Home ଓଡ଼ିଶା ବଜାରରେ ଆଳୁ କେଜି ଛୁଇଁଲା ୩୦ ପଶ୍ଚିମବଙ୍ଗ ଦରବୃଦ୍ଧିର ପ୍ରଭାବ ବାଲେଶ୍ୱରରେ

ବଜାରରେ ଆଳୁ କେଜି ଛୁଇଁଲା ୩୦ ପଶ୍ଚିମବଙ୍ଗ ଦରବୃଦ୍ଧିର ପ୍ରଭାବ ବାଲେଶ୍ୱରରେ

164

ବାଲେଶ୍ୱର, ୨୧ା୭(ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଆ ଖାଦ୍ୟର ତରକାରୀ ତାଲିକାରେ ସର୍ବାଗ୍ରେ ରହୁଥିବା ‘ଆଳୁ’ର ସମ୍ପ୍ରତି ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ତଥା ଗରିବ ପରିବାରଙ୍କ ମଧ୍ୟରେ ହତାଶାର ଚିହ୍ନ ବାରି ହୋଇପଡ଼ିଛି। କରୋନା କଟକଣା ଭଳି ସଙ୍ଗୀନ ସ୍ଥିତିରେ ସାଧାରଣ ଲୋକେ ଜୀବିକା ତଥା ଉପାର୍ଜନ ହରାଇ ବସିଥିବା ବେଳେ ବଜାରରେ ପନିପରିବା ସମେତ ଅଳୁର ଦରବୃଦ୍ଧି ବେଢ଼ି ଉପରେ କରୋଡ଼ା ମାଡ଼ ସଦୃଶ ହୋଇଛି। ମାର୍ଚ୍ଚମାସର ଶେଷ ସପ୍ତାହରୁ କରେକଟକଣା ଲାଗୁ ହେବା ଦିନରୁ ବଜାରରେ ଆଳୁ ପିଆଜ ସମେତ ଅନ୍ୟାନ୍ୟ ପନିପରିବା ସ୍ୱାଭାବିକ ମୂଲ୍ୟଠାରୁ ଯାହାବି ଅଳ୍ପ ଉଚ୍ଚରେ ବିକ୍ରି ହେଉଥିଲା, ତାହା ଖାଉଟିଙ୍କ ଉପରେ ବିଶେଷ ପ୍ରଭାବ ପକାଇ ନଥିଲା। ସେତେବେଳେ ଆଳୁ କେଜି ପ୍ରତି ୧୪ରୁ ୧୬ ଟଙ୍କା ମୂଲ୍ୟରେ ଲୋକେ କିଣୁଥିଲେ। ମାତ୍ର ଗତ ୨/୪ ଦିନରେ ହଠାତ ଆଳୁଦର ଦୁଇଗୁଣ ବଢ଼ିଯିବା ସାଧାରଣ ଲୋକଙ୍କୁ ବିବଶ କରିପକାଇଛି। ସାଧାରଣତଃ ଗରିବ ତଥା ମଧ୍ୟବିତ୍ତ ପରିବାର ପାଇଁ ଆଳୁର ଆବଶ୍ୟକତା ସବୁବେଳେ ରହି ଆସିଛି। ଅନ୍ୟକିଛି ତରକାରୀ ହେଉ କି ନହେଉ, ଆଳୁଟିଏ ପୋଡ଼ି ଚଟିଣି କରି ଲୋକେ ଆରମରେ ଭାତ ଖାଇପାରନ୍ତି। ମାତ୍ର ବାଲେଶ୍ୱର ବଜାରରେ ଏବେ ଆଳୁ କେଜି ପ୍ରତି ୩୦ଟଙ୍କାରେ ବିକ୍ରି ହେବାକୁ ନେଇ ଲୋକଙ୍କ ମୁଣ୍ଡ ଘୂରିଯାଉଛି। ସେହି ଅନୁପାତରେ ଅନ୍ୟାନ୍ୟ ପନିପରିବାର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କୁ ଅଡ଼ୁଆରେ ପକାଇଛି। ପରିବାର ଆବଶ୍ୟକଠାରୁ ଲୋକେ କମ୍ ପରିମାଣର ଆଳୁ କିଣି ସେଇଥିରେ ଏଡଜଷ୍ଟ କରୁଥିବା କେତେକ ଗୃହିଣୀ କହିଛନ୍ତି। ବଜାରରେ ଖୁଚୁରା ଆଳୁ ବିକ୍ରି କରୁଥିବା ବ୍ୟବସାୟୀମାନେ ଅସହାୟତା ପ୍ରକାଶ କରିବା ସହ କ୍ରୟ ମୂଲ୍ୟ ଉପରେ କେଜି ପ୍ରତି ୨/୩ ଟଙ୍କା ଦରରେ ସେମାନେ ବକ୍ରି କରୁଥିବା କହିଛନ୍ତି। ଏବେ ଗୋଦାମରୁ କ୍ୱିଣ୍ଟାଲ ପ୍ରତି ୨୪୦୦ରୁ ୨୬୦୦ଟଙ୍କା ମୂଲ୍ୟରେ ଆଳୁ କିଣାଯାଉଛି। ପ୍ରତି ବୁରାରୁ ୨/୩ କେଜି ପଚା ଆଳୁ ନଷ୍ଟ ମଧ୍ୟ ହୋଇଯାଉଛି। ଏହା ପରେ କେଜି ପ୍ରତି ମାତ୍ର ୨/୩ ଟଙ୍କା ରଖି ସେମାନେ ୩୦ ଟଙ୍କା ଦରରେ ବିକ୍ରି କରୁଥିବା କହିଛନ୍ତି। ଏନେଇ ବାଲେଶ୍ୱରରୁ ଗୋଦାମ ମାଲିକଙ୍କୁ ସାକ୍ଷାତ କରିବାରୁ ସେମାନେ ମଧ୍ୟ ଅନୁରୂପ କାରଣ ଦଶାଇଛନ୍ତି। ପଶ୍ଚିମବଙ୍ଗରୁ ଆସୁଥିବା ଆଳୁର ମୂଲ୍ୟ ବଢ଼ିବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ସାଧାରଣତଃ ଚୁଲାଇ ଓ ଅଗଷ୍ଟ ମାସରେ ଚାହିଦା ଅନୁସାରେ ଆଳୁ ନମିଳିବା ଯୋଗୁଁ ମୂଲ୍ୟବୃଦ୍ଧି ଘଟିଥାଏ। ସେପ୍ଟେମ୍ବର ମାସରେ ଉତ୍ପନ ହେଉଥିବା ନୂଆ ଆଳୁ ବଜାରକୁ ଆସିବା ପରେ ଦର ହ୍ରାସ ପାଇଥାଏ। ଏହି ସମୟରେ ଶୀତଳଭଣ୍ଡାରରେ ଥିବା ଗଛିତ ଆଳୁରେ ବଜାରର ଚାହିଦା ପୂରଣ ହୋଇଥାଏ। ସେହିକ୍ରମରେ ପଶ୍ଚିମବଙ୍ଗରୁ ବାଲେଶ୍ୱରକୁ ଆମାଦାନୀ ମଧ୍ୟ ହ୍ରାସ ପାଇଛି। ଯେଉଁ ଆଳୁ ଆସୁଛି ତାହା ପୁଣି ବାଲେଶ୍ୱରରେ ପହଞ୍ଚିବା ବେଳେକୁ କ୍ୱାଣ୍ଟାଲ ପିଛା ୨୩ଶହ ଟଙ୍କା ଖର୍ଚ୍ଚ ହୋଇଯାଉଛି। ଏଭଳି ସ୍ଥିତିରେ ଆଳୁଦର କମିବା ପରିବର୍ତ୍ତେ ଆଗାମୀ ଦିନରେ ଆହୁରି ବଢ଼ିବ ବୋଲି ଗୋଦାମ ମାଲିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ପଶ୍ଚିମବଙ୍ଗରୁ କିଣାଯାଉଥିବା ମୂଲ୍ୟ ଅନୁସାରେ ବାଲେଶ୍ୱରର ଦରବୃଦ୍ଧି ହୋଇଥାଏ ବୋଲି ସେ କହିଛନ୍ତି। ତେବେ ଯଦି ବାଲେଶ୍ୱରର ବ୍ୟବସାୟୀମାନେ କଳାବଜାରୀ କରି ଦରବୃଦ୍ଧି କରିବେ ତ ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକରୀ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ଆଳୁକୁ ଅତ୍ୟାବଶ୍ୟକ ତାଲିକାରୁ ବାଦ୍ ଦେଇଥିଲେ ବି ରାଜ୍ୟ ସରକାର ଏନେଇ ଉଚିତ ପଦକ୍ଷେପ ଗ୍ରହଣ ସହ ଆଳୁ ଦର ନିୟନ୍ତ୍ରଣ ପାଇଁ ସବୁ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.