ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫେଲ୍ ମାରିଛି ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସୁନା ଖଳା ଯୋଜନା । ଆରମ୍ଭରୁ ୧୨ ଲକ୍ଷ ଟଙ୍କା ଥିବା ପ୍ରକଳ୍ପ ଏବେ ୧୫ ଲକ୍ଷ ଟଙ୍କା ଧରିଲାଣି । ତଥାପି ମଧ୍ୟ ଚାଷୀଙ୍କ କାମରେ ଲାଗୁନି । କାରଣ ଏହି କଂକ୍ରିଟ୍ ସୁନା ଧାନଖଳା କେଉଁଠି ବ୍ୟବସାୟୀଙ୍କ କବ୍ଜାରେ ରହିଛି ତ ଆଉ କେଉଁଠି ନେତାଙ୍କ କବ୍ଜାରେ । ଯୋଜନା ଆରମ୍ଭ ବେଳେ ଅନେକ ନେତା ଚକ୍ରାନ୍ତ କରି ଏମିତି ପ୍ରକଳ୍ପ ତାଲିକା ଦେଲେ ଯେ ଏହାକୁ ନିଜ ଗାଁ ମନ୍ଦିର ଆଗରେ ନିର୍ମାଣ କଲେ । ମନ୍ଦିରର ପୂଜାପାଠ ଓ ଉତ୍ସବବେଳେ ଏହି କଂକ୍ରିଟ୍ ଧାନଖଳା ସେହି କମିଟି କାର୍ଯ୍ୟରେ ଲାଗୁଥିବାବେଳେ ଚାଷୀଙ୍କ ପାଇଁ ସ୍ୱପ୍ନ ହୋଇଛି । ପ୍ରକଳ୍ପ ଆରମ୍ଭ ବେଳେ ଭଦ୍ରକରୁ ଥାଇ ଏହି ନିର୍ମାଣକାରୀ ବିଭାଗର ଅଧିକାରୀମାନେ ନେତାଙ୍କ କଥାରେ କାର୍ଯ୍ୟାଦେଶ ଦେଇ ଚୁପ୍ ରହିଲେ । ଯାହାକି ନିମ୍ନମାନର କାର୍ଯ୍ୟ ପାଇଁ ବାଟ ଖୋଲିଗଲା । କୃଷକମାନଙ୍କ ଉପକାର ପାଇଁ ସରକାର ପ୍ରତି ପଂଚାୟତରେ ଚାଷ ଖଳା ନିର୍ମାଣ କରିଥିଲେ । କେଉଁଠି ନେତାଙ୍କ କବ୍ଜାରେ ଏହି ଖଳା ରହିଥିବାବେଳେ ଆଉ କେଉଁଠି ନିମ୍ନମାନର କାମ ପାଇଁ ଖଳାରୁ ଗୋଡି ଉଠୁଥିବାରୁ ଚାଷୀମାନେ ଏଠି ଆଉ ଧାନ ରଖିବାକୁ ପସନ୍ଦ କରୁନାହାଁନ୍ତି । ୧୨ ଲକ୍ଷ ଟଙ୍କିଆ ଏହି ଖଳା ଫାଟି ଆଁ କରିଛି । ଖଳା ନିର୍ମାଣ କରି ଠିକାଦାର ବିଲ୍ ନେଇ ପାର ହୋଇଥିବାବେଳେ ଅଫିସର କମିଶନ ନେଇ ପାର । ଏବେ ଚାଷୀ ହରଡଘଣାରେ ପଡିଛି । କେଉଁଠି ରଖିବେ ସେମାନଙ୍କ ଧାନବସ୍ତା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟିର ସତ୍ୟତା ଖୋଦ୍ ପ୍ରଶାସନିକ ଅଧିକାରୀ ସ୍ୱୀକାର କରିଛନ୍ତି ।
