Home ଜିଲ୍ଲା ପରିକ୍ରମା ଜିଲାବାସୀଙ୍କୁ ଘାରିଲାଣି ଗୋଷ୍ଠୀ ସଂକ୍ରମଣ ଭୟ

ଜିଲାବାସୀଙ୍କୁ ଘାରିଲାଣି ଗୋଷ୍ଠୀ ସଂକ୍ରମଣ ଭୟ

223

ଭଦ୍ରକ, ୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଆଜିପର୍ଯ୍ୟନ୍ତ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨୪ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ମାତ୍ର ୯ ଜଣ କୋଭିଡ୍ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୫୦ ରୁ କମ୍ ସକ୍ରୀୟ ଆକ୍ରାନ୍ତ ଥିବା କାରଣରୁ ଭଦ୍ରକ ଏବେ ଜୋନ୍‌-୨ ରେ ରହିଛି । ତଥାପି ଜିଲାବାସୀଙ୍କୁ ଏବେ ଗୋଷ୍ଠୀ ସଂକ୍ରମଣର ଭୟ ଘାରିଛି । କାରଣ ପ୍ରଥମାବସ୍ଥାରେ ଜିଲାର ବିଭିନ୍ନ ବ୍ଲକ୍‌ର ସ୍ଥାନୀୟ ଅଂଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଯାହାକି ଜିଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ସେତେବେଳେ ପ୍ରବାସୀ ଓଡ଼ିଆଙ୍କ ଯାତ୍ରା ଇତିହାସକୁ ସେତେଟୋ ଗୁରୁତ୍ୱ ଦିଆଯାଉନଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରବାସୀଙ୍କ ବାଧ୍ୟତାମୂଳକ ପଂଜିକରଣ ଓ ଅସ୍ଥାୟୀ ମେଡିକାଲ ଶିବିର (ଟିଏମ୍‌ସି) ରେ କ୍ୱାରେନଟାଇନ୍ ଫଳରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା କେବଳ ଟିଏମ୍‌ସିରେ ସୀମିତ ଥିଲା । କିନ୍ତୁ ଇତିମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଥିବାରୁ ଏହା ଏହି ରୋଗକୁ ନେଇ ସଚେତନ ଜିଲାବାସୀଙ୍କ ଚିନ୍ତା ବଢାଇଛି । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଥିବା ସରକାରୀ ମେଡିସିନ୍ ଷ୍ଟାରର ୪ର୍ଥ ଶ୍ରେଣୀ କର୍ମଚାରୀ । ସଂପୃକ୍ତ କର୍ମଚାରୀ ଚିହ୍ନଟ ହେବା ପୂର୍ବରୁ ଶତାଧିକ ବ୍ୟକ୍ତିଙ୍କୁ ବିଭିନ୍ନ ଇଂଜେକସନ୍ ଦେବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ । ସେହିପରି ଉକ୍ତ ମେଡିସିନ୍ ଷ୍ଟୋର ଥିବା ବିଲ୍‌ଡିଂକୁ ସିଲ୍ କରାଯାଇନଥିଲା କିମ୍ବା କଣ୍ଟ୍ରାକ୍ଟ ଟ୍ରେସିଂ କରି ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ, ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ସ୍ୱାବ୍ ପରୀକ୍ଷା କରାଯାଇନଥିଲା । ପ୍ରଶାସନ ପକ୍ଷରୁ ଏ ଦିଗରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । କେବଳ ସେହି ମେଡିସିନ୍ ଷ୍ଟୋରକୁ ୩ ଦିନ ପାଇଁ ସିଲ୍ କରି ଚୁପ ବସିଲା ସ୍ୱାସ୍ଥ୍ୟ ପ୍ରଶାସନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଶାସନ ଏହାକୁ ଲୋକାଲ କଣ୍ଟ୍ରାକ୍ଟ ନଦର୍ଶାଇ ଏକ ଟିଏମ୍‌ସିରୁ ବାହାରିଥିବା ଦର୍ଶାଇଲା । ସେହିପରି ଦୁଇଦିନ ତଳେ ଯେଉଁ ୪ ଜଣ ପଜିଟିଭି ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଲୋକାଲ କଣ୍ଟ୍ରାକ୍ଟ ଓ ତାଙ୍କର କୌଣସି ଯାତ୍ରା ଇତିହାସ ନଥିବା ପ୍ରଶାସନ ସ୍ପଷ୍ଟ କରିଛି । ତେଣୁ ଲୋକାଲ କଣ୍ଟ୍ରାକ୍ଟକୁ ନେଇ ଜିଲାବାସୀଙ୍କ ଚିନ୍ତା ବଢିବାରେ ଲାଗିଛି । ଇତିମଧ୍ୟରେ ପ୍ରାୟ ୩୫ ହଜାର ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରୁ ଫେରି ଆସିଛନ୍ତି ।

