Home ଜିଲ୍ଲା ପରିକ୍ରମା ଫେକର-ବେଦାନ୍ତ ଚାର୍ଜକ୍ରୋମ୍ ପ୍ଲାଣ୍ଟର କର୍ମଚାରୀ ଓ ଶ୍ରମିକ ସଂଘ କର୍ମକର୍ତ୍ତା ଚୟନ ଉତ୍ସବ

ଫେକର-ବେଦାନ୍ତ ଚାର୍ଜକ୍ରୋମ୍ ପ୍ଲାଣ୍ଟର କର୍ମଚାରୀ ଓ ଶ୍ରମିକ ସଂଘ କର୍ମକର୍ତ୍ତା ଚୟନ ଉତ୍ସବ

50

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଳ୍ପ ଓ ଶ୍ରମିକ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ଭଳି । କାହିଁକି ନା ଗୋଟିଏ ବିକାଶଶୀଳ ଅଂଚଳରେ ପ୍ରତିଷ୍ଠା ହୋଇଥିବା ଶିଳ୍ପ ଓ ଶ୍ରମିକ ଉଭୟ ବଂଚିଲେ ହିଁ ସାମଗ୍ରୀକ ବିକାଶ ହୋଇଥାଏ ବୋଲି ଆଜି ଫେକର-ବେଦାନ୍ତ ଚାର୍ଜକ୍ରୋମ୍ ପ୍ଲାଣ୍ଟର କର୍ମଚାରୀ ଓ ଶ୍ରମିକ ସଂଘର କର୍ମକର୍ତ୍ତା ଚୟନ ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ନିଜ ବକ୍ତବ୍ୟରେ କହିଛନ୍ତି । ଚାର୍ଜକ୍ରୋମ୍ ପ୍ଲାଣ୍ଟ ପରିସରରେ ଥିବା ଅଫିସର୍ସ କ୍ଲବ୍‌ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମଲ୍ଲିକ ଯୋଗ ଦେଇ ନୂତନ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏବେ ସେ ତାଙ୍କ ବକ୍ତବ୍ୟରେ ଆଜିର ଦିନ ତାଙ୍କ ଜୀବନର ଏକ ସ୍ୱତନ୍ତ୍ର ଅଭୁଲା ସ୍ମୃତି ହୋଇ ରହିବ ବୋଲି କହିଥିଲେ । କାରଣ ଫେକର ୧୯୮୧ ରେ ତତ୍‌କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜଇଲ ସିଂ ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବାବେଳେ ସେ ଛୋଟ ପିଲାଟିଏ ଥାଇ ରାଷ୍ଟ୍ରପତିଙ୍କୁ ଦେଖିବାକୁ ଆସିଥିଲେ । ମାତ୍ର ଏବେ ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଏହି ଚାର୍ଜକ୍ରୋମ୍ ରହିଥିବାରୁ ଉଭୟ କର୍ମଚାରୀ, ଶ୍ରମିକ ଓ ବେଦାନ୍ତ କଂପାନୀ ପ୍ରତି ତାଙ୍କର ଗୁରୁ ଦାୟିତ୍ୱ ରହିଛି ବୋଲି ସୂଚାଇ ଫେକର ଚାର୍ଜକ୍ରୋମ୍‌କୁ ବେଦାନ୍ତ ନେବାବେଳେ ଦୁଇବର୍ଷ ତଳେ ବେଦାନ୍ତକୁ ବିରୋଧ କରିବାକୁ କେତେକ ନ୍ୟସ୍ତସ୍ୱାର୍ଥ ସଂପନ୍ନ ବ୍ୟକ୍ତି ତାଙ୍କୁ ପ୍ରବର୍ତ୍ତାଇଥିଲେ ବୋଲି କହିଥିଲେ ।

