Home ଜିଲ୍ଲା ପରିକ୍ରମା ପ୍ରଶାସନିକ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ : ଲକଡାଉନ୍ ବେଳେ ଏମ୍‌ଡିଏମ୍ ଟେଣ୍ଡର

ପ୍ରଶାସନିକ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ : ଲକଡାଉନ୍ ବେଳେ ଏମ୍‌ଡିଏମ୍ ଟେଣ୍ଡର

96

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲକଡାଉନ୍ କଟକଣାରୁ ଗତ ୪ ମାସ ହେଲା ସ୍କୁଲ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ହୋଇଯାଇଛି । ଆଗକୁ ଏହି କଟକଣା ପୁଣି ବୃଦ୍ଧି କରାଯାଇଥିବା ହେତୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପରି ସ୍ଥଳେ ଜିଲା ପ୍ରଶାସନ ୨୦୨୦/୨୧ ଶିକ୍ଷାବର୍ଷ ଲାଗି ଏମ୍‌ଡିଏମ୍ ଠିକାଦାର ନିଯୁକ୍ତି ସକାଶେ ଟେଣ୍ଡର ଜାରି କରିଛନ୍ତି । ଗତମାସ ୧୮ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଏହି ଟେଣ୍ଡର ଗ୍ରହଣର ଅନ୍ତିମ ତାରିଖ ଆସନ୍ତା ୮ ତାରିଖ ରଖାଯାଇଥିବାବେଳେ ଟେଣ୍ଡର ଖୋଲାଯିବ ବୋଲି ବିଜ୍ଞପ୍ତି ଜାରି କରାଯାଇଛି । ତେବେ ଜିଲାରେ କେବେ ସ୍କୁଲ ଖୋଲିବ ଏବଂ ପିଲାଙ୍କୁ ଏମ୍‌ଡିଏମ୍ ଦିଆଯିବା ନେଇ କୌଣସି ନିଶ୍ଚିତତା ନଥିବାବେଳେ ଏହି ଟେଣ୍ଡର ଡକା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । କରୋନାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ମାସରୁ ସ୍କୁଲ ଗୁଡିକରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯାଇଥିଲେ ମଧ୍ୟ ସରକାର ଗତ ଅପ୍ରେଲ, ମଇ ଏବଂ ଜୁନ୍ ୩ ମାସର ଏମ୍‌ଡିଏମ୍ ଚାଉଳକୁ ପିଡିଏସ୍ ଜରିଆରେ ପିଲାଙ୍କ ଅଭିଭାବକଙ୍କୁ ଯୋଗାଇ ଦେଇଛନ୍ତି । ଏପରିସ୍ଥଳେ ଜିଲା ପ୍ରଶାସନ ଜିଲାରେ ଏମ୍‌ଡିଏମ୍ ଚାଉଳ ପରିବହନ ଲାଗି ଟେଣ୍ଡର ଡାକିବା ବୁଦ୍ଧିଜୀବୀ ମହଲରେ ବିସ୍ମୟ ସୃଷ୍ଟି କରିଛି । ସବୁଠାରୁ ବଡକଥା ହେଲା ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ମୁଖ୍ୟତ ଏମ୍‌ଡିଏମ୍ ଚାଉଳ ପରିବହନ ଲାଗି ଠିକାଦାର ନିଯୁକ୍ତି କରାଯାଇଥାଏ । ଏହି ପ୍ରକ୍ରିୟା ସାଧାରଣତଃ ମାର୍ଚ୍ଚ ମାସରେ ଚୂଡାନ୍ତ କରାଯାଇଥାଏ । ହେଲେ ଶିକ୍ଷାବର୍ଷ ଅତିକ୍ରମ କରିବାର ୩ ମାସ ପରେ ଅର୍ଥାତ୍ ଜୁନ୍ ମାସରେ ଯେତେବେଳେ କି ଲକଡାଉନ୍ କଟକଣା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ସହିତ ମଧ୍ୟାହ୍ନଭୋଜନ ବନ୍ଦ ରହିଛି, ସେତେବେଳେ ଠିକାଦାର ନିଯୁକ୍ତି ଲାଗି ଏହି ଟେଣ୍ଡର ଡକା କେବଳ ଠିକାଦାର ତୁଷ୍ଟିକରଣ ବୋଲି ଆଲୋଚନା ହେଉଛି ।

 

 