 

 

ସରକାରୀ ନିୟମାନୁଯାୟୀ ସେମାନେ ଟିଏମ୍‌ସିରେ କ୍ୱାରେନଟାଇନ୍ ସମୟ କାଟି ଘରକୁ ଫେରିଛନ୍ତି । କରୋନା ଲକ୍ଷ ବିଳମ୍ବରେ ପ୍ରକାଶ ପାଉଥିବାରୁ ଏହି ପ୍ରବାସୀଙ୍କ ପକ୍ଷରୁ ନିକଟ ଭବିଷ୍ୟତରେ ଯେ ବିପଦ ନରହିଛି, ତାହା କହିହେବ ନାହିଁ । ସରକାରୀ ମାର୍ଗଦର୍ଶିକା ଅନୁଯାୟୀ କରୋନା ପରୀକ୍ଷା ହେଉଥିବାରୁ ଏହି ସଂଖ୍ୟା ଜିଲାରେ ବହୁତ କମ୍ ରହିଛି । ଆଜିପର୍ଯ୍ୟନ୍ତ ଜିଲାରେ ମାତ୍ର ୮ ହଜାର ଲୋକଙ୍କ କୋଭିଡ୍ ସ୍ୱାବ୍ ପରୀକ୍ଷା ହୋଇଥିବା ଜଣାପଡିଛି । ଗତ ସପ୍ତାହରେ ସର୍ଭେଲାନ୍ସ ଟିମ୍ ବୁଲିବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବ ବୋଲି ପ୍ରଶାସନିକ ସ୍ତରରେ ସ୍ଥିର ହୋଇଥିଲେ ମଧ୍ୟ ଏପରି ସ୍ୱାସ୍ଥ୍ୟ ଟିମ୍‌କୁ ଅଧିକାଂଶ ଦେଖିବାକୁ ପାଉନାହାଁନ୍ତି । କିଏ କେଉଁଠାରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ତଥ୍ୟ ସଂଗ୍ରହ କରୁଛି, ସେ ସଂପର୍କରେ କେହି କିଛି ଜାଣି ପାରୁନାହାଁନ୍ତି । ଏହାବ୍ୟତୀତ ପ୍ରଶାସନ କୋଭିଡ୍ ଗାଇଡ୍‌ଲାଇନ୍ ଜାରି କରୁଥିଲେ ମଧ୍ୟ ଏହା ଠିକ୍ ଭାବରେ ପାଳନ ହେଉନାହିଁ । ବହୁ ବ୍ୟବସାୟୀଙ୍କ ସମେତ ସାଧାରଣ ଲୋକ ମାସ୍କ ପିନ୍ଧୁ ନାହାଁନ୍ତି କିମ୍ବା ସାମାଜିକ ଦୂରତ୍ୱ ରକ୍ଷା କରୁନାହାଁନ୍ତି । ସହରର ବିଭିନ୍ନ ଘରୋଇ ନର୍ସିଂହୋମ୍ ଓ ହସ୍‌ପିଟାଲରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । କୋଭିଡ୍ ନିୟମକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ବାରମ୍ବାର କହୁଥିଲେ ମଧ୍ୟ ଏ ଦିଗରେ ସଂପୂର୍ଣ୍ଣ ନିରବ ରହୁଛି । ତେଣୁ କେବଳ ପ୍ରଶାସନିକ ଅବହେଳା ନୁହେଁ ଅଧିକନ୍ତୁ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ପାଇଁ ଜିଲାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.