କୃଷି ଓ କୃଷକର ଉନ୍ନତି ପାଇଁ ଯୋଜନା ଏବେ ଗାଁ ମନ୍ଦିର ମୁଖଶାଳାରେ ଶୋଭା ପାଉଛି । ଚାଷୀମାନେ ସାରା ପଞ୍ଚାୟତର ଧାନକୁ ଅମଳ କରି ବର୍ଷା ଦାଉରୁ ସୁରକ୍ଷିତ ଏହି କଂକ୍ରିଟ୍ ପିଣ୍ଡିଖଳାରେ ରଖିବେ । କିନ୍ତୁ ବିଡମ୍ବନା ହୋଇଛି ରାଜନେତାଙ୍କ ଚଞ୍ଚକତାରେ ଏହି କୃଷି ବିଭାଗର ଖଳା ସବୁ ମନ୍ଦିର ବେଢା ଓ ଗାଁ ହାଟଚାଳିରେ ଶୋଭା ପାଉଛି । ୨୦୧୨-୧୩ ମସିହାରୁ ଏହି ଯୋଜନା ଆରମ୍ଭ ହୋଇଛି ଭଦ୍ରକ ଜିଲାରେ । ସାରା ଜିଲାରେ ବର୍ତ୍ତମାନ ୨୧୮ ଟି ପଂଚାୟତରୁ ବୃଦ୍ଧି ପାଇଛି । ନିର୍ଦ୍ଦେଶ ମୁତାବକ ୨୦୧୨ ମସିହାରୁ କୃଷି ବିଭାଗ ୧୦ ରୁ ୧୨ ଲକ୍ଷ ଟଙ୍କା ବିନିମୟରେ ପଂଚାୟତ ଚାଷୀ ଖଳା ନିର୍ମାଣ ଆରମ୍ଭ କରିଛି । ୨୦୧୮ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୯୧ ଗୋଟି ଖଳା ସାରା ଜିଲାରେ ୬ ବର୍ଷ ମଧ୍ୟରେ ନିର୍ମାଣ ହୋଇଥିଲା । ଯାହାକି ଏହି ୬ ବର୍ଷ ମଧ୍ୟରେ ୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏବେ ତାହା ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୧ ଜୁନ୍ ସୁଦ୍ଧା ୧୩୧ ଟି ଖଳାରେ ପହଞ୍ôଚଲାଣି । କିନ୍ତୁ ଚାଷୀଙ୍କ ପାଇଁ ଆସିଥିବା ଅର୍ଥ ମନ୍ଦିର ଆଗରେ ନିର୍ମାଣ ହୋଇଥିବାରୁ ଚାଷୀମାନେ କେମିତି ବା ସେହି ସ୍ଥାନରେ ଧାନବସ୍ତା ରଖିବେ । ଏପରିକି ଅଧିକାଂଶ ମନ୍ଦିର ରାଜନୈତିକ ମନ୍ଦିର ଭାବେ ପରିଚିତ ହୋଇଛି । ୨୬ ମିଟର ଲମ୍ବ ଓ ୨୦ ମିଟର ଓସାରରେ ୧୨ ଲକ୍ଷ ଟଙ୍କା ବ୍ୟୟରେ ଏହି ଚାଷୀ ଖଳା ନିର୍ମାଣ ପାଇଁ ଆର୍ଥିକ ମଂଜୁରି ହୋଇଛି । ଏଥିପାଇର୍ ଜିଲା ପ୍ରଶାସନ ଏକ କମିଟି ତିଆରି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସାରା ଜିଲାରେ ଯେଉଁ ୯୧ଟି ଖଳା ନିର୍ମାଣ ହୋଇଛି, ସେଥିରୁ ୫୬ଟି ଖଳା ମନ୍ଦିର ବେଢାରେ । ଅଧିକାରୀଙ୍କ ମତାମତ ନେବାରୁ ସେ ସଂପୂର୍ଣ୍ଣ ଭାବେ ସ୍ୱୀକାର କରିଛନ୍ତି ଏହି ଚାଷୀ ଖଳା ଗୁଡିକ ମନ୍ଦିର ବେଢାରେ ରହିଛି, ଆମେ କଣ କରିବୁ । ଏହି ବିବାଦ ଚରମ ସୀମାରେ ପହଞ୍ôଚବାରୁ ୨୦୧୬-୧୭ ଠାରୁ କୃଷି ବିଭାଗ ହାତରୁ ଏହି ଚାଷୀ ଖଳା ନିର୍ମାଣ କାଢି ନିଆଯାଇ ପଂଚାୟତକୁ ହସ୍ତାନ୍ତର କରାଯିବାକୁ ମସୁଧା ହୋଇଥିଲେ ବି ଏଯାଏଁ ତାହା ସଫଳ ହୋଇନି ।