Home ଓଡ଼ିଶା ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କୁ ଭେଟିଲା କଂଗ୍ରେସ

ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କୁ ଭେଟିଲା କଂଗ୍ରେସ

22

ଭୁବନେଶ୍ୱର ୧୬-୧୧ (ଓଡ଼ିଆ ପୁଅ) – ଫନି ବାତ୍ୟାକୁ ଦେଢ଼ ବର୍ଷ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ପିପିଲି, ଡେଲାଙ୍ଗ ବ୍ଲକ / ତହସିଲରେ କୌଣସି ଗୋଟିଏ ବାସହରାଙ୍କୁ ବାସଗୃହ ଯୋଗାଇନଦେବା ଏବଂ ବିନା କାରଣରେ ହଜାର ହଜାର ଫନି କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଂଟକୁ ଦୀର୍ଘ ସମୟ ଧରି ଅଚଳ କରିବା ଘଟଣାକୁ ନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜୀବ ଭବନ ଯାଇ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନାଙ୍କୁ ଭେଟି ଅଚଳ ହୋଇଥିବା ବ୍ୟାଙ୍କ ଖାତାକୁ ତୁରନ୍ତ ସଚଳ କରିବା ଓ ହିତାଧିକାରୀ ତାଲିକାରେ ସ୍ଥାନ ପାଇନଥିବା ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଗତ ୨୦୧୯ ମସିହା ମଇ ମାସରେ ହୋଇଥିବା ପ୍ରଳୟଙ୍କାରୀ ବାତ୍ୟାରେ ହଜାର ହଜାର ପରିବାର ବାସହରା ହୋଇଯାଇଥିଲେ। କିନ୍ତୁ ବଡ ଦୁଃଖ ଓ ପରିତାପର ବିଷୟ ବାତ୍ୟାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ପିପିଲି, ଡେଲାଙ୍ଗ ଦୁଇ ତହସିଲରେ ଘରଭଙ୍ଗା ସର୍ଭେ କାମ ଚାଲିଛି। ଯାହାକି ସୂଚନା ଅଧିକାରୀ ଆଇନ୍ ଦ୍ୱାରା ପ୍ରାପ୍ତ ତଥ୍ୟ ବୟାନ କରୁଛି। ପ୍ରାଥମିକ ତଦନ୍ତ ପରେ ଘର ଭାଙ୍ଗିଥିବା ଲୋକଙ୍କୁ ଯେଉଁ ସହାୟତା ରାଶି ସରକାର ତାଙ୍କ ବ୍ୟାଙ୍କଖାତାକୁ ପଠାଇଥିଲେ, ଏବେ ସରକାର ସେଥିରୁ ଅଧିକାଂଶ କ୍ଷତିଗ୍ରସ୍ତ ହିତାଧିକାରୀଙ୍କ ଖାତାକୁ ଅଚଳ କରି ରଖିଛନ୍ତି ଏବଂ ଦଳୀୟ ଭିତିରେ ସେହି ବ୍ୟାଙ୍କ ଖାତାକୁ ସଚଳ କରାଯାଉଅଛି। ଏପରିକି ସଂପୂର୍ଣ୍ଣ ଘର ଭାଙ୍ଗି ଯାଇଥିବା ଲୋକଙ୍କୁ ଘରଭଙ୍ଗା ହିତାଧିକାରୀ ତାଲିକାରେ ସାମିଲ କରାଯାଇନାହିଁ ଏବଂ ସବୁଠୁ ଦୁର୍ଭାଗ୍ୟ ଏବଂ ପରିତାପର ବିଷୟ ଫନି ବାତ୍ୟାର ଶିକାର ହୋଇଥିବା ପିପିଲି କି ଡେଲାଙ୍ଗ ବ୍ଲକର ଜଣେ ମଧ୍ୟ ବାସହରାଙ୍କୁ ସରକାର ପକ୍କାଘର ଯୋଗାଇ ଦେଇ ପାରିନାହାନ୍ତି।

ସମସ୍ତ ଘଟଣାକୁ ଶୁଣିବା ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀଯୁକ୍ତ ଜେନା ବ୍ୟାଙ୍କ ଖାତା ସଚଳ କରିବା ପାଇଁ ଏବଂ ବାକି ରହିଥିବା ଫନି କ୍ଷତିଗ୍ରସ୍ତଙ୍କୁ ହିତାଧିକାରୀ ତାଲିକାରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପାତ୍ର, ଏସ୍‌-କେ- ମହାବୁବ୍‌, ମହେନ୍ଦ୍ର ନାୟକ ଓ ଇନ୍‌ତାଜ୍ ଅଲ୍ଲୀ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.