କେବଳ ଠିକାଦାର ତୁଷ୍ଟିକରଣ ପ୍ରୟାସ କରାଯାଇଛି ତା ନୁହେଁ ସରକାରଙ୍କୁ ଏହି ବାବଦକୁ ଅଯଥାରେ ଅଧିକ ଖର୍ଚ୍ଚାନ୍ତ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି । କାରଣ ନୂଆ ଚାଉଳ ପରିବହନ ଦରରେ ଏମ୍‌ଡିଏମ୍ ଚାଉଳ ପରିବହନ ସକାଶେ ସରକାର ଚଳିତ ଶିକ୍ଷାବର୍ଷ ପାଇଁ କ୍ୱିଣ୍ଟାଲ ପିଛା ସର୍ବାଧିକ ୧୫୦ ଟଙ୍କା ଦର ଧାର୍ଯ୍ୟ କରିଥିବାବେଳେ ପିଡିଏସ୍ ଜରିଆରେ ଏହି ବାବଦକୁ ସର୍ବାଧିକ କ୍ୱିଣ୍ଟାଲ ପିଛା ୫୦ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ନିକଟରେ ୧୮ ହଜାର କ୍ୱିଣ୍ଟାଲ ଏମ୍‌ଡିଏମ୍ ଚାଉଳକୁ ପିଡିଏସ୍ ରିଟେଲରଙ୍କ ଚାଉଳକୁ ପିଡିଏସ୍ ରିଟେଲରଙ୍କ ଜରିଆରେ ଅଭିଭାବକଙ୍କୁ ବଣ୍ଟା ଯାଇଥିଲା । ଚାଉଳ ବଣ୍ଟନ କରୁଥିବା ପରିବହନ ଠିକାଦାର ଏବଂ ରିଟେଲରଙ୍କ କମିଶନ ଖର୍ଚ୍ଚ ମି।।ଇ ଯୋଗାଣ ନିଗମକୁ କ୍ୱିଣ୍ଟାଲ ପିଛା ସର୍ବାଧିକ ୫୦ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ କେଉଁ ପରିସ୍ଥିତିରେ କର୍ତ୍ତୃପକ୍ଷ କ୍ୱିଣ୍ଟାଲ ପିଛା ସର୍ବାଧିକ ୧୫୦ ଟଙ୍କା ଦର ଦେଇ ଏମ୍‌ଡିଏମ୍ ଠିକାଦାର ନିଯୁକ୍ତି ପ୍ରତି ଆଗ୍ରହୀ ହୋଇଛନ୍ତି, ତାହା ଚର୍ଚ୍ଚାର ବିଷୟ ହୋଇଛି । ଏମ୍‌ଡିଏମ୍ ଚାଉଳ ପରିବହନ ବର୍ଷରେ ୪ ଟି କ୍ୱାର୍ଟରରେ କରାଯାଉଥିବାବେଳେ ଇତିମଧ୍ୟରେ ପ୍ରଥମ କ୍ୱାର୍ଟର, ଅପ୍ରେଲ, ମଇ ଏବଂ ଜୁନ୍ ମାସ ଯାଇ ଏବେ ଦ୍ୱିତୀୟ କ୍ୱାର୍ଟରରୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ଚାଉଳ ଯୋଗାଣ ସମୟ ଉପନୀତ ହୋଇସାରିଥିବାବେଳେ ଜିଲା ପ୍ରଶାସନର ଏହି ଅଦିନ ଟେଣ୍ଡର ଡକାର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଏଥିନେଇ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ଲକଡାଉନ୍ ବେଳେ ଏମ୍‌ଡିଏମ୍ ଟେଣ୍ଡର ଡକାଯିବାର କୌଣସି କଟକଣା ନାହିଁ ବୋଲି ସେ କହିଛନ୍ତି । ବିଦ୍ୟାଳୟରେ ମାସ ମାସ ଧରି ଏମ୍‌ଡିଏମ୍ ବନ୍ଦ ରହିଥିବା ଏବଂ ଏହି ବାବଦକୁ ଖର୍ଚ୍ଚ ହେଉଥିବା ଚାଉଳକୁ ସରକାର ସ୍ୱଳ୍ପ ଖର୍ଚ୍ଚରେ ପିଡିଏସ୍ ଜରିଆରେ ଅଭିଭାବକଙ୍କୁ ଯୋଗାଇ ଦେଉଥିବା ବେଳେ ଜିଲାରେ ଏମ୍‌ଡିଏମ୍ ଚାଉଳ ପରିବହନ ଠିକାଦାର ନିଯୁକ୍ତି ପାଇଁ ଟେଣ୍ଡର ଡକାଯିବାର ପ୍ରାସଙ୍ଗିକତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.