Home ଜିଲ୍ଲା ପରିକ୍ରମା ଆଉଟ୍‌ସୋର୍ସିଂ ନିଯୁକ୍ତିଦାତାଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗର ଅନୁକମ୍ପା, ୪ ବର୍ଷ ଧରି ହେଲ୍ପଡେସ୍କ ପାଇଁ ହେଉନାହିଁ...

ଆଉଟ୍‌ସୋର୍ସିଂ ନିଯୁକ୍ତିଦାତାଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗର ଅନୁକମ୍ପା, ୪ ବର୍ଷ ଧରି ହେଲ୍ପଡେସ୍କ ପାଇଁ ହେଉନାହିଁ ଟେଣ୍ଡର

79

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଉଟ୍‌ସୋର୍ସିଂ ନିଯୁକ୍ତିଦାତାଙ୍କ ପ୍ରତି ସ୍ୱାସ୍ଥ୍ୟ ବିଭାଗର ଅହେତୁକ ଅନୁକମ୍ପା । ଭଦ୍ରକ ଜିଲା ସ୍ୱାସ୍ଥ୍ୟ ବିଭାଗରେ ବିନା ଟେଣ୍ଡରରେ ବର୍ଷ ବର୍ଷ ଧରି ଚାଲିଛି ଆଉଟସୋର୍ସିଂରେ ହେଲ୍ପ ଡେସ୍କ ନିଯୁକ୍ତି । ଥରଟିଏ ଟେଣ୍ଡର ଡାକିଦେଇ ନବୀକରଣ ଜରିଆରେ ବର୍ଷ ବର୍ଷ ଧରି ଚାଲିଛି ଆଉଟସୋର୍ସିଂରେ ମେଡିକାଲ ହେଲ୍ପ ଡେସ୍କ ନିଯୁକ୍ତି । ଦୀର୍ଘବର୍ଷ ଧରି ଜିଲା ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଆଉଟ୍ ସୋର୍ସିଂ ଜରିଆରେ କର୍ମଚାରୀ ନିଯୁକ୍ତି କରୁଥିବା ଜଣେ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁଗୃହୀତ କରାଯିବାର ଏକ ହୀନ ଷଡଯନ୍ତ୍ର ।

ସରକାରୀ ଡାକ୍ତରଖାନା ଆସୁଥିବା ଲୋକଙ୍କୁ ତ୍ୱରିତ ସ୍ୱାସ୍ଥ୍ୟଗତ ସୂଚନା ଯୋଗାଇ ଦେବାକୁ ଗତ ୨୦୧୬ ମସିହାରେ ରାଜ୍ୟ ସରକାର ସବୁ ସରକାରୀ ଡାକ୍ତରଖାନାରେ ହେଲ୍ପଡେସ୍କ ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଡେସ୍କରେ କାମ କରିବାକୁ ଦରକାର ପଡୁଥିବା କର୍ମଚାରୀଙ୍କୁ ଆଉଟ୍‌ସୋର୍ସିଂ ଜରିଆରେ ନିଯୁକ୍ତି ଦେବାକୁ କହିଥିଲେ । ତଦନୁଯାୟୀ ଭଦ୍ରକ ଜିଲାରେ ରହିଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ୭ ଗୋଟି ସିଏଚ୍‌ସିରେ ହେଲ୍ପଡେସ୍କ କର୍ମଚାରୀ ନିଯୁକ୍ତି ପାଇଁ ବର୍ଷିକିଆ ଟେଣ୍ଡର ଡକାଯାଇ ନିଯୁକ୍ତିଦାତାଙ୍କ ସହ ଗତ ତା ୨୭.୦୧.୨୦୧୭ ରିଖରେ ଚୁକ୍ତିନାମା ସ୍ୱାକ୍ଷର କରାଯାଇଥିଲା । ଚୁକ୍ତିନାମା ଅନୁଯାୟୀ ଜିଲାରେ ହେଲ୍ପଡେସ୍କ ସକାଶେ ୨ଜଣ କୁଶଳୀ ଏବଂ ୧୭ ଜଣ ଅଧକୁଶୀଳୀ କର୍ମଚାରୀ ନିଯୁକ୍ତି ଦିଆଯାଇଥିଲା । ହେଲ୍ପଡେସ୍କରେ ନିଯୁକ୍ତି ପାଇଥିବା ୧୯ କର୍ମଚାରୀଙ୍କ ମଧ୍ୟରୁ ୧୪ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ଦିଆଯାଇଥିବାବେଳେ ଅନ୍ୟ ୫ ଜଣଙ୍କୁ ବାସୁଦେବପୁର ଏବଂ ଆଗରପଡା ସିଏଚ୍‌ସିରେ ନିଯୁକ୍ତି ଦିଆଯାଇଥିଲା । ସରକାରଙ୍କୁ ଏହି ବାଟରେ ବାର୍ଷିକ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତେବେ ସରକାରୀ ଗାଇଡ୍ ଲାଇନ୍ ମୁତାବକ ଏଥିପାଇଁ ପ୍ରତିବର୍ଷ ଆଉଟ୍ ସୋର୍ସିଂ ଟେଣ୍ଡର ଡକାଯାଇ କର୍ମଚାରୀ ନିଯୁକ୍ତି ଦେବାକୁ କୁହାଯାଇଥିଲେ ମଧ୍ୟ ଜିଲା ସ୍ୱାସ୍ଥ୍ୟ ବିଭାଗ ଏହାର ଖୋଲାଖୋଲି ଉଲ୍ଲଂଘନ କରି କେବଳ ଜଣେ ନିର୍ଦ୍ଦିଷ୍ଟ ଆଉନ୍‌ସୋର୍ସିଂ ସଂସ୍ଥାକୁ ଅନୁଗୃହିତ କରିବା ଲକ୍ଷ୍ୟର ନୂଆ ଟେଣ୍ଡର ନଡାକି କେବଳ ପୁରୁଣା ଚୁକ୍ତିନାମାର ନବୀକରଣ କରି ଆଉଟ୍ ସୋର୍ସିଂ ସଂସ୍ଥା ନିଯୁକ୍ତି ଦେଇ ଚାଲିଛନ୍ତି । ପ୍ରଥମ ଟେଣ୍ଡର ଅବଧି ସରିବା ମାତ୍ରେ ନୂଆ ଟେଣ୍ଡର ନଡାକି ଏହାକୁ ୨୧.୧୦.୨୦ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିଥିଲେ ।

କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଆରଏଫ୍‌ଫି ଧାରା ଅନୁଯାୟୀ ମୂଳ ଚୁକ୍ତିନାମାକୁ ୨୦୨୦ ଜାନୁଆରୀ ମାସ ୨୧ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଥିଲା । ଏହି ଅବଧି ସରିବା ପରେ ଏଥିନେଇ ସାନି ଯେଣ୍ଡର ନଡାକି କୋଭିଡ୍ ଲକଡାଉନ୍ ଆଳରେ ପରବର୍ତ୍ତୀ ଆଦେଶନାମା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଗଲା ବୋଲି ଘୋଷଣା କରି ମୂଳ ଟେଣ୍ଡର ପାଇଥିବା ନିଯୁକ୍ତିଦାତାଙ୍କ କାର୍ଯ୍ୟକାଳ କାଏମ ରଖିଛନ୍ତି । ତେବେ ଚଳିତବର୍ଷ ଅପ୍ରେଲ ମାସ ଠାରୁ ରାଜ୍ୟରେ ଲକଡାଉନ୍ ପ୍ରତ୍ୟାହାର କରିନିଆଯିବା ସତ୍ୱେ ଆଜି ସୁଦ୍ଧା ଏଥିନେଇ କୌଣସି ଟେଣ୍ଡର ଡକାଯାଉନାହିଁ କିମ୍ବା ନିଯୁକ୍ତିଦାତା ପରିବର୍ତ୍ତନ କରାଯାଇନାହିଁ । ଏଥିନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା ସନ୍ତୋଷ ପାତ୍ରଙ୍କ ପଚାରିବାରେ ସେ କହିଥିଲେ ଜିଲାରେ ହେଲ୍ପ ଡେସ୍କ ଆଉଟ୍ ସୋର୍ସିଂ ସଂସ୍ଥା ନିଯୁକ୍ତି କ୍ଷେତ୍ରରେ କାହିଁକି ଦୀର୍ଘବର୍ଷ ଧରି ଯେଣ୍ଡର ଡକାଯାଉନାହିଁ । ତାହା ସେ ଜାଣିନାହାଁନ୍ତି । ତେବେ ଚଳିତବର୍ଷ ଏଥିନେଇ ନୂଆ ଟେଣ୍ଡର ଡକାଯିବ ବୋଲି ସେ ନିଶ୍ଚିତ କରିଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲା ସ୍ୱାସ୍ଥ୍ୟ ବିଭାଗରେ ଆଉଟ ସୋର୍ସିଂ ସଂସ୍ଥା ନିଯୁକ୍ତି କ୍ଷେତ୍ରରେ ଚାଲିଥିବା ଦୀର୍ଘମିଆଦି ଦୁର୍ନୀତି ପଛରେ କିଛି ନିର୍ଦ୍ଦିଷ୍ଟ ଆଉସ୍ ସୋର୍ସିଂ ସଂସ୍ଥାଙ୍କ ସହ ସ୍ୱାସ୍ଥ୍ୟ ବିଭାଗର କିଛି ଅସାଧୁ କର୍ମଚାରୀ ଏବଂ ଅଫିସରଙ୍କ ପ୍ରଚ୍ଛନ ହାତ ରହିଥିବା ଅଭିଯୋଗ ହୋଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । କାରଣ ସରକାରୀ ନିୟମ ଅନୁଯାୟୀ ପ୍ରତିବର୍ଷ ଏଥିନେଇ ଟେଣ୍ଡର ଡକାଯିବାର ନିର୍ଦ୍ଦେଶ ରହିଥିବାବେଳେ ଗତ ୪ ବର୍ଷ ଧରି ବିନା ଟେଣ୍ଡରରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବା ଏକ ସାଧାରଣ ଘଟଣା କୁହାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.