ମାତ୍ର ସେ ଅର୍ଥ ଲୋଭରେ ବଶବର୍ତ୍ତୀ ନହୋଇ ଶତାଧିକ କର୍ମଚାରୀ ଓ ଶ୍ରମିକ ଭାଇଙ୍କ ଜୀବନକୁ ବିପନ୍ନ କରିବାକୁ ଦେଇନଥିଲେ । ତେବେ ଆଜି ଗୋଟିଏ ମଂଚାରେ କଂପାନୀ କର୍ତ୍ତୃପକ୍ଷ ଓ ସଂଘ ଏକାଠି ହୋଇଥିବାରୁ ବିଧାୟକ ଶ୍ରୀ ମଲ୍ଲିକ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବକ୍ତବ୍ୟ ଛଳରେ ସେ ଶ୍ରମିକ ଓ କର୍ମଚାରୀ ଝାଳ ବୁହାଇ ଯେଉଁ କାର୍ଯ୍ୟ କରୁଛନ୍ତି, ସେଥିପାଇଁ କଂପାନୀ ସେମାନଙ୍କୁ ନିଜ ପରିବାର ସଦସ୍ୟ ବୋଲି ଭାବନ୍ତୁ ବୋଲି କହି ଶ୍ରମିକ ଓ କର୍ମଚାରୀମାନେ କଂପାନୀ ପ୍ରତି କୌଣସି ବିଶ୍ୱାସ ଘାତକତା ନକରି ନିଷ୍ଠା ଓ ଆନ୍ତରିକତା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଏହା ବଂଚି ରହିବ ବୋଲି ସୂଚାଇଥିଲେ । ତେବେ ବିଧାୟକ ଭାବେ ସେ ସର୍ବଦା କର୍ମଚାରୀ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଲଢିବେ ବୋଲି କହି ପୂର୍ବରୁ ଫେକର ଭଦ୍ରକ ଜିଲା ପ୍ରତି ସେଭଳି କିଛି ଆଖିଦୃଶିଆ ପାରିପାଶ୍ୱର୍ିକ ଉନ୍ନତି କରିନଥିବାରୁ ବେଦାନ୍ତ କଂପାନୀ ଏ ଦିଗରେ ଯତ୍ନବାନ ହେବାକୁ କଂପାନୀ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ । ଅନୁରୂପ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦେବାକୁ ସୂଚାଇ ନୂତନ କାର୍ଯ୍ୟକର୍ତ୍ତାମାନେ କାହାପ୍ରତି କ୍ରୁର ବ୍ୟବହାର ପ୍ରଦର୍ଶନ ନକରି ନିଜ ପଦପଦବୀର ମର୍ଯ୍ୟାଦା ରକ୍ଷା କରିବାକୁ ବିପ୍ଳବରେ ନୁହେଁ ଟେବୁଲରେ ବସି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବଟି ରାନ୍ଦିଆ ସରପଞ୍ଚ ମନୋରଂଜନ ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ନିଜ ବକ୍ତବ୍ୟରେ ନୂତନ କାର୍ଯ୍ୟକର୍ତ୍ତାମାନେ ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ କରିବାକୁ କହିବା ସହ ପ୍ଲାଣ୍ଟରେ ୧୨ଟି ପରିବାରର ନିଯୁକ୍ତି ଦାବି କରିଥିଲେ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଫେକର ଚାର୍ଜକ୍ରୋମ୍‌ର ଜିଏମ୍ ଅଜିତ୍ ପରିଡା, ଏଚଆର ବିଭାଗର ମୁଖ୍ୟ ପରମିତା ବେହେରା, ସମିତି ସଭ୍ୟା ରଶ୍ମିତା ମହାପାତ୍ର ପ୍ରମୁଖ ମଂଚାସୀନ ଥିବାବେଳେ କାର୍ଯ୍ୟକ୍ରମକୁ ରାଜୀବ ପରିଡା, ନାରାୟଣ ଓଝା, ଲକ୍ଷ୍ମଣ ଦାସ, ରାକେଶ ପଣ୍ଡା, ଆନନ୍ଦ ଦୀକ୍ଷିତ, କ୍ଷୀରୋଦ ମହାପାତ୍ର, ତାପସ ସ୍ୱାଇଁ, ସୌମ୍ୟକାନ୍ତ ଉପାଧ୍ୟାୟ, ମ୍ୟାନେଜମେଣ୍ଟ ପକ୍ଷରୁ ନିରଂଜନ ସାହୁ, ଅଶୋକ ସେଠୀ, ମନୋଜ ଦାସ, ମାନସ ମୋହନ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ । ନୂତନ ଚାର୍ଜକ୍ରୋମ୍ କର୍ମଚାରୀ ସଂଘର ସଭାପତି ଦୀପ୍ତିକାନ୍ତ ମହାପାତ୍ର, ଉପସଭାପତି ରାଜେନ୍ଦ୍ର ସ୍ୱାଇଁ, ସାଧାରଣ ସଂପାଦକ ବିଜୟାନନ୍ଦ ପାଣିଗ୍ରାହୀ, ଯୁଗ୍ମ ସଂପାଦକ ରବିନ୍ଦ୍ର ପଣ୍ଡା ଓ କୋଷାଧ୍ୟକ୍ଷ ସୁରେନ୍ଦ୍ର ପଢିଆରୀ ମନୋନୀତ ହୋଇଥିବାବେଳେ ଚାର୍ଜକ୍ରୋମ୍ ଶ୍ରମିକ ସଂଘର ସଭାପତି ଭାବେ ମାନସ ଖୁଣ୍ଟିଆ, କାର୍ଯ୍ୟକାରୀ ସଭାପତି ବିଦ୍ୟାନନ୍ଦ ପାଣିଗ୍ରାହୀ, ଉପସଭାପତି ପ୍ରଶାନ୍ତ ବାରିକ ଓ ଭୈରବ ସ୍ୱାଇଁ, ସାଧାରଣ ସଂପାଦକ ମାୟାଧର ମଲ୍ଲିକ, ସାଂଗଠନିକ ସଂପାଦକ ପଂଚାନନ ପେଡା, ଯୁଗ୍ମ ସଂପାଦକ କମଳାକାନ୍ତ ସାହୁ ଓ ସୁରେନ୍ଦ୍ର ପଢିଆରୀ ଏବଂ କୋଷାଧ୍ୟକ୍ଷ ଭାବେ ଖଗେଶ୍ୱର ନାୟକ ମନୋନୀତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.