ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ମାହାମାରୀ ପାଇଁ ସରକାର ଜାରୀ କରିଥିବା ଲକ୍ଡାଉନ କଟକଣା କିଛିଟା କୋହଳ ହେବା ପରେ ପ୍ରବାସୀଙ୍କ ଘର ବାହୁଡ଼ା ଆରମ୍ଭ ହୋଇଗଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଘରକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ପ୍ରଶଷାସନ ପକ୍ଷରୁ ଯାବତୀୟ ବ୍ୟବସ୍ଥା ଗ୍ରହଣ କରାଗଲା । ପ୍ରଥମେ ଜିଲ୍ଲାର ୨୧୮ଟି ପଞ୍ଚାୟତରେ ଟେମ୍ପରାରି ମେଡିକାଲ କ୍ୟାମ୍ପ(ଟିଏମସି) ପ୍ରତିଷ୍ଠା ହେଲା । ପରେ ପ୍ରବାସୀଙ୍କ ଫେରିବା ଆରମ୍ଭ ହେବା ପରେ ସେମାନଙ୍କୁ ରେଲୱେ ଷ୍ଟେସନରେ ରେଡ କାର୍ପେଟ ସମ୍ବର୍ଦ୍ଧାନା ଜ୍ଞାପନ କରାଗଲା । ସେମାନଙ୍କୁ ଗାଡ଼ି ଭଡା ପ୍ରଦାନ ସହ ୧୦ ଦିନ ଟିଏମସିରେ ସଂଗରୋଧରେ ରହିବାର ବ୍ୟବସ୍ଥା କରାଗଲା । ଏସମସ୍ତ ପ୍ରବାସୀ ଆଉ ଯେପରି ଭବିଷ୍ୟତରେ ପୁଣି ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ନ ଯିବେ, ସେଥି ପାଇଁ ମଧ୍ୟ ସରକାରୀ ସ୍ତରରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଲା । କିନ୍ତୁ ଇତିମଧ୍ୟରେ ବିଭିନ୍ନ ରାଜ୍ୟରୁ ନିଜ ନିଜ ଘରକୁ ଫେରିଥିବା ପ୍ରବାସୀଙ୍କୁ ଆଉ ଦେଖିବାକୁ ମିଳୁ ନାହିଁ । ଘରବାହୁଡ଼ା କରିଥିବା ପ୍ରବାସୀଙ୍କ ମଧ୍ୟରୁ ଏବେ ୮୦ପ୍ରତିଶତଙ୍କ ପତ୍ତା ନାହିଁ । କାରଣ ଏଠାରେ ସେପରି କୌଣସି ଆୟର ପନ୍ଥା ନଥିବା ଦେଖି ସେମାନେ ପୁଣି ନିଜ ନିଜ ପୂର୍ବ କର୍ମକ୍ଷେତ୍ରକୁ ଫେରିଗଲେଣି । କିନ୍ତୁ ଏସମ୍ପର୍କରେ କୌଣସି ତଥ୍ୟ ସରକାର ବା ପ୍ରଶାସନ ନିକଟରେ ନାହିଁ । ଏପରିକି ବାସ୍ତବରେ କେତେ ପ୍ରବାସୀ ବାହାର ରାଜ୍ୟରୁ ଆମ ଜିଲ୍ଲାକୁ ଫେରିଥିଲେ, ସେସମ୍ପର୍କରେ ମଧ୍ୟ ନିର୍ଦ୍ଧିଷ୍ଟ ତଥ୍ୟ ପ୍ରଶାସନ ନିକଟରେ ନାହିଁ । ଘରବାହୁଡ଼ା ସମୟରେ ପ୍ରତ୍ୟେକ ଦିନ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିକଟରେ ପ୍ରବାସୀଙ୍କ ତଥ୍ୟ ଉପସ୍ଥାପନ କରାଯାଉଥିଲା । ସେହି ଅନୁଯାୟୀ ଭଦ୍ରକ ଜିଲ୍ଲାରୁ ମୋଟ ୩୬ ହଜାର ୯୩୪ଜଣ ପ୍ରବାସୀ ଫେରିଥିବା ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିଲା ।
କିନ୍ତୁ ଚୂଡ଼ାନ୍ତ ସଂଖ୍ୟା ୪୫ହଜାର ୨୫ରେ ପହଞ୍ଚିଥିଲା । ତେଣୁ ପୂର୍ବ ଓ ପରବର୍ତ୍ତୀ ତଥ୍ୟରେ କାର୍ହିକି ଅମେଳ ରହିଲା, ସେମସମ୍ପର୍କରେ ସ୍ପଷ୍ଟ କରିବାକୁ ପ୍ରଶାସନକୁ ପଞ୍ଚାୟତରାଜ ବିଭାଗ କହିଥିଲା । ଅପରପକ୍ଷେ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପ୍ରବାସୀଙ୍କ ସମ୍ପର୍କରେ ଥିବା ତଥ୍ୟ । କାରଣ ଏହି କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ମୋଟ ୨୭ହଜାର ୩୯୧ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରେ ୩୪୨ଜଣ ଛାତ୍ର, ୨୪୦ଜଣ ଗୃହିଣୀ, ୧୪ବର୍ଷରୁ କମ୍ ୮୦୫ଜଣ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ସଂଖ୍ୟା ୫ଶହ ବୋଲି ଉଲ୍ଲେଖ ରହିଛି । ଏମାନଙ୍କ ବ୍ୟତୀତ କୁଶଳୀ ଶ୍ରେଣୀର ୪ହଜାର ୩୬୬ଜଣ ଥିବାବେଳେ, ୨୨ହଜାର ୪୪୩ଜଣ ଅଣକୁଶଳୀ ପ୍ରବାସୀ ଜିଲ୍ଳାକୁ ଫେରିଛନ୍ତି ବୋଲି ଶ୍ରମ ବିଭାଗ ସୂଚନାରୁ ପ୍ରକାଶ । ତେଣୁ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ବାସ୍ତବ ସଂଖ୍ୟା ଉପରେ ଏବେ ମଧ୍ୟ ସାଧାରଣରେ ସନ୍ଦେହ ଲାଗି ରହିଛି । ତେବେ ପ୍ରବାସୀଙ୍କ ଫେରିବା ସମୟରେ ସେମାନଙ୍କ ଥଇଥାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ମନରେଗା ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ ଉପାୟରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଜନା ହୋଇଥିଲା । ତଥାପି ଯଦି କୌଣସି ବ୍ୟକ୍ତି ବାହାର ରାଜ୍ୟକୁ ଯାଆନ୍ତି ତେବେ ସେମାନଙ୍କ ତଥ୍ୟ ପଞ୍ଚାତସ୍ତରରେ ରଖାଯିବ ଓ ଏହାକୁ ଭିତ୍ତୀି କରି ଏକ ଡାଟାବେସ ପ୍ରସ୍ତୁତ କରିବାର ଯୋଜନା ମଧ୍ୟ ଥିଲା । କିନ୍ତୁ ଇତିମଧ୍ୟରେ ଅଧିକାଂଶ ପ୍ରବାସୀ ନିଜ କର୍ମକ୍ଷେତ୍ରକୁ ଫେରି ସାରିଥିବାବେଳେ, ସେମାନଙ୍କ ତଥ୍ୟ କାହା ପାଖରେ ନାହିଁ । ଏପରିକି ଜିଲ୍ଲା ଶ୍ରମାଧିକାରୀ କୁବେର ଚନ୍ଦ୍ର ବେହେରା ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତିଯେ କେତେ ପ୍ରବାସୀ ଅନ୍ୟ ରାଜ୍ୟକୁ ଗଲେଣି ସେମ୍ପର୍କୀତ ତଥ୍ୟ ଆମ ନିକଟରେ ନାହିଁ । ତେଣୁ ସ୍ୱାଭାବିକ୍ ଭାବରେ ଦାଦନ ତଥା ପ୍ରବାସୀଙ୍କୁ ନେଇ ଜିଲ୍ଲା ପ୍ରଶାସନ କେତେ ସଚେତନ ଏଥିରୁ ଅନୁମେୟ ।