଦବାଲି ପାଇଁ ସ୍ୱତନ୍ତ୍ର ଗ୍ରୀଡ଼ ନିର୍ମାଣ, ୨୩୦ କୋଟି ଟଙ୍କା ବ୍ୟୟରେ ଭଦ୍ରକ ଚାନ୍ଦବାଲି ରାସ୍ତାର ନିର୍ମାଣ ପରେ ପ୍ରାୟ ଏକହଜାର କୋଟି ଟଙ୍କାରେ ଆର.ଡ଼ବ୍ଲ୍ୟୁ. ଏସ୍‌.ଏସ୍‌. ଓ ପି.ଏଚ୍‌.ଡ଼ି. ବିଭାଗ ଦ୍ୱାରା ଶେଷ ହେବାକୁ ଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଚାନ୍ଦବାଲିର ରୂପରେଖ ବଦଳି ଯାଇଥିଲେ ବି ଆରଡ଼ି ସହିତ ସଂଯୋଗ ପାଇଁ ତିନିତର ସେତୁ ଓ ଧାମରା ସହିତ ସଂଯୋଗ ପାଇଁ ବାଁଶଡ଼ା ସେତୁର ନିର୍ମାଣ ଦ୍ୱାରା ଚାନ୍ଦବାଲି ବାସୀଙ୍କର ୨ଟି ବଡ଼ ସ୍ୱପ୍ନ ପୂରଣ ହେବ ବୋଲି ବିଧାୟକ ଶ୍ରୀଯୁକ୍ତ ରାୟ ପ୍ରକାଶ କରିଥିଲେ। ପ୍ରତ୍ୟେକ ବିଭାଗର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରାଯିବା ପରିପ୍ରେକ୍ଷୀରେ ବିଧାୟକ, ଜିଲ୍ଲାପାଳ ଓ ସି.ଡ଼ି.ଓ.ଙ୍କ ଆଲୋଚନା ଅନୁଯାୟୀ ବୈଠକରେ ଉପସ୍ଥିତ ସମସ୍ତ ଜିଲ୍ଲାସ୍ତରୀୟ, ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉତ୍ତର ରଖିଥିଲେ।

ସମସ୍ତ ଲାଇନ୍ ଡ଼ିପାର୍ଟମେଣ୍ଟ ଦ୍ୱାରା ଜନସାଧାରଣଙ୍କ ପାଇଁ ଥିବା ଯୋଜନା ଏବଂ ସେଗୁଡ଼ିକର ସଫଳତା, ସମସ୍ୟା, ବିଭିନ୍ନ ପ୍ରକଳ୍ପର ଅଟକଳ, ଧାର୍ଯ୍ୟଲକ୍ଷ ପୂରଣ ସମୟ, ନିର୍ମାଣ ଜନିତ ସମସ୍ୟା, ନୂଆ ପ୍ରକଳ୍ପ ପାଇଁ ପ୍ରସ୍ତାବ ଆଦି ସମ୍ବନ୍ଧରେ ବିଧାୟକ ଅଧିକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ଆବଶ୍ୟକ ମତେ ନିର୍ଦ୍ଦେଶ ଓ ପରାମର୍ଶ ପ୍ରଦାନ କରିଥିଲେ। ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଶୌଚାଳୟ ନିର୍ମାଣ ଓ ନିଜସ୍ୱ କୋଠା ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଅଙ୍ଗନବାଡ଼ି ନିର୍ମାଣ ପାଇଁ ଜମି ସମସ୍ୟା ଥିବା ଜାଗାରେ ନିକଟସ୍ଥ ସ୍କୁଲ ପରିସରେ ନିର୍ମାଣ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଥିବା ସବ୍‌ସିଡ଼ି, ତାଲିମ ପ୍ରଦାନ ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ଦେବା ସହିତ ଜିଲ୍ଲାପାଳ ଆଗ୍ରହୀ ହିତାଧିକାରୀ ଚିହ୍ନଟ ଲାଗି ପରାମର୍ଶ ଦେଇଥିଲେ। ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବିଭିନ୍ନ ବିଭାଗ ଜରିଆରେ ବିଭିନ୍ନ ଯୋଜନାର ସୁଯୋଗ ନେଇ ପାରିଲେ ବର୍ତ୍ତମାନର ବେକାର ଯୁବ ଗୋଷ୍ଠୀ କି ଗାଁର ମହିଳା ଦଳ କିପରି ଆତ୍ମ ନିର୍ମରଶୀଳ ହୋଇପାରିବେ, ରୋଜଗାର କରି ଅନ୍ୟ ପାଇଁ ବି ରୋଜଗାରର ପନ୍ଥା ସୃଷ୍ଟିକରି ଉଦ୍ୟୋଗପତି ହୋଇପାରିବେ ସେ ସମ୍ବନ୍ଧରେ ମଧ୍ୟ ପ୍ରକାଶ କରିଥିଲେ। ଚାନ୍ଦବାଲି ବି.ଡ଼ି.ଓ. ଜ୍ୟୋତି ବିକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡ଼ି ବିଡ଼ିଓ ଜ୍ୟୋତିମୟ କର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ। ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ କେତେଜଣ ପୂର୍ବତନ ଜନପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.