Home ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ଇନ୍‌ପୁଟ୍ ସହାୟତା ଦୁଇଗୁଣା ଦିଆଯାଉ- କିଷାନ କଂଗ୍ରେସ

ପ୍ରାକୃତିକ ବିପର୍ଯ୍ୟୟ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ କୃଷି ଇନ୍‌ପୁଟ୍ ସହାୟତା ଦୁଇଗୁଣା ଦିଆଯାଉ- କିଷାନ କଂଗ୍ରେସ

146

ଭୁବନେଶ୍ୱର, ୧୮/୫ (ଓଡ଼ିଆ ପୁଅ) – କୃଷି ଦେଶ ଅର୍ଥନୀତିର ଚାବିକାଠି। କୃଷି ଭିତ୍ତିଭୂମି ସୁଦୃଢ ହେଲେ ହିଁ ଦେଶର ଅର୍ଥନୀତି ମଜଭୂତ ହେବ। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ସମସ୍ତ ଯୋଜନାଗୁଡ଼ିକ ବାସ୍ତବାଭିମୁଖୀ ଓ ଚାଷୀଙ୍କପାଇଁ ଫଳପ୍ରଦ ହେବା ଉଚିତ୍। ଅନେକ ସମୟରେ ଅନିୟମୀତ ଜଳବାୟୁ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଚାଷୀକୁଳ ଘୋର କ୍ଷତିର ସମ୍ମୁଖୀନ ହେବା ସହିତ ଅନେକ ଚାଷୀ ଚାଷପାଇଁ ଧାର କରଜ କରି ଆଣିଥିବା ଋଣ ପରିସୋଧ କରି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି। ଯାହାର ଅତୀତରେ ଅନେକ ଉଦାହରଣ ରହିଅଛି। ଏହା ମର୍ମରେ ଚାଷୀଙ୍କୁ ସହାୟତା ଦେବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ଜଳସେଚିତ ଅଞ୍ଚଳପାଇଁ ପ୍ରତି ହେକ୍ଟର ପିଚ୍ଛା ୧୩, ୫୦୦ଟଙ୍କା ଓ ଅଣ ଜଳସେଚିତ ଅଞ୍ଚଳ ପାଇଁ ୬, ୮୦୦ ଟଙ୍କା କୃଷି ଇନ୍‌ପୁଟ୍ ସବସିଡ଼୍ ଦିଆଯାଇଥାଏ। ଯାହାକି ସମୁଦ୍ରକୁ ସଙ୍ଖେ। ଏହାଦ୍ୱାରା ଚାଷୀର କ୍ଷତି ଭରଣାରେ ବିଶେଷ ସହାୟକ ହୋଇପାରେ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି କିଷାନ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶଶି ଭୂଷଣ ପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ତେଣୁ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ କୃଷି ଇନ୍‌ପୁଟ୍ ସହାୟତା ନିୟମାବଳୀର ପରିବର୍ତ୍ତନ କରି ଅତ୍ୟନ୍ତପକ୍ଷେ ଏହାର ଦୁଇଗୁଣା କରିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳସେଚିତ ଅଞ୍ଚଳ ପାଇଁ ପ୍ରତି ହେକ୍ଟର ପିଚ୍ଛା ୨୭ହଜାର ଟଙ୍କା ଓ ଅଣ ଜଳସେଚିତ ଅଞ୍ଚଳ ପାଇଁ ୧୩ ହଜାର୬ଶହ ଟଙ୍କା ଏବଂ ସର୍ବନିମ୍ନ ସହାୟତା ଯଥାକ୍ରମେ ୪ ହଜାର ଓ ୬ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଉଭୟ ସରକାରଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି। ପ୍ରକାଶ ଥାଉକି ଚଳିତ ବର୍ଷ ରବିରେ ଅଦିନିଆ ବର୍ଷା, କାଳବୈଶାଖି ଓ କୁଆପଥର ମାଡ଼ରେ ବ୍ୟାପକ ଫସଲ ନଷ୍ଟ ହେବା ସହିତ କରୋନା ତାଲାବନ୍ଦ କଟକଣା ଯୋଗୁଁ ଚାଷୀ ଉତ୍ପାଦିତ ଫସଲର ବିପଣନରେ ଗୁରୁତର କ୍ଷତି ସହିଛନ୍ତି। ତଦନୁଯାୟୀ ସରକାର ଏଥିପ୍ରତି ସର୍ବାଧିକ ଗୁରୁତ୍ୱ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.