Home ଜିଲ୍ଲା ପରିକ୍ରମା ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ଭଦ୍ରକ କୋର୍ଟ ପରିଦର୍ଶନ

ଉଚ୍ଚ ନ୍ୟାୟାଳୟ ବିଚାରପତି ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କ ଭଦ୍ରକ କୋର୍ଟ ପରିଦର୍ଶନ

26

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ଉପକୂଳ ଜିଲା ଭଦ୍ରକ ବିଚାରପତିମାନଙ୍କର ପ୍ରକୃତ ପାଠଶାଳା। ଭଦ୍ରକ ଜିଲାରେ ନିଯୁକ୍ତି ପାଇଥିବା ବିଚାରପତିମାନେ ଭଦ୍ରକର ବିଜ୍ଞ ଓକିଲମାନଙ୍କ ପାଖରୁ ଅନେକ ଆଇନ୍ ଶିକ୍ଷା କରିଥାନ୍ତି। ଯାହା ପରବର୍ତ୍ତୀ ଜୀବନରେ ବିଚାର ପ୍ରକ୍ରିୟାରେ ଏହା ସହାୟକ ହୋଇଥାଏ। ନିଜେ ଓକିଲାତି ପେଷାରେ ୧୩ ବର୍ଷ କାଳ ଆଇନ୍‌ଜୀବୀ ଭାବରେ ବିତେଇ ଥିବାରୁ ଓକିଲମାନଙ୍କ ସୁବିଧା ଅସୁବିଧା ବିଷୟରେ ସେ ଅବଗତ ଅଛନ୍ତି। ଭଦ୍ରକର କେବଳ ଓକିଲ ନୁହଁନ୍ତି ପୁରୁଖା ମୋହରୀରମାନେ ମଧ୍ୟ ଅର୍ଜି ଜବାବରେ ମାହିର। ଭଦ୍ରକରେ ପଡି ରହିଥିବା ସମସ୍ତ ପୁରାତନ ମାମଲାକୁ ତୁରନ୍ତ ଫଏସଲା କରାଯିବାକୁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେବା ସହ ଓକିଲମାନେ ଏଥିରେ ସହଯୋଗ କରିବା ଉଚିତ୍ ବୋଲି କହିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତି ଶଶିକାନ୍ତ ମିଶ୍ର। ସେ ଆଜି ଭଦ୍ରକ କୋର୍ଟ ପରିଦର୍ଶନ କରିବା ସହ ଜିଲା ଜଜ୍ କୋର୍ଟ ମଧ୍ୟ ତଦାରଖ କରିଥିଲେ। ଏହି ଅବସରରେ ଭଦ୍ରକ ଓକିଲ ସଂଘ ତରଫରୁ ନଳାଙ୍ଗ ସ୍ଥିତ ଓକିଲ ସଦନରେ ମାନ୍ୟବର ବିଚାରପତିଙ୍କୁ ଏକ ଭବ୍ୟ ସ୍ୱାଗତ ସଭାର ଆୟୋଜନ କରାଯାଇଥିଲା। ଭଦ୍ରକ ଓକିଲ ସଂଘର ବରିଷ୍ଠ ଅଧିବକ୍ତା ତଥା ରାଜ୍ୟବାର କାଉନ୍‌ସିଲର ପୂର୍ବତନ ସଦସ୍ୟ ପବନ ଶର୍ମା ସଭାପତିତ୍ୱ କରିଥିଲେ। ଏହି ସ୍ୱାଗତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକ, ବରିଷ୍ଠ ସଦସ୍ୟ ନିରାକାର ଜେନା, ଦିବ୍ୟସିଂହ ନାୟକ ପ୍ରମୁଖ ଓକିଲ ଓ ମହକିଲମାନଙ୍କ ମୌଳିକ ଦାବି ଉପସ୍ଥାପନ କରିଥିଲେ। ମାନ୍ୟବର ବିଚାରପତି କୋର୍ଟ ସ୍ଥାନାନ୍ତର ପରେ ରାଜପଥ ନିର୍ମାଣକୁ ତ୍ୱରାନ୍ୱିତ କରିବା, ଟାଉନ୍ ବସ୍ ତୁରନ୍ତ ଚଳାଚଳ, କୋର୍ଟ ପରିସରରେ ଏକ ପୋଷ୍ଟ ଅଫିସ୍ ଖୋଲିବା ଓ ପ୍ରସ୍ତାବିତ ଓକିଲ ସଦନର ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ଆରମ୍ଭ କରିବା ଦାବିକୁ ଶୀଘ୍ର ପୂରଣ କରିବାର ପ୍ରତିଶ୍ରୁତି ଦେଇଥିଲେ। ଓକିଲ ସଂଘ ତରଫରୁ ମାନ୍ୟବର ବିଚାରପତିଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ବରିଷ୍ଠ ଅଧିବକ୍ତା ବସନ୍ତ ଦାସ, ଅରୁଣ ମିଶ୍ର, ଶଶିଭୂଷଣ ପଣ୍ଡା ସମ୍ମାନିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକର କାର୍ଯ୍ୟରତ ବିଚାରପତି ସମେତ ଓକିଲ ସଂଘର ସଦସ୍ୟ ବିଜନ ଜେନା, ଧୀରେନ୍ଦ୍ର କୁମାର ରାୟ, କିଶୋର ଚନ୍ଦ୍ର ବଳ, ଅକ୍ଷୟ ମଲ୍ଲିକ, ଗଦାଧର ବଳ, ରଶ୍ମିରଂଜନ ଦୀକ୍ଷିତ୍‌, ତାହେର ମହମ୍ମଦ, ସେକ୍ ଇସ୍ତାର, ସଂଜୟ କୁମାର ମାଝୀ, ଗୋଲକ ଦାସ, ଗଣେଶ ଦାଶ, ସ୍ନିଗ୍ଧା ଗୌରଭ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ନାରାୟଣ ମହାପାତ୍ର, ନିଶିକାନ୍ତ ନାୟକ, ନିକୁଞ୍ଜ ପୁହାଣ, ନାରାୟଣ ଦାସ, ହିତାଂଶୁ କୁମାର ଗୌରଭ, ଜୟନ୍ତ କୁମାର ଭୋଇ, ରାଧାରାଣୀ ମହାପାତ୍ର, ସକିଲୁର ରହେମାନ ପ୍ରମୁଖ ଶତାଧିକ ଆଇନ୍‌ଜୀବୀ ଉପସ୍ଥିତ ଥିଲେ। ଶେଷରେ ଓକିଲ ସଂଘ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.