Home ଜିଲ୍ଲା ପରିକ୍ରମା ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଓ ସମୀକ୍ଷା

ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଓ ସମୀକ୍ଷା

53

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ପରେ ବନ୍ୟା ସ୍ଥିତି ଓ ପରବର୍ତ୍ତୀ ସମୟରେ ବନ୍ୟା ପ୍ରଭାବିତଙ୍କ ଥଇଥାନ ସମ୍ପର୍କରେ ସମୀକ୍ଷା କରିଥିଲେ । ଆଜି ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ସେଠୀ ଭଦ୍ରକରେ ପହଞ୍ଚିବା ପରେ ଭଣ୍ଡାରିପୋଖରୀ ବ୍ଲକର ବଡନପଙ୍ଗ, ମାଳଦା, ଷୋଳମପୁର ଆଦି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ । ସେଠାରେ ବନ୍ୟା ପ୍ରଭାବିତଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେଠାରୁ ଫେରିବା ପରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏ ସଂକ୍ରାନ୍ତରେ ବିସ୍ତୃତ ସମୀକ୍ଷା କରିଥିଲେ । ବନ୍ୟା ପ୍ରଭାବିତଙ୍କୁ ତୁରନ୍ତ ରିଲିଫ ଯୋଗାଇବା ପାଇଁ ପରାମର୍ଶ ଦେବା ସହିତ ଅନ୍ୟୁନ ୭ ଦିନର ରିଲିଫ ଯୋଗାଣ ପାଇଁ କହିଥିଲେ । ବିିଶେଷ ଭାବେ ବନ୍ୟା ପ୍ରଭାବିତଙ୍କ ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ ନିମନ୍ତେ ପରାମର୍ଶ ଦେଇଥିଲେ । ଯେଉଁ ସମସ୍ତ ନଳକୂପ ବନ୍ୟାପାଣିରେ ବୁଡି ଯାଇଥିଲା ସେ ସବୁକୁ ବିଶୋଧନ କରି ପିଇବା ଉପଯୋଗୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ ଅଞ୍ଚଳରେ ନଳକୂପ କିମ୍ବା ପାଇପ ଯୋଗେ ପାନୀୟ ଜଳ ଯୋଗାଣର ସୁବିଧା ନାହିଁ ସେ ସବୁ ଅଞ୍ଚଳକୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରଭାବିତଙ୍କୁ ପୁନର୍ଥଇଥାନ କରାଯିବା ସହିତ ଯେଉଁମାନଙ୍କ ଘର ଭାଙ୍ଗିଛି ସେଗୁଡିକର ତୁରନ୍ତ ଆକଳନ, ଫସଲହାନୀର ଆକଳନ ସହିତ ରାସ୍ତାଘାଟର କ୍ଷୟକ୍ଷତି ସମ୍ପର୍କରେ ଏକ ରିପୋର୍ଟ ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ତୁରନ୍ତ ପଲିଥିନ୍ ଯୋଗାଇବାକୁ ପରାମର୍ଶ ଦେଇଥିଲେ । ଏହା ସହିତ କ୍ଷେତ୍ରାଧିକାରୀମାନେ ନିଜନିଜ ଅଞ୍ଚଳର ପ୍ରଭାବିତ ଜନସାଧାରଣଙ୍କୁ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଅରୁଣ କୁମାର ମହାପାତ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ଏବଂ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.