Home ଜିଲ୍ଲା ପରିକ୍ରମା ପ୍ରଶାସନ ଦେଖି ଚୁପ୍ ବସିଛି , ରେଳ ବିଭାଗ ଷ୍ଟାଫ କ୍ୱାଟର ନିର୍ମାଣରେ ଶତାଧିକ କୋଲକତା...

ପ୍ରଶାସନ ଦେଖି ଚୁପ୍ ବସିଛି , ରେଳ ବିଭାଗ ଷ୍ଟାଫ କ୍ୱାଟର ନିର୍ମାଣରେ ଶତାଧିକ କୋଲକତା ଫେରନ୍ତା

59

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ କୋଭିଡ ସ୍ଥିତି ଯେତିକି ଉଦବେଗଜନକ ହେଉଛି, ପ୍ରଶାସନର ଢ଼ିଲାପଣ ସେତିକି ଦେଖିବାକୁ ମିଳୁଛି । ପୁଲିସ ଓ ପ୍ରଶାସନ ପକ୍ଷରୁ ଏନଫୋର୍ସମଣ୍ଟକୁ କଡାକଡି କରାଯାଇଛି ବୋଲି କୁହାଯାଉଥିଲେ ମଧ୍ୟ ଚାରି ଆଡ଼େ ଖୋଲା ଆଉ ମେଲା । କୌଣସି କାମ ନଥାଇ ମଧ୍ୟ ଶହଶହ ଅମାନିଆ ବାଇକ ଧରି ମାର୍କେଟକୁ ଆସୁଛନ୍ତି । ଯାଞ୍ଚ ସମୟରେ ବିଭିନ୍ନ ବାହାନା ଦେଖାଇ ଖସି ଯାଉଛନ୍ତି । ତଥାପି ପୁଲିସ ଏନଫୋର୍ସମେଣ୍ଟ ଭୟରେ ବିଭିନ୍ନ ଛୋଟବଡ଼ ବ୍ୟବସାୟୀକ ପ୍ରତିଷ୍ଠାନରେ ଭିଡ କମ୍ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଚରମ୍ପା ପଥରକାଳୀ ମନ୍ଦିର ନିକଟରେ ଏକ ନିର୍ମାଣାଧିନ କୋଠାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତଥ୍ୟ ଅନୁଯାୟୀ ଚରମ୍ପା ପଥରକାଳୀ ମନ୍ଦିର ନିକଟରେ ରେଲୱେ ନିର୍ମାଣ ବିଭାଗ ପକ୍ଷରୁ ଦୀର୍ଘ ମାସ ଧରି ବହୁ ଗୁଡ଼ିଏ ଷ୍ଟାଫ କ୍ୱାଟର ନିର୍ମାଣ ଚାଲିଛି । କାର୍ଯ୍ୟାଦେଶ ପାଇଥିବା ଠିକା ସଂସ୍ଥା ପକ୍ଷରୁ ଏଠାରେ ବହୁ ସଂଖ୍ୟକ କୋଲକତାର ମିସ୍ତ୍ରୀ ଓ ଶ୍ରମିକଙ୍କୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି । ପଞ୍ଚିମବଙ୍ଗ ନିର୍ବାଚନ ପାଇଁ ଏସମସ୍ତ ଶ୍ରମିକ ଓ ମିସ୍ତ୍ରୀ ନିଜ ଘରକୁ ପଳାଇ ଯାଇଥିଲେ । ତେଣୁ ପ୍ରାୟ ୨୦ ଦିନ ଧରି ସେଠାରେ କାର୍ଯ୍ୟ ବନ୍ଦ ରହିଥିଲା । କିନ୍ତୁ ନିର୍ବାଚନ ଫଳ ଘୋଷଣା ପରେ ସେମାନେ ଟ୍ରକ ଯୋଗେ ପୁନର୍ବାର ଫେରି ଆସି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ।

କିନ୍ତୁ ସେମାନଙ୍କ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନାହିଁ ନା ପ୍ରଶାସନ ଜାଣି ଚୁପ ବସିଛି ସେଥି ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ । ଏସମସ୍ତ ଶ୍ରମିକ ସ୍ଥାନୀୟ ବଜାରରେ ଅବାଧ ବିଚରଣ କରୁଛନ୍ତି । ସେମାନେ ଯେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ପାଇଁ ମହା ବିପଦର କାରଣ ନହେବେ ତାହାର କୌଣସି ଗ୍ୟାରେଣ୍ଟି ନାହିଁ । ଅପରପକ୍ଷେ ଏହି କାର୍ଯ୍ୟ ରେଳ ନିର୍ମାଣ ବିଭାଗର ହୋଇଥିବାରୁ ଓ ଯାଜପୁର ଅଧିନରେ ରହିଥିବାରୁ ସ୍ଥାନୀୟ ରେଳ ପ୍ରଶାସନ ସ୍ଥାନୀୟ ଲୋକଙ୍କ ପ୍ରତିବାଦ ସତ୍ତ୍ୱେ ଏଥି ନେଇ ନୀରବ ରହିବାକୁ ବାଧ୍ୟ ହୋଇଛି । ତେବେ ବର୍ତ୍ତମାନ ସମୟରେ କୋଲକତା, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା ପରି ରାଜ୍ୟରୁ ଫେରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ରଶାସନିକ କଟକଣା ରହିଛି । କୋଭିଡ ଟେଷ୍ଟ ବାଧ୍ୟତାମୂଳକ ଓ ଆରଟି ପିସିଆର ରିପୋର୍ଟ ଥିଲେ ୭ଦିନ ନଚେତ ୧୪ ଦିନ ସଂଗରୋଧରେ ରହିବାର ନିୟମ କରିଛି ପ୍ରଶାସନ । କିନ୍ତୁ ଏହି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କର କୋଭିଡ ପରୀକ୍ଷା ହୋଇ ନାହିଁ କିମ୍ବା ସେମାନେ ସଂଗରୋଧରେ ରହି ନାହାନ୍ତି । ଏହା କିପରି ପ୍ରଶାସନର ଦୃଷ୍ଟିରେ ପଡୁ ନାହିଁ, ତାହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ସ୍ଥାନୀୟ ଅଧିବାସୀ । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଉକ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ କୋଲକତା ଫେରନ୍ତାଙ୍କ କୋଭିଡ ପରୀକ୍ଷା କରି ସେମାନଙ୍କୁ ୧୪ ଦିନ ପାଇଁ କୌଣସି ଟିଏମସିରେ ସଂଗରୋଧରେ ରଖିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.