Home ଜିଲ୍ଲା ପରିକ୍ରମା ପ୍ରେମିକକୁ ଜେଲରୁ ମୁକୁଳାଇଲେ ପ୍ରେମିକା, ୭ ବର୍ଷ ପ୍ରେମ ପରେ ମନ୍ଦିରରେ ହେଲା ବିବାହ

ପ୍ରେମିକକୁ ଜେଲରୁ ମୁକୁଳାଇଲେ ପ୍ରେମିକା, ୭ ବର୍ଷ ପ୍ରେମ ପରେ ମନ୍ଦିରରେ ହେଲା ବିବାହ

93

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର ଗ୍ରାମର ସୁନିତା ମଣ୍ଡଳ ଏବଂ ବନ୍ତ ଥାନା କଣ୍ଟି ଗଡ଼ିଆ ଗ୍ରାମର ମନୋଜ ଓଝା । ଉଭୟେ ପଢୁଥିଲେ ପାଳିଆ ବିରଞ୍ଚି ନାରାୟଣ ମାଧବାର୍ଜୁନ ମହାବିଦ୍ୟାଳୟରେ । ପାଠ ପଢା ସହିତ ଆରମ୍ଭ ହୋଇଥିଲା ଦୁହିଁଙ୍କର ପ୍ରେମ ସମ୍ପର୍କ । ଉଭୟେ ବିବାହ ପାଇଁ ପ୍ରସ୍ତାବ ଦେବା ପରେ ପରିବାର ଲୋକେ ଏହାକୁ ଅସ୍ୱୀକାର କରିଥିଲେ । ଦୀର୍ଘ ୭ ବର୍ଷ ଧରି ସୁନିତା ଓ ମନୋଜଙ୍କର ପ୍ରେମ ଚାଲିବା ପରେ ବିବାହକୁ ଅସ୍ୱୀକାର କରିବାରୁ ସୁନିତା ମନୋଜଙ୍କ ବିରୁଦ୍ଧରେ ଗ୍ରାମାଞ୍ଚଳ ଥାନାରେ ୨୦୧୯ ମସିହାରେ ଅଭିଯୋଗ କରିଥିଲେ । ପୁଲିସ ଦଫା ୩୭୬ରେ ଏକ ମାମଲା ରୁଜୁ କରିଥିଲା । ମାମଲା ରୁଜୁ ହେବା ପରେ ମନୋଜ ଫେରାର ଥିଲେ । ମାତ୍ର ପୁଲିସ ଗତ ଜାନୁଆରୀ ୨୮ ତାରିଖରେ ମନୋଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମନୋଜଙ୍କ ଗିରଫ ପରେ ସୁନିତା ନିଜ ପ୍ରେମକୁ ସାକାର କରିବାକୁ ଯାଇ ଘର ଛାଡ଼ି ଭଦ୍ରକ ପଳେଇ ଆସିବା ସହ ଆସିୟାନାରେ ଆଶ୍ରୟ ନେଇଥିଲେ । ଆସିୟାନାର ସମ୍ପାଦିକା ସୋଫିଆ ସେଖ୍‌, ପରାମର୍ଶଦାତ୍ରୀ ଅନିମା ପଣ୍ଡା ଏ ଦିଗରେ ବୁଝାସୁଝା କରି ଉଭୟ ପରିବାକୁ ଡାକି ଆଲୋଚନା କରିଥିଲେ । ଶେଷରେ ଉଭୟ ପରିବାର ବିବାହ ପାଇଁ ସମ୍ମତ ହୋଇଥିଲେ । ଏ ସଂକ୍ରାନ୍ତରେ କୋର୍ଟକୁ ଅବଗତ କରାଯିବା ପରେ ମନୋଜ ଜାମିନ ପାଇଥିଲେ ଏବଂ ଆଜି ଉଭୟଙ୍କ ବିବାହ ଲୋକନାଥ ମନ୍ଦିରରେ ସମ୍ପନ୍ନ ହୋଇଛି । ଆସିୟାନାର ସମ୍ପାଦିକା ସୋଫିଆ ସେଖ୍‌, ପରିଚାଳନା କମିଟିର ସଦସ୍ୟା କସ୍ତୁରୀ ପଣ୍ଡା, ପରାମର୍ଶଦାତ୍ରୀ ଅନିମା ପଣ୍ଡା, ସଂଯୋଜକ ରିୟାଜ ଅହମ୍ମଦ, କର୍ମକର୍ତ୍ତା ବିକାଶ ରାଉତ, ଶାନ୍ତିଲତା ସ୍ୱାଇଁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ବିବାହ ହେବା ପରେ ବରକନ୍ୟାଙ୍କୁ ବରର ମାତାପିତା ଘରକୁ ପାଛୋଟି ନେଇ